କିଙ୍ଗ୍ସ ହରାଇଲା ଇଣ୍ଡିଆନ୍ସକୁ

ମୋହାଲି: କ୍ରିସ୍ ଗେଲ, ମୟଙ୍କ ଅଗ୍ରୱାଲଙ୍କ ବିସ୍ଫୋରକ ବ୍ୟାଟିଂ ସହିତ ଲୋକେଶ ରାହୁଲଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଧଶତକ ବଳରେ କିଙ୍ଗସ ଇଲେଭେନ୍ ପଞ୍ଜାବ ଶନିବାର ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟ୍‌ରେ ହରାଇ ଦେଇଛି। ଏଥି ସହିତ ପଞ୍ଜାବ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ମୁମ୍ବାଇ ସମାନ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ପରାୟ ବରଣ କରିଛି। ଶନିବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା (୩୨, ୧୮ ବଲ, ୫‌ ଚୌକା) ଏବଂ କ୍ବିଣ୍ଟନ୍‌ ଡି’କକ୍‌ (୬୦, ୩୯ ବଲ, ୬ ଚୌକା, ୨ ଛକା) ଭଲ ଖେଳିଥିଲେ। ଉଭୟ ୫.୨ ଓଭରରେ ୫୧ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ରୋହିତ ଶର୍ମାଙ୍କୁ ଭିଲଜୋଏନ୍ ଆଉଟ୍ କରି ଭାଗୀଦାରିକୁ ଭାଙ୍ଗିଥିଲେ। ଏହା ପରେ ଲେଗ୍ ସ୍ପିନର ମୁରୁଗାନ୍ ଅଶ୍ବିନ୍‌ ମୁମ୍ବାଇ ତାରକା ସୂର୍ଯ୍ୟକୁମାର ଯାଦବ (୧୧)ଙ୍କୁ ମଧ୍ୟ ଲେଗ୍ ବିଫୋର୍ କରି ଦେଇଥିଲେ। ୧୩ତମ ଓଭର ଶେଷ ବଲ୍‌ରେ ମହମ୍ମଦ ସାମି ଦକ୍ଷିଣ ଆଫ୍ରିକୀୟ ବାମହାତୀ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ଏଲବିଡଲବ୍ୟୁ କରିଥିଲେ ମଧ୍ୟ ଦଳୀୟ ସ୍କୋର୍‌ ୧୨୦ ପହଞ୍ଚି ସାରିଥିଲା। ଯୁବରାଜ ସିଂହ (୧୮, ୨୨ ବଲ, ୨ ଚୌକା), କିରଣ ପୋଲାର୍ଡ (୭, ୯ ବଲ) ମଧ୍ୟକ୍ରମରେ ବିଫଳ ହେବାରୁ ମୁମ୍ବାଇ ଆଶା ମୁତାବକ ବଡ଼ ସ୍କୋର୍ କରିପାରିନଥିଲା। ତଥାପି ପାଣ୍ଡ୍ୟା ଭ୍ରତା ହାର୍ଦିକ (୩୧, ୧୯ ବଲ, ୩‌ ଚୌକା, ୧‌ଛକା) ଏବଂ କ୍ରୁନାଲ (୧୦, ୫ ବଲ, ୨ ଚୌକା) କିନ୍ତୁ ଦଳକୁ ୧୭୬ ରନ୍‌ର ଲଢ଼ୁଆ ସ୍କୋର୍ ପ୍ରଦାନ କରିଥିଲେ। ଜବାବରେ ରୋକେଶ ରାହୁଲ ପାଳି ଗଢ଼ିବା କାମରେ ଲାଗି ଶାନ୍ତ ସ୍ବଭାବରେ ବ୍ୟାଟିଂ କରିଥିଲେ। ସାଥୀ ବ୍ୟାଟସମ୍ୟାନ୍‌ କ୍ରିସ୍ ଗେଲ (୪୦, ୨୪ ବଲ, ୩ ଚୌକା, ୪ ଛକା) ଏବଂ ମୟଙ୍କ ଅଗ୍ରୱାଲ (୪୩, ୨୧ ବଲ, ୪ ଚୌକା, ୨ ଛକା) କିନ୍ତୁ ବିସ୍ଫୋରକ ବ୍ୟାଟିଂ କରି ଅର୍ଧଶତକରୁ ବଞ୍ଚିତ ହୋଇଥିଲେ।‌ ଶେଷକୁ ତିନିଟି ଅର୍ଧଶତକ ଭାଗୀଦାରିରେ ସାମିଲ ଥିବା ରାହୁଲ (୭୧*, ୫୭ ବଲ, ୬ ଚୌକା, ୧ ଛକା) ଦ୍ରୁତ ବ୍ୟାଟିଂ କରି ଦଳକୁ ୮ ବଲ୍ ପୂର୍ବରୁ ବିଜୟୀ କରାଇବାରେ ବଡ଼ ଭୂମିକା ତୁଲାଇଥିଲେ। ମୟଙ୍କ ଅଗ୍ରୱାଲ୍ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୬/୭ (କ୍ବିଣ୍ଟନ୍ ଡି’କକ୍‌-୬୦, ରୋହିତ ଶର୍ମା-୩୨, ହାର୍ଦିକ ପାଣ୍ଡ୍ୟା-୩୧, ମୁରୁଗାନ ଅଶ୍ବିନ-୨/୨୫, ଜିସି ଭିଲଜୋଏନ-୨/୪୦, ମହମ୍ମଦ ସାମି-୨/୪୦)। କିଙ୍ଗସ ଇଲେଭେନ୍ ପଞ୍ଜାବ ୧୮.୪ ଓଭରରେ ୧୭୭/୨ (କ୍ରିସ୍ ଗେଲ-୪୦, ମୟଙ୍କ ଅଗ୍ରୱାଲ-୪୩, ଲୋକେଶ ରାହୁଲ-୭୧*, ଡେଭିଡ୍‌ ମିଲର-୧୫*, କୃନାଲ ପାଣ୍ଡ୍ୟା-୨/୪୩)।

ଅଶ୍ବିନଙ୍କ ୭ ବଲ୍‌ ଓଭର
ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ବିବାଦ ପିଛା ଛାଡୁନାହିଁ। ଜୋସ୍ ବଲଟରଙ୍କୁ ମଙ୍କଡିଂ ରନ୍ ଆଉଟ୍ କରିବା ପରେ କ୍ରିକେଟ୍‌ ଦୁନିଆରେ ଝଡ଼ ସୃଷ୍ଟି କରିଥିବା ଅଶ୍ବିନ୍‌ ସମାଲୋଚନାର ଶିକାର ହୋଇଥିଲେ। ଶନିବାର ମୋହାଲିରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଗୋଟିଏ ଓଭରରେ ୭ ବଲ୍ ବୋଲିଂ କରି ଚର୍ଚାକୁ ଆସିଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ଅଶ୍ବିନ ଟସ୍ ଜିତିବା ପରେ କ୍ଷେତ୍ରରକ୍ଷଣ କରିଥିଲେ। ନିଜେ ମଧ୍ୟ ପ୍ରଥମ ଓଭର ବୋଲିଂ କରିଥିଲେ। ‌ଯେତେବେଳେ ସମସ୍ତେ ଧରିନେଲେ ଅଶ୍ବିନଙ୍କ ଓଭର ସରିଗଲା, ସେତେବେଳେ ସେ ରନ୍‌ ଅପ୍‌କୁ ଯାଇ ସପ୍ତମ ‌ବଲ୍‌ଟି ପକାଇଥିଲେ। ଯାହାକୁ କ୍ବିଣ୍ଟନ୍ ଡି’କକ୍‌ ଚୌକା ମାରିଥିଲେ। ତେବେ ଏହି ୭ ବଲ୍ ଓଭର ସମ୍ପର୍କରେ କିଛି ଆନୁଷ୍ଠାନିକ ଭାବେ ପୃଷ୍ଟି କରାଯାଇନାହିଁ।

ସମ୍ବନ୍ଧିତ ଖବର