ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା:ହକିରେ ଓଡ଼ିଶା ପୁରୁଷ ଦଳକୁ ସ୍ବର୍ଣ୍ଣ

ସନ୍ତରଣରେ ପ୍ରତ୍ୟାଶାଙ୍କୁ ରୌପ୍ୟ

ଭୁବନେଶ୍ବର: ମୁମ୍ବାଇରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଦ୍ବିତୀୟ ସଂସ୍କରଣରେ ଓଡ଼ିଶା ପୁରୁଷ ହକି ଦଳ ବିଜେତା ହୋଇଛି। ୨୧ ବର୍ଷରୁ କମ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଳ ମଙ୍ଗଳବାର ଫାଇନାଲ୍‌ରେ ହରିଆନାକୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଉପରେ କବ୍‌ଜା କରିନେଇଛି। ମହିନ୍ଦ୍ରା ହକି ଷ୍ଟାଡିୟମ୍‌ରେ ମଙ୍ଗଳବାର ଫାଇନାଲ୍‌ ମ୍ୟାଚ୍‌ ଖୁବ୍‌ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଦୀପ୍‌ସାନ ତିର୍କି (୧୧ ମିନିଟ୍‌) ଓ ଆଶିଷ ଟପ୍ନୋ (୨୩ ମିନିଟ୍‌)ଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଏକ ସମୟରେ ଓଡ଼ିଶା ୨-୦ରେ ଅଗ୍ରଣୀ ପାଇଥିଲା। ହେଲେ ୨୩ ମିନିଟ୍‌ ମଧ୍ୟରେ ୦-୨ରେ ପଛରେ ପଡ଼ିଯା‌ଇଥିବା ହରିଆନା ପରେ ଚମତ୍କାର ପ୍ରତ୍ୟାବର୍ତନ କରିଥିଲା। ୨୯ ଓ ୫୭ ମିନିଟ୍‌ରେ ହରିଆନା ଅଧିନାୟକ ମନ୍‌ଦୀପ୍‌ ମୋ‌ର୍‌ଙ୍କ ଯୁଗଳ ଗୋଲ୍‌ ନିର୍ଧାରିତ ସମୟରେ ଓଡ଼ିଶାର ବିଜୟ ଆଶା ମଉଳାଇ ଦେବା ସାଙ୍ଗକୁ ୨-୨ ସ୍ଥିତି ସହ ମ୍ୟାଚ୍‌ ପେନାଲ୍‌ଟି ସୁଟ୍‌ଆଉଟ୍‌କୁ ଟାଣି ନେଇଥିଲେ। ନିର୍ଧାରିତ ସମୟ ୨-୨ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହେବା ପରେ ଓଡ଼ିଶା କିନ୍ତୁ ମନୋବଳ ହରାଇନଥିଲା। ସୁଟ୍ଆଉଟ୍‌ରେ ଏହି ଦଳ ୪-୨ ଗୋଲ୍‌ରେ ବାଜି ମାରିନେଲା। ଆଶିଷ ଟପ୍ନୋ, ‌ଗ୍ରିଗୋରି ଖେସ୍‌, ଶିଳାନନ୍ଦ ଲାକ୍ରା ଓ ଦୀପ୍‌ସାନ୍‌ ତିର୍କି ଗୋଲ୍‌ କରି ଓଡ଼ିଶାକୁ ବିଜେତା କରାଇଥିଲା ବେଳେ ହରିଆନା ପକ୍ଷରୁ କୁଲ୍‌ଦୀପ୍‌ ଓ ୟାଶ୍‌ଦୀପ୍‌ ସୁଟ୍‌ଆଉଟ୍‌ରେ ଗୋଲ୍‌ କରି ବ୍ୟବଧାନ କେବଳ କମାଇ ପାରିଥିଲେ।
୨୧ ବର୍ଷରୁ କମ୍‌ ପୁରୁଷ ବର୍ଗରେ ବିଜେତା ଓଡ଼ିଶା ସ୍ବର୍ଣ୍ଣ ଏବଂ ଉପବିଜେତା ହରିଆନା ରୌପ୍ୟ ପଦକ ଜିତିଥିଲା ବେଳେ ପଞ୍ଜାବକୁ କାଂସ୍ୟ ପଦକ ମିଳିଛି। ତୃତୀୟ ସ୍ଥାନ ପାଇଁ ମୁକାବିଲାରେ ପଞ୍ଜାବ ଦଳ ୨-୦ ଗୋଲ୍‌ (ପେନାଲ୍‌ଟି ସୁଟ୍‌ଆଉଟ୍‌)ରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଥିଲା। ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିବା ପରେ ସୁଟ୍‌ଆଉଟ୍‌ରେ ଫଳାଫଳ ମିଳିଥିଲା।
ଅନ୍ୟପକ୍ଷରେ ୨୧ ବର୍ଷରୁ କମ୍‌ ବାଳିକା ବର୍ଗରେ ଓଡ଼ିଶା ମଙ୍ଗଳବାର ତା’ର ମ୍ୟାଚ୍‌ ଅମୀମାଂସିତ ରଖିଛି। ପୁଲ୍‌-ଏର ଏହି ମ୍ୟାଚ୍‌ରେ ମିଜୋରାମ ସହ ୧-୧ ଗୋଲ୍‌ରେ ମ୍ୟାଚ୍‌ ଅମୀମାଂସିତ ରଖି ଓଡ଼ିଶା ପଏଣ୍ଟ୍‌ ବାଣ୍ଟିଛି। ଦୀପ୍ତି ଲାକ୍ରାଙ୍କ ୧୪ ମିନିଟ୍‌ ଗୋଲ୍‌ ବଳରେ ଓଡ଼ିଶା ଅଗ୍ରଣୀ ପାଇଥଲା ବେଳେ ୨୮ ମିନିଟ୍‌ରେ ଭିଏଲ୍‌ ହମ୍‌ଗାଇସାଙ୍ଗିଙ୍କ ଗୋଲ୍‌ ସ୍ଥିତି ସମାନ କରିଦେଇଥିଲା।

‌ଭୁବନେଶ୍ବର: ଖେଲୋ ଇଣ୍ଡିଆ ଅନ୍ତର୍ଗତ ୧୭ ବର୍ଷରୁ କମ୍‌ ସନ୍ତରଣରେ ଓଡ଼ିଆ ଝିଅ ପ୍ରତ୍ୟାଶା ରାୟ ବ୍ୟକ୍ତିଗତ ଦ୍ବିତୀୟ ପଦକ ହାସଲ କରିଛନ୍ତି। ବାଳିକା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ କାଂସ୍ୟ ପଦକ ଜିତିଥିବା ପ୍ରତ୍ୟାଶା ମଙ୍ଗଳବାର ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି। ମଙ୍ଗଳବାର ସେ ୩୨.୦୨ ସେକେଣ୍ଡ୍‌ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କର୍ଣ୍ଣାଟକର ଶୁଭନା ବାସ୍କର (୩୧.୨୭) ପ୍ରଥମ ଏବଂ ଉତ୍ତରପ୍ରଦେଶର ଅଲିଆ ସିଂହ (୩୨.୧୮) ତୃତୀୟରେ ରହି ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ପାଇଥିଲେ। ପ୍ରତ୍ୟାଶାଙ୍କ ରୌପ୍ୟ ସହିତ ଓଡ଼ିଶା ଏହି ପ୍ରତିଯୋଗିତାରୁ ମଙ୍ଗଳବାର ସୁଦ୍ଧା ମୋଟ ୧୨ ପଦକ ଜିତିସାରିଛି। ସେଥିରେ ୩ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୪ କାଂସ୍ୟ ସାମିଲ ରହିଛି। ପ୍ରତ୍ୟାଶାଙ୍କୁ ତାଙ୍କ ସଫଳତା ପାଇଁ ଓଡ଼ିଶା ସନ୍ତରଣ ସଂଘ ଅଭିନନ୍ଦନ ଜଣାଇଛି।

ସମ୍ବନ୍ଧିତ ଖବର