ଖେଲୋ ଇଣ୍ଡିଆ: ଜୈନ ଓ ଗୁରୁ ନାନକ ବିଶ୍ବବିଦ୍ୟାଳୟର ଚମକ, ପ୍ରଥମ ରାଉଣ୍ତରୁ ଋତୁପର୍ଣ୍ଣା ବିଦା

ଭୁବନେଶ୍ବର: ଚଳିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପଦକ ଅମଳ ପର୍ବ ରବିବାରଠାରୁ ଆରମ୍ଭ ହୋଇଛି। କର୍ଣ୍ଣାଟକର ଜୈନ ବିଶ୍ବବିଦ୍ୟାଳୟ ୪ ସ୍ବର୍ଣ୍ଣ, ୩ ରୌପ୍ୟ ସହ ମୋଟ ୭ ପଦକ ପାଇ ଶୀର୍ଷରେ ରହିଛି। ଅମୃତସରର ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ ସମାନ ୪ ସ୍ବର୍ଣ୍ଣ ପାଇଥିଲେ ମଧ୍ୟ ୧ ରୌପ୍ୟ ଓ ୩ କାଂସ୍ୟ ସହିତ ମୋଟ ୮ ପଦକ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ପଞ୍ଜାବ ବିଶ୍ବବିଦ୍ୟାଳୟ କିନ୍ତୁ ପଦକ ପ୍ରଦାନର ପ୍ରଥମ ଦିନରେ ସର୍ବାଧିକ ୧୦ ଅମଳ କରିଛି। ଏହା ମଧ୍ୟରେ ୨ ସ୍ବର୍ଣ୍ଣ, ୪ ଲେଖାଏଁ ରୌପ୍ୟ ଓ କାଂସ୍ୟ ରହିଛି। ଡକ୍ଟର ବାବାସାହେବ ଆମ୍ବେଦକର ମାରାଠାୱାଡା ଏବଂ ସାବିତ୍ରୀବାଇ ଫୁଲେ ପୁନେ ବିଶ୍ବବିଦ୍ୟାଳୟ ସମାନ ୨‌ ସ୍ବର୍ଣ୍ଣ ଏବଂ ୧ ଲେଖାଏଁ କାଂସ୍ୟ ଜିତିଥିବାରୁ ମିଳିତ ଚତୁର୍ଥରେ ରହିଛନ୍ତି। ମୁମ୍ବାଇ (୧+୧+୩) ମୋଟ ୫ ପଦକ ଜିତି ପଞ୍ଚମରେ ରହିଛି। ଓଡ଼ିଶାରୁ ଭାଗ ନେଇଥିବା ୪ ବିଶ୍ବବିଦ୍ୟାଳୟ ମଧ୍ୟରୁ ରବିବାର କେହି ଖାତା‌ ଖୋଲି ପାରିନାହାନ୍ତି। ମୋଟ ୧୮ ବିଶ୍ବବିଦ୍ୟାଳୟ ଅନ୍ୟୁନ ଗୋଟିଏ ପଦକ ଜିତିଥିବା ବେଳେ ପୂର୍ବାଞ୍ଚଳରୁ ମଣିପୁର ଏକମାତ୍ର ରୌପ୍ୟରୁ ଅଭିଯାନ ଆରମ୍ଭ କରିଛି।

ଅସିଚାଳନାରେ ଗୁରୁନାନକର ପ୍ରାଧାନ୍ୟ
ସହିଦ ନଗର ଇନ୍‌ଡୋର ହଲରେ ରବିବାର ଅସିଚାଳନା ପ୍ରତିଯୋଗିତା ଶେଷ ହୋଇଛି। ଅମୃତସରର ଗୁରୁନାନକ ବିଶ୍ବବିଦ୍ୟାଳୟ ୩ ସ୍ବର୍ଣ୍ଣ ସହିତ ୫ ପଦକ ଜିତି ପ୍ରଧାନ୍ୟ ବିସ୍ତାର କରିଛି। ଅନ୍ୟତମ ପଞ୍ଜାବୀ ଦଳ ପଞ୍ଜାବ ବିଶ୍ବବିଦ୍ୟାଳୟ ୩ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହିତ ମୋଟ ୬ ପଦକ ଜିତିଛି। ଔରଙ୍ଗାବାଦର ଡକ୍ଟର ଆମ୍ବେଦକର ମରାଠାୱାଡା, ଜମ୍ମୁର କ୍ଲଷ୍ଟର ବିଶ୍ବବିଦ୍ୟାଳୟ, କୋହ୍ଲାପୁରର ଶିବାଜୀ ବିଶ୍ବବିଦ୍ୟାଳୟ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅଲିମ୍ପିଆନ୍‌ ହକି ତାରକା ଲାଜରୁସ୍ ବାର୍ଲା, ଦୀପକ ଠାକୁର, ଦେବେଶ ଚୌହାନ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟିନୀ ବ୍ୟାଡମିଣ୍ଟନ୍‌ ତାରକା ତୃପ୍ତି ମୁରଗୁଣ୍ଡେ, ଅଲିମ୍ପିଆନ୍ ଧାବିକା ଅନୁରାଧା ବିଶ୍ବାଳ, କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀ ହରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

କଟକ: ରବିବାରଠୁ ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ତିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ବ୍ୟାଡ୍‌ମିଣ୍ଟନରେ ଭାରତୀୟ ମହିଳା ଦଳର ସଦସ୍ୟା ଋତୁପର୍ଣ୍ଣା ପଣ୍ତା ପ୍ରଥମ ରାଉଣ୍ତରୁ ବିଦାୟ ନେଇଛନ୍ତି। କିଟ୍‌ ଓ ପଞ୍ଜାବ ବିଶ୍ବବିଦ୍ୟାଳୟ ମଧ୍ୟରେ ଦଳଗତ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ୩ ରାଉଣ୍ତ ବିଶିଷ୍ଟ ମ୍ୟାଚ୍‌ର ପ୍ରଥମ ରାଉଣ୍ତରେ କିଟ୍‌ର ଇସିକା ପାଠକ ୬-୨୧, ୬-୨୧ରେ ନିକିତାଙ୍କଠୁ ପରାସ୍ତ ହୋଇଥିଲେ। ତେଣୁ ଦ୍ବିତୀୟ ରାଉଣ୍ତ ଜିତିବା ଜରୁରି ହୋଇଥିଲା ବେଳେ ଯୁଗଳରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। କିଟ୍‌ର କ୍ରିତିକା ଭଟ୍ଟାଚାର୍ଯ୍ୟଙ୍କୁ ସାଥୀକରି ଋତୁପର୍ଣ୍ଣା ଏହି ମ୍ୟାଚ୍‌କୁ ଓହ୍ଲାଇଥିଲେ। ତେବେ ସିଧାସଳଖ ସେଟ୍‌ ୧୨-୨୧, ୧୫-୨୧ରେ ଏହି ଯୋଡ଼ି ଆକାକ୍ଷି˚ ବଳିଆନ୍‌ ଓ ଡାମନ ରାଜ କୁମାରଙ୍କଠୁ ପରାଜିତ ହେବାରୁ କିଟ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛି। ତେବେ ଯୁଗଳ ଯୋଡ଼ିଙ୍କ ସହ ଅଭ୍ୟାସ କରିବାକୁ ସମୟ ମିଳିନଥିବାରୁ ବିପକ୍ଷ ଦଳ ତାହାର ଫାଇଦା ଉଠାଇଲେ ବୋଲି ଋତୁପର୍ଣ୍ଣା କହିଛନ୍ତି। ସେ ହାଇଦ୍ରାବାଦରେ ରହି ଅଭ୍ୟାସ କରୁଛନ୍ତି। ଭୁବନେଶ୍ବରରେ ପହଞ୍ଚିବା ପରେ ଦଳ ସହିତ ଅଭ୍ୟାସ କରିବାକୁ ସମୟ ମିଳିନଥିଲା। ଏଥିସହିତ ତାଙ୍କର ଡାହାଣ କାନ୍ଧରେ ଆହତ ଲାଗିଥିବାରୁ ସେ ମ୍ୟାଚ୍‌ରେ ଖେଳିବା ପାଇଁ ଶତପ୍ରତିଶତ ପ୍ରସ୍ତୁତ ନଥିଲେ। ସବୁପ୍ରକାରର ଉଦ୍ୟମ କରିଥିଲେ ବି ଆମେ ପରାସ୍ତ ହୋଇଥିଲୁ। ଆଗକୁ ଯେତେବେଳେ ମ୍ୟାଚ୍‌ ହେବ ଦଳ ସହ ସମୟ ବିତାଇବାକୁ ଚେଷ୍ଟା କରିବି ବୋଲି ଋତୁପର୍ଣ୍ଣା କହିଛନ୍ତି।

ସମ୍ବନ୍ଧିତ ଖବର