କିସ୍‌ ଜିତିଲା ପିଭିଆର୍‌ ମୂର୍ତ୍ତି ଟ୍ରଫି :ଇନାସ୍‌ ପ୍ରତିଯୋଗିତାର ଓ ଶେଖର ବର୍ଷର ଶ୍ରେଷ୍ଠ ଖେଳାଳି

କଟକ: ଭୁବନେଶ୍ୱରର କିସ୍‌ ପିଭିଆର୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାରେ ବିଜେତା ହୋଇଛି। ଗୁରୁବାର ଫାଇନାଲ୍‌ରେ ସିଡିଏର ଡିଏଭି ପବ୍ଲିକ ସ୍କୁଲ୍‌କୁ ୯୫ ରନ୍‌ରେ ପରାସ୍ତ କରି ତୃତୀୟ ଥର ଟ୍ରଫି ହାସଲ କରିଛି। କିସ୍‌ ୨୫ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୮୪ ରନ୍‌ କରିଥିଲା। ଅଧିନାୟକ ନବିଦତ୍ୟ ମଲ୍ଲିକ ୧୫ ଓ ସଲମାନ ସିଲ୍‌ପଡ଼ିଆ ୬ ରନ୍‌ କରି ଆଉଟ ହୋଇଯିବା ପରେ ମୁନା ମଲ୍ଲିକ (୫୬) ଓ ଏନାସ ସବର (୩୬) ତୃତୀୟ ଓ୍ଵିକେଟ୍‌ରେ ୯୯ ରନ୍‌ ଯୋଡ଼ିଥିଲେ। ରମେଶ ମେଲେକା ୨୭* ରନ୍‌ କରିଥିଲେ। ଡିଏଭିର ଶଶାଙ୍ଗ ରୁଙ୍ଗତା, ଦୀପ୍ତାସୁଂ ଦାସ ଓ ପ୍ରତ୍ୟାପ୍ରତିମ କୁଅଁର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଡିଏଭି ନିୟମିତ ଅନ୍ତରାଳରେ ଓ୍ଵିକେଟ୍‌ ହରାଇ ୨୨.୨ ଓଭରରେ ୮୯ ରନରେ ସୀମିତ ରହିଥିଲା। ସୁରଜ ବେହେରା ୨୧, ସମ୍ବିତ ସାହୁ ୧୮, ପ୍ରିନ୍ସ ସଙ୍କେତ ବେହେରା ୧୩ ଓ ସାଇଦୀପ ମହାପାତ୍ର ୧୧ ରନ୍‌ କରିଥିଲେ। କିସ୍‌ ପକ୍ଷରୁ ମୁନା ମଲ୍ଲିକ ୪, ଏନାସ ଶବର ୨, ରୋହିତ ଗମାଙ୍ଗ ୨ ଏବଂ ଚିକୁ ପ୍ରଧାନ ଗୋଟିଏ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଏହି ମ୍ୟାଚକୁ ଦେବୁ ପଟ୍ଟନାୟକ, ଶୁଭୋଦିତ ମୁଖାର୍ଜୀ ଓ ବାସୁ ଶେଖର ପରିଚାଳନା କରିଥିଲେ।
ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର କିରଣ ମୋରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବର୍ଷର ଶ୍ରେଷ୍ଠ ଯୁବ କ୍ରିକେଟର ଭାବେ ଶେଖର ମାଝୀ ଓ ଉଦୀୟମାନ ଖେଳାଳି ଭାବେ ମଙ୍ଗେଶ ଚୌଧୁରୀଙ୍କୁ କ୍ରିକେଟ କିଟ୍‌ ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଡିଏଭିର ସାଇଦୀପ ମହାପାତ୍ର, ଶ୍ରେଷ୍ଠ ବୋଲର କେମ୍ବ୍ରିଜ୍‌ର ସାହିଲ ଉଲ୍ଲା, ଶ୍ରେଷ୍ଠ ଓ୍ଵିକେଟରକ୍ଷକ କିସ୍‌ର ନବିଦତ୍ୟ ମଲ୍ଲିକ, ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି କିସ୍‌ର ମୁନା ମଲ୍ଲିକ ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ବିଜେତା ଦଳର ଏନାସ ଶବରଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ସ୍ୱରୂପ ଏନାସ ଶବରଙ୍କୁ ଏକ ବାଇକ୍‌ ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ମହାନଦୀ କପ୍‌ ଅନ୍ତଃକ୍ଲବ୍‌ ଓ ପିଭିଆର୍‌ ମୂର୍ତ୍ତି ଅନ୍ତଃକ୍ଲବ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ଓ ଉପ ବିଜେତାଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା। ପାରା ଆଥ୍‌ଲେଟ ରାଖାଲ କୁମାର ସେଠୀଙ୍କୁ ୭୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଇଥିଲା। ନିଶାନ୍ତ ମାଜିଥିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡାକ୍ତର ମନୋରଂଜନ ମଲ୍ଲିକ, ଡାକ୍ତର ରାଜେଶ ଦୋରା, ୟୁନିଅନ୍‌ ସ୍ପୋର୍ଟିଂ କ୍ଲବ୍‌ ସମ୍ପାଦକ ପ୍ରଦୀପ ଚୌହାନ, ସତ୍ୟ ମହାନ୍ତି, ସଂଜୀବ ଦତ୍ତ, ନବ ପଟ୍ଟନାୟକ, ଦୀପାଳିବାଳା ଭୂୟାଁ, ସୁନୀଲ ମୁରାକା, ଅନୀଲ ଗିରି, ଅହସାନ ଆକବର ଅଲ୍ଲୀ, ସୂର୍ଯ୍ୟ ଭାଟ୍ସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର