କୋହଲିଙ୍କୁ ରିଚାର୍ଡସଙ୍କ ପ୍ରଶଂସା, ‘ତୁମ ଭିତରେ ମୁଁ ସେହି ପାଗଳାମି ଦେଖୁଛି’

ଆଣ୍ଟିଗୁଆ: ଆଣ୍ଟିଗୁଆ ଟେଷ୍ଟର ଠିକ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିଜ ପିଲାଦିନର ଆଦର୍ଶ ତଥା ୱେଷ୍ଟଇଣ୍ଡିଜର ମହାନ ଖେଳାଳି ଭିଭିଆନ୍ ରିଚାର୍ଡସଙ୍କ ସାକ୍ଷାତକାର ନେବାର ସୁଯୋଗ ପାଇଥିଲେ। ଏହି ଅବସରରେ ରିଚାର୍ଡସ ବିନା ହେଲମେଟରେ କିଭଳି ଦ୍ରୁତ ବୋଲରଙ୍କର ସମ୍ମୁଖୀନ ହେଉଥିଲେ ବୋଲି କୋହଲି ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହାର ଉତ୍ତରରେ ରିଚାର୍ଡସ କହିଥିଲେ ମୋର ନିଜ ଉପରେ ଭରସା ଥିଲା। ଏହାକୁ ତୁମେ ଉଦ୍ଧତାମି କହିପାର। ହେଲେ ମୁଁ ମୋ ଖେଳ ଜାଣିଥିଲି। ନିଜକୁ ନିଜେ ଉତ୍ସା‌ହିତ କରୁଥିଲି। ମୁଁ ଭାବୁଥିଲି ବିନା ହେଲମେଟରେ ଖେଳିବାର ଦକ୍ଷତା ମୋର ଅଛି। ଯଦି ମୁଁ ଆହତ ହୁଏ, ତାହାଲେ ଏହା ଭଗବାନଙ୍କ ଇଚ୍ଛା। ଦେହରେ ବଲ୍ ବାଜିବା କ୍ରିକେଟ୍‌ର ଅଂଶବିଶେଷ। ମୁଁ ତୁମ ଭିତରେ କ୍ରିକେଟ୍ ପ୍ରତି ସେହି ପାଗଳାମି ଦେଖିଛି। ‌୬୭ ବର୍ଷୀୟ ରିଚାର୍ଡସ ଏହି ଅବସରରେ କୋହଲିଙ୍କ ଖେଳକୁ ପ୍ରଶଂସା କରିଥିଲେ। ୧୯୯୧ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ଏହି ମହାନ ଖେଳାଳି ୮୫୪୦ ଟେଷ୍ଟ ଏବଂ ୬୭୨୦ ଦିନିକିଆ ରନ୍ କରିଛନ୍ତି। ତାଙ୍କ ବ୍ୟାଟିଂ ଶୈଳୀ ଓ ବେପରୁଆ ଖେଳକୁ କୋହଲି ସବୁବେଳେ ପସନ୍ଦ କରି ଆସିଛନ୍ତି। ରିଚାର୍ଡସ ମଧ୍ୟ କୋହଲିଙ୍କ ବ୍ୟାଟିଂକୁ ବେଶ୍ ପସନ୍ଦ କରୁଥିବା ଏହି ଅବସରରେ କହିଥିଲେ।

ସମ୍ବନ୍ଧିତ ଖବର