କେକେଆର୍‌ ନିକଟତର, ଶଙ୍କାରେ ରୟାଲ୍ସ

କୋଲକାତା,: ଚଳିତ ଆଇପିଏଲ୍‌ର ଏକ ମହତ୍ୱପୂର୍ଣ୍ଣ ମୁକାବିଲାରେ ପୂର୍ବବିଜେତା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମଙ୍ଗଳବାର ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଫଳରେ ମୋଟ ୧୪ ପଏଣ୍ଟ୍‌ ସହ ପ୍ଲେ ଅଫ୍‌ରେ ଗୋଟିଏ ପାଦ ରଖିଛି। ତେବେ ବିଯୁକ୍ତାତ୍ମକ ରନ୍‌ ହାର ପାଇଁ ଏହି ପର୍ଯ୍ୟାୟରେ ସ୍ଥାନ ପକ୍କା କରିବା ଲାଗି କେକେଆରକୁ ନିଜ ଚର୍ତୁଦଶ ତଥା ଶେଷ ମ୍ୟାଚ୍‌ ସହ ଅନ୍ୟଦଳଗୁଡ଼ିକ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍‌ର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଅନ୍ୟପକ୍ଷରେ ରାଜସ୍ଥାନ ହାତରେ ଆଉ ଗୋଟିଏ ମ୍ୟାଚ୍‌ ଥିଲା ବେଳେ ଏହି ଦଳ ଏବେ ୧୨ ପଏଣ୍ଟ ପାଇ ଆଶା ଏବଂ ଆଶଙ୍କାରେ ରହିଛି।
ରାଜସ୍ଥାନ ମଙ୍ଗଳବାର ମାତ୍ର ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ କୋଲକାତା ୪ ଓ୍ଵିକେଟ୍‌ ହରାଇ ୨ ଓଭର ପୂର୍ବରୁ ହାସଲ କରି ନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଲିନ୍‌ ୪୫ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ହେଲେ ଅଧିନାୟକ ଦୀନେଶ କାର୍ତିକ (୪୧* ରନ୍‌, ୨୮ ବଲ୍‌, ୪ ଚୌକା) ଓ ଅଲରାଉଣ୍ଡର ଆନ୍ଦ୍ରେ ରସେଲ (୨୦* ରନ୍‌, ୮ ବଲ୍‌, ୩ ଚୌକା, ୧ ଛକା) ଅବିଭାଜିତ ପଞ୍ଚମ ଓ୍ଵିକେଟ୍‌ରେ ୨୭ ରନ୍‌ ଯୋଡ଼ି ବିଜୟ ପକ୍କା କରି ନେଇଥିଲେ। ରାଜସ୍ଥାନ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଚଳିତ ଋତୁର ତାଙ୍କ ଶେଷ ମ୍ୟାଚ୍‌ରେ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ ମଧ୍ୟ ରାଜସ୍ଥାନକୁ ବିଜୟ ଉପହାର ଦେଇ ପାରି ନଥିଲେ। ରାଜସ୍ଥାନ ସପ୍ତମ ପରାଜୟ ବରଣ କରିଥିଲା ବେଳେ କୋଲକାତା ସପ୍ତମ ବିଜୟ ହାସଲ କରିଥିଲା। ଚାରିଟି ଓ୍ଵିକେଟ୍‌ ନେଇ ରାଜସ୍ଥାନ ପାଳିକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିବା କୁଲଦୀପ ଯାଦବ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପୂର୍ବରୁ ମାତ୍ର ୩.୨ ଓଭରରେ ୫୦ ରନ୍‌ ପୂରଣ କରିଥିବା ରାଜସ୍ଥାନ କୋଲକାତାର ଚାଇନାମ୍ୟାନ୍‌ ସ୍ପିନର କୁଲଦୀପ (୪-୦-୨୦-୪)ଙ୍କ ସ୍ପିନ୍‌ କଳାରେ ଘାଇଲା ହୋଇ ମାତ୍ର ୧୪୨ ରନ୍‌ରେ ଅଟକି ଯାଇଥିଲା। ୭୫ ରନ୍‌ରେ ୨ ଓ୍ଵିକେଟ୍‌ ହରାଇ ଭଲ ସ୍ଥିତିରେ ଥିବା ଏହି ଦଳ କୁଲଦୀପ କମାଲ ପାଇଁ ୩୨ ରନ୍‌ରେ ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲର (୩୯) ବି ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଆଇପିଏଲ୍‌ରେ ଲଗାତାର ଅଧଡଜନେ ଅର୍ଧଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ପାଳି ଶେଷ ଆଡ଼କୁ ପ୍ରତିଟି ରନ୍‌ ପାଇଁ ସଂଘର୍ଷ କରୁଥିବା ରାଜସ୍ଥାନ ଅବଶ୍ୟ ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କ ଦ୍ରୁତ ୨୩ ରନ୍‌ ପାଇଁ କିଛିଟା ସମ୍ମାନ ସାଉଣ୍ଟି ଥିଲା। ଯୁବ ତାରକା ରାହୁଲ ତ୍ରିପାଠୀ ୧୫ ବଲ୍‌ରୁ ୨୭ ରନ୍‌ କରିଥିଲେ। ହେଲେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ସେପଟେ ପ୍ରଥମ ବଲରେ କ୍ୟାଚ୍‌ ହାତଛଡ଼ା କରିଥିବା କୋଲକାତା ବୋଲରମାନେ ୧୦ ବଲ୍‌ରେ ୧୦ ଚୌକା ଖାଇବା ପରେ ଧୈର୍ଯ୍ୟ ନହରାଇ ପରେ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ।
ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୧୯ ଓଭରରେ ୧୪୨ (ଜୋସ୍‌ ବଟଲର ୩୯, ରାହୁଲ ତ୍ରିପାଠୀ ୨୭, ଜୟଦେବ ଉନାଦକଟ ୨୬, କୁଲଦୀପ ଯାଦବ ୪/୨୦, ଆନ୍ଦ୍ରେ ରସେଲ ୨/୧୩, ପ୍ରସିଦ୍ଧ କ୍ରିଷ୍ଣା ୨/୩୫)। କୋଲକାତା ନାଇଟ୍‌ ରାଇଡର୍ସ ୧୮ ଓଭରରେ ୧୪୫/୪ (କ୍ରିସ୍‌ ଲିନ୍‌ ୪୫, ଦୀନେଶ କାର୍ତିକ ୪୧*, ଆନ୍ଦ୍ରେ ରସେଲ ୨୦*, ବେନ୍‌ ଷ୍ଟୋକ୍ସ ୩/୧୫)।

ସମ୍ବନ୍ଧିତ ଖବର