କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବ: କାର୍ତିକ ବିଜେତା, ଦେବାଶିଷ ଶ୍ରେଷ୍ଠ ଓଡ଼ିଆ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏକାଦଶ କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବର ମୁଖ୍ୟ ବର୍ଗ (କାଟେଗୋରି ‘ଏ’)ରେ ଭାରତୀୟ ଆଇଏମ୍‌ କାର୍ତିକ ଭେଙ୍କଟରମଣ ବିଜେତା ମୁକୁଟ ସହ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାତେଇ ନେଇଛନ୍ତି। ୨୩ ଜଣ ଗ୍ରାଣ୍ଡ୍‌ମାଷ୍ଟରଙ୍କ ସହିତ ୭୦ରୁ ଅଧିକ ଟାଇଟଲ୍‌ଧାରୀଙ୍କୁ ପଛରେ ପକାଇ ଦେଇଥିଲେ ଏହି ଆନ୍ଧ୍ରପ୍ରଦେଶ ଯୁବକ। ସେ ୧୦ ରାଉଣ୍ଡ୍‌ ବିଶିଷ୍ଠ ଏହି ପ୍ରତିଯୋଗିତାରୁ ୯ ପଏଣ୍ଟ୍‌ ପାଇ ସ୍ପଷ୍ଟ ଭାବେ ଶୀର୍ଷରେ ଅଭିଯାନ ଶେଷ କରିଥିଲେ। ରୁଷୀୟ ଗ୍ରାଣ୍ଡମାଷ୍ଟର୍‌ ଇଭାନ୍‌ ରୋଜୁମ୍‌, ତାଜିକ୍‌ସ୍ତାନ ଗ୍ରାଣ୍ଡମାଷ୍ଟର୍‌ ଫାରୁକ୍‌ ଅମନାତୋଭ, ୟୁକ୍ରେନୀୟ ଗ୍ରାଣ୍ଡମାଷ୍ଟର୍‌ ମାର୍ଟିନ୍‌ କ୍ରାତସିଭ୍‌ ସମାନ ୮ ପଏଣ୍ଟ୍‌ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଥିଲେ। ଏମାନଙ୍କୁ ଯଥାକ୍ରମେ ୧ ଲକ୍ଷ, ୮୦ ହଜାର, ୭୦ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା।

ଭାରତୀୟ ଗ୍ରାଣ୍ଡମାଷ୍ଟର୍‌ ଦୀପ୍ତାୟନ ଘୋଷ, ଭିଏତନାମ ଜିଏମ୍‌ ମିନ୍‌ ତ୍ରାନ୍‌ ତୁଆନ୍‌, ଓଡ଼ିଶା ଗ୍ରାଣ୍ଡମାଷ୍ଟର୍‌ ଦେବାଶିଷ ଦାସ, ଭାରତୀୟ ଜିଏମ୍‌ ଆର୍‌ ଆର୍‌ ଲକ୍ଷ୍ମଣ, ଆଇଏମ୍‌ ଏସ୍‌ ନୀତିନ, ରୁଷୀୟ ଗ୍ରାଣ୍ଡମାଷ୍ଟର୍‌ ମିଖାଇଲ୍‌ ମୋର୍ଜାରୋଭ୍‌ ସମାନ ୭.୫ ପଏଣ୍ଟ୍‌ ପାଇ ପଞ୍ଚମରୁ ଦଶମ ସ୍ଥାନରେ ରହିଥିଲେ। କିନ୍ତୁ ମୋଟ ୩୫ ଜଣଙ୍କୁ ମୁଖ୍ୟ ବର୍ଗରେ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଦେବଶିଷ ୨୫,୦୦୦ ଟଙ୍କା ଏବଂ ଆଇଏମ୍‌ ସିଦ୍ଧାନ୍ତ ମହାପାତ୍ର (୭ ପଏଣ୍ଟ୍‌, ୨୩ତମ) ୯ ହଜାର ଟଙ୍କା ପାଇଥିଲେ। ଓଡ଼ିଶାରେ ଆୟୋଜିତ ଏହି ବଡ଼ ଚେସ୍‌ ପ୍ରତିଯୋଗିତାରେ କିନ୍ତୁ ଓଡ଼ିଆଙ୍କ ନିରାଶା ଏଥର ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା। ଭେଟେରାନ୍‌ ବର୍ଗରେ ଆଇଏମ ଶେଖର ଚନ୍ଦ୍ର ସାହୁ, ସ୍ୱତନ୍ତ୍ର ବର୍ଗରେ ସୁଶୋଭିତ ଦାସ କେବଳ ପୁରସ୍କୃତ ହୋଇଥିଲେ। ସେହିଭଳି ସି କାଟେଗୋରୀରେ ମଧ୍ୟ ଜଣେ ହେଲେ ଓଡ଼ିଶା ଖେଳାଳି ପୁରସ୍କୃତ ନ ହେବା ଦୁର୍ଭାଗ୍ୟଜନକ ଥିଲା। ପୁରସ୍କାର ବିତରଣ ଉତ୍ସବରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଭାରତର ଗ୍ରିନ୍‌ମ୍ୟାନ୍‌ ଅବଦୁଲ ଘନି, ଏଓସିଏ ସଭାପତି ଶେଖର ଚନ୍ଦ୍ର ସାହୁ, ସମ୍ପାଦକ କେ କେ ଶର୍ମା, ମୁଖ୍ୟ ଆର୍ବିଟର ଦେବାଶିଷ ବରୁଆ, କିଟ୍‌ ଓ କିସ୍‌ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର