ଖେଲୋ ଇଣ୍ଡିଆରୁ ଓଡ଼ିଶାକୁ ଆଉ ୩ ପଦକ

ଭୁବନେଶ୍ବର: ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ଶୁକ୍ରବାର ଆଉ ୩ ପଦକ ଜିତିଛନ୍ତି। ପୂର୍ବରୁ ଭାରୋତ୍ତୋଳନରୁ ୩ ପଦକ ଜିତି ସାରିଥିବା ଓଡ଼ିଆ ଖେଳାଳି ଶୁକ୍ରବାର ଦୌଡ଼କୁଦ, ଜିମ୍ନାଷ୍ଟିକ୍ସ ଏବଂ ସନ୍ତରଣରୁ ଆଉ ୩ ପଦକ ଯୋଡ଼ିଛନ୍ତି। ୨୧ ବର୍ଷରୁ କମ୍ ବାଳିକା ବର୍ଗ ୧୦୦ ମିଟର୍ ବାଧାଦୌଡ଼ରେ କିଟ୍‌ର ପ୍ରଞ୍ଜା ପ୍ରଶାନ୍ତି ସାହୁ (୧୪.୩୪ ସେକେଣ୍ଡ୍‌) ରୌପ୍ୟ ପଦକ ଜିତିଥିଲେ।‌ ସେହିଭଳି ୧୭ ବର୍ଷରୁ କମ୍ ବାଳକ ଜିମ୍ନାଷ୍ଟିକ୍ସରେ ଜଗଦୀଶ ବାରିକ ଟେବୁଲ୍ ଭଲ୍ଟରେ ରୌପ୍ୟ ପଦକ ହାସଲ କରି ନେଇଛନ୍ତି। ଶୁକ୍ରବାରର ତୃତୀୟ ପଦକଟି ଜିତିଥିଲେ ଅନ୍ତର୍ଜାତୀୟ ସନ୍ତରିକା ପ୍ରତ୍ୟାଶା ରାୟ। ୧୭ ବର୍ଷରୁ କମ୍‌ ବର୍ଗର ୧୦୦ ମିଟର୍ ବ୍ୟାକ୍‌ ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ୧ ମିନିଟ ୧୦.୬୧ ସେକେଣ୍ଡ୍ ସମୟ ନେଇ କାଂସ୍ୟ ପଦକ ହାସଲ କରିଥିଲେ। ପ୍ରଥମ ଦୁଇ ଦିନ ଭାରୋତ୍ତୋଳନରୁ ମୟୂରଭଞ୍ଜର ଅନ୍ତର୍ଜାତୀୟ ଅଭିଜ୍ଞ ସ୍ନେହା ସୋରେନ୍‌ ସ୍ବର୍ଣ୍ଣ (୪୯ କିଲୋଗ୍ରାମ, ବାଳିକା), ଭକ୍ତରାମ ଦେଠୀ ସ୍ବର୍ଣ୍ଣ (୪୯ କେଜି, ବାଳକ) ଏବଂ ମୁନା ନାୟକ ( ୫୫ କେଜି, ବାଳକ) ରୌପ୍ୟ ପଦକ ପାଇଥିଲେ। ଶୁକ୍ରବାରର ପ୍ରଦର୍ଶନ ସହିତ ଓଡ଼ିଶା ପଦକ ସଂଖ୍ୟା ଅଧା ଡଜନ ଟପିଛି।

ସମ୍ବନ୍ଧିତ ଖବର