ଭୁବନେଶ୍ବର: ମହାରାଷ୍ଟ୍ରର ପୁନେଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ାରେ ଓଡ଼ିଶାକୁ ଶନିବାର ଆଉ ୨ ପଦକ ମିଳିଛି। ୧୭ ବର୍ଷରୁ କମ୍ ବାଳିକା ଫୁଟ୍ବଲ୍ ଦଳ ରୌପ୍ୟ ପଦକ ଜିତିଥିବା ବେଳେ ୧୭ ବର୍ଷରୁ କମ୍ ବାଳିକା ହକି ଦଳ କାଂସ୍ୟ ପଦକ ଜିତିଛନ୍ତି। ଅଧିନାୟିକା ବନ୍ୟା କବିରାଜ ଏବଂ ପ୍ରଶିକ୍ଷିକା ମମତା କୁମାରୀ ସାମନ୍ତଙ୍କ ବାଳିକା ଫୁଟ୍ବଲ୍ ଦଳ ଶନିବାର ଫାଇନାଲ୍ରେ ଲଢ଼ୁଆ ଖେଳିଥିଲେ ମଧ୍ୟ ୧-୨ ଗୋଲ୍ରେ ଝାଡ଼ଖଣ୍ଡ ନିକଟରୁ ହାରିଯିବାରୁ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲା। ଓଡ଼ିଶା ଲିଗ୍ ପର୍ଯ୍ୟାୟରେ ମହାରାଷ୍ଟ୍ରକୁ ୨-୦ରେ, ହିମାଚଳ ପ୍ରଦେଶକୁ ୩୬-୦ରେ, କେରଳକୁ ୫-୧ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍କୁ ଉଠିଥିଲା। ଏହାପରେ ଓଡ଼ିଶା ବାଳିକାମାନେ ୨-୧ ଗୋଲ୍ରେ ଶକ୍ତିଶାଳୀ ମଣିପୁରକୁ ପରାସ୍ତ କରି ଫାଇନାଲ ଆସିଥିଲା। ମୋଟ ୪୬ ଗୋଲ୍ ଦେଇଥିଲେ ମଧ୍ୟ ମାତ୍ର ୪ଟି ଗୋଲ୍ ବରଣ କରି ଓଡ଼ିଶା ରୌପ୍ୟରେ ସନ୍ତୁଷ୍ଟ ହୋଇଛି। ଅନ୍ୟପକ୍ଷରେ ୧୭ ବର୍ଷରୁ କମ୍ ବାଳିକା ହକି କାଂସ୍ୟ ପଦକ ମୁକାବିଲାରେ ଓଡ଼ିଶା ୩-୨ ଗୋଲ୍ରେ ପଞ୍ଜାବକୁ ହରାଇ ଦେଇଥିଲା। ଫାଇନାଲରେ ହରିଆନା ୨-୧ ଗୋଲ୍ରେ ଝାଡ଼ଖଣ୍ଡକୁ ହରାଇ ସ୍ବର୍ଣ୍ଣ ପଦକ ଜିତି ନେଇଥିଲା। ରବିବାର ଓଡ଼ିଶା ୨୧ ବର୍ଷରୁ କମ୍ ବାଳିକା ଦଳ ମଧ୍ୟ କାଂସ୍ୟ ପଦକ ପାଇଁ ପଞ୍ଜାବ ସହିତ ଖେଳିବ। ଏହି ବର୍ଗ ଫାଇନାଲରେ ମଧ୍ୟ ହରିଆନା-ଝାଡ଼ଖଣ୍ଡ ମୁକାବିଲା ହେବ।