କେକେଆର୍‌ ନିକଟରେ ଅଧିକ ବୋଲିଂ ବିକଳ୍ପ

-ହର୍ଷ ଭୋଗ୍‌ଲେ-

ଜୋସ୍ ବଟଲରଙ୍କ ମାଙ୍କଡିଂ ଆଉଟ୍‌କୁ ନେଇ ସର୍ବତ୍ର ଚର୍ଚା ରହିଥିଲେ ମଧ୍ୟ କିଙ୍ଗ୍ସ ଏକାଦଶ ପଞ୍ଜାବ ନିଜ ଜୟପୁର ପ୍ରଦର୍ଶନର ଆତ୍ମସମୀକ୍ଷା କରିବାକୁ ସୁଯୋଗ ପାଇଛି। ଅଶ୍ବିନଙ୍କ ଦଳ ମ୍ୟାଚ୍‌ରେ ନାଟକୀୟ ମୋଡ ଆଣିଥିଲା। କ୍ରିସ୍ ଗେଲ, ମୁଜିବ ଉର୍ ରହମାନ, ଆର୍ ଅଶ୍ବିନ ଏବଂ ସର୍ଫରାଜ ଖାନ୍‌ଙ୍କ ଫର୍ମ ଦେଖାଇ ଦେଇଥିଲା ଦଳର ସାମର୍ଥ୍ୟ। ସର୍ଫରାଜଙ୍କୁ ନେଇ ରହିଥିବା ସଂଶୟକୁ ମୁଁ ନିଶ୍ଚିତ ସ୍ବୀକାର କରିବି। ଏତେ କମ୍ କ୍ରିକେଟ୍‌ ଖେଳି ସେ ଭଲ ଟଚ୍‌ରେ ରହିଛନ୍ତି। ତାଙ୍କ ନିକଟରେ ସାହସିକତା ରହିଛି ଏବଂ ସ୍ପୁର୍ତି ବି ଦେଖିବାକୁ ମିଳିଛି। ଅନ୍ୟ ପାର୍ଶ୍ବରେ କ୍ରିସ୍ ଗେଲ ଆକ୍ରମଣାତ୍ମକ ଆଭିମୁଖ୍ୟରେ ଥିବାରୁ ତାଙ୍କୁ ଫାଇଦା ମିଳିଥିଲା। କିନ୍ତୁ ସର୍ଫରାଜଙ୍କ ଫିନିସିଂ କ୍ଷମତା କିଙ୍ଗ୍ସ ଏବଂ ରାୟାଲ୍ ମଧ୍ୟରେ ପ୍ରଭେଦ ଆଣିଥିଲା।
ଅଶ୍ବିନ୍‌ଙ୍କୁ ସମସ୍ତେ ଘେରିଥିବାରୁ ଜୟପୁର ଘଟଣାକୁ ପଛରେ ପକାଇବା ଆବଶ୍ୟକ। ବଟଲର୍ ଏବଂ ରାହାଣେଙ୍କ ପରେ ସାମସନ୍‌ ଆସିଥିଲେ। ବୋଲିଂ ବି ସୀମିତ ରହିଥିଲା। ସମ୍ କରନ୍‌ ଆଇପିଏଲ୍ ଭଳି କଷ୍ଟକର ପ୍ରତିଯୋଗିତାରେ ସଫଳତା ପାଇବା ଆଶା ନଥିଲା। କିନ୍ତୁ ସେ ଦଳର ସନ୍ତୁଳନରେ ବଡ଼ ଭୂମିକା ନେବାର ଥିବାରୁ ତୁରନ୍ତ ତ୍ରୁଟି ସୁଧାରିନେବା ଉଚିତ୍‌।
ବୁଧବାର କେକେଆର୍ ସହିତ ଖେଳିବ କିଙ୍ଗସ ଏକାଦଶ ପଞ୍ଜାବ। କେକେଆର୍ ନିକଟରେ ପ୍ରତିପକ୍ଷକୁ ଶାସ୍ତି ଦେବା ଭଳି ବ୍ୟାଟିଂ ଲାଇନ୍ ଅପ୍ ରହିଛି। ଦଳର ବୋଲିଂ ଦୁର୍ବଳତା ମୁଖ୍ୟ ପ୍ରସଙ୍ଗ ହୋଇପାରେ। କିନ୍ତୁ ଏହି ବୋଲିଂ ସମସ୍ୟା ବି ଦଳର ସାମର୍ଥ୍ୟ ଭଳି ଉଭା ହୋଇଛି। ବୋଲିଂ ବ‌ୋଝକୁ ବାଣ୍ଟିନେବା ଲାଗି ୭ ଜଣ ବୋଲର ରହିଛନ୍ତି। ବ୍ୟାଟିଂ ଗଭୀରତା ଏବଂ ବିସ୍ଫୋରଣ କ୍ଷମତା ରଖିଥିବାରୁ ଏହି ଦଳ ଆଗରେ କୌଣସି ଲକ୍ଷ୍ୟ ଧାର୍ଯ୍ୟ କରିବା କଷ୍ଟକର କାର୍ଯ୍ୟ। ଇଡେନ୍ ଗାର୍ଡେନ୍ସରେ ଯଦି କିଙ୍ଗସ ଏକାଦଶ ପଞ୍ଜାବ ପ୍ରଥମେ ବ୍ୟାଟିଂ କରେ ତେବେ ୧୮୦ରୁ ଊର୍ଧ୍ବ ରନ୍ ସହ ଚାପ ପକାଇବାକୁ ପଡ଼ିବ।
ପ୍ରଶଂସକଙ୍କ ପାଇଁ ଭଲ ଖବର ହେଉଛି ଉଭୟ କ୍ରିସ୍ ଗେଲ ଏବଂ ଆନ୍ଦ୍ରେ ରସେଲ ଭଲ ଫର୍ମରୁ ଅଭିଯାନ ଆରମ୍ଭ କରିଛନ୍ତି। କାରବୀୟ ଖେଳାଳିମାନେ ବିଗତ ବର୍ଷଗୁଡ଼ିକରେ ଆଇପିଏଲ୍‌କୁ ଝଲସିତ କରିଛନ୍ତି। ସେମାନେ ଯଦି ପୁଣି ଥରେ ସେଭଳି ପ୍ରଦର୍ଶନ‌ ଦେଖାଇଲେ ସେଥିରେ ମୁଁ ଆଶ୍ଚର୍ଯ୍ୟ ହେବାରେ ନାହିଁ।

ସମ୍ବନ୍ଧିତ ଖବର