କିଶୋର କ୍ଲବ୍‌ ଜିତିଲା ରାଜକନିକା କପ୍‌

ରାଜକନିକା: ଭୁବନେଶ୍ୱରର କିଶୋର କ୍ଲବ୍‌ ଚଳିତ ବର୍ଷର ରାଜ୍ୟସ୍ତରୀୟ ରାଜକନିକା କପ୍‌ ଫୁଟ୍‌ବଲ ପ୍ରତିଯୋଗିତାର ବିଜେତା ହୋଇଛି। ଆରଏନ ହାଇସ୍କୁଲ ମିନି ଷ୍ଟାଡିୟମରେ ଖେଳାଯାଇଥିବା ବୁଧବାର ଫାଇନାଲ ମ୍ୟାଚ୍‌ରେ କଟକର ମଙ୍ଗଳା କ୍ଲବ୍‌କୁ ୩-୧ ଟାଇବ୍ରେକର୍‌ ଗୋଲ୍‌ରେ ପରାସ୍ତ କରି କିଶୋର କ୍ଲବ ଟ୍ରଫି ହାସଲ କରିଛି। ଏହି ମ୍ୟାଚ୍‌ର ନିର୍ଧାରିତ ସମୟ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା। ସୁଜିତ୍‌ କୁମାର ପାତ୍ର, ସୁବ୍ରତ ପୁରୋହିତ, କାର୍ତ୍ତିକ ଦାଶ, ଭୋଳାନାଥ ମହାକୁଡ଼, ଶରତ କୁମାର ଜେନା ଓ ପ୍ରହଲ୍ଲାଦ ଜେନା ଫାଇନାଲ୍‌ ମ୍ୟାଚ୍‌ ଖେଳ ପରିଚାଳନା କରିଥିଲେ ।

ସଂଘର ସଭାପତି ଦୋଳଗୋବିନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ଦେବେନ୍ଦ୍ର ଶର୍ମା, ମୁଖ୍ୟବକ୍ତା ଭାବେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କର୍ମଚାରୀ ସଂଘର ସଭାପତି ଦଶରଥ ସେନାପତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌ ଧୀରେନ୍‌ କୁମାର ବାରିକ୍‌, ବିଶିକେଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ । କିଶୋର କ୍ଲବକୁ ମୁଖ୍ୟ ଅତିଥି ବିଜେତା ଟ୍ରଫି ସହ ୧୫ ହଜାର ଟଙ୍କା ଏବଂ ଉପବିଜେତା ମଙ୍ଗଳା କ୍ଲବକୁ ଟ୍ରଫି ସହିତ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ‘ଗୁରୁ ବ୍ରଦର୍ସ’ ମୁମ୍ବାଇ ତରଫରୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ମଙ୍ଗଳା କ୍ଲବ୍‌ର ସଂଜୟ ସାହୁ, ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ କିଶୋର କ୍ଲବ୍‌ର ଗୋଲରକ୍ଷକ ଅଜୟ ଖାଡ଼ିଆ, ଶ୍ରେଷ୍ଠ ପୂରୋଭାଗ ଖେଳାଳି ଭାବେ କିଶୋର କ୍ଲବ୍‌ର ଚିତ୍ତରଂଜନ ପ୍ରଧାନ, ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି ଭାବେ ମଙ୍ଗଳା କ୍ଲବ୍‌ର ଜୟନ୍ତ ରାଉତ, ମଧ୍ୟଭାଗ ଖେଳାଳି ଭାବେ ସନ୍ତୋଷ ଚୌଧୁରୀଙ୍କୁ ଟ୍ରଫି ସହ ଅର୍ଥ ପୁରସ୍କାର ଓ ଜର୍ସି ପ୍ରଦାନ କରାଯାଇଥିଲା । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା କପିଳେନ୍ଦ୍ର ମଲ୍ଲିକ, ଯୁଗ୍ମ ସମ୍ପାଦକ ଆଦିକନ୍ଦ ଦାସ, ଇଂ ପ୍ରଶାନ୍ତ ବିଶ୍ୱାଳ, ସହ ସମ୍ପାଦକ ଶୁଭ୍ରାଂଶୁ ସୂତାର ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ପାଣ୍ଠିରୁ ନିର୍ମିତ ଅତିଥି ମଞ୍ଚକୁ ବିଧାୟକ ଶ୍ରୀ ଶର୍ମା ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର