କୋହଲି ଓ ଶାସ୍ତ୍ରୀଙ୍କୁ ଏସ୍‌ସିଜି ସଦସ୍ୟତା

ସିଡନି: କ୍ରିକେଟ୍ ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀଙ୍କୁ ସିଡନି କ୍ରିକେଟ୍‌ ଗ୍ରାଉଣ୍ଡ୍ (ଏସ୍‌ସିଜି)ର ସମ୍ମାନସୂଚକ ସଦସ୍ୟତା ପ୍ରଦାନ କରାଯାଇଛି। ୭୧ ବର୍ଷ ପରେ ଅଷ୍ଟ୍ରେଲିଆରେ ଭାରତକୁ ପ୍ରଥମ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଦେବାରେ ଏହି ଦୁଇ ଜଣ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ। ଭାରତୀୟ ଦଳର ଏହି ଐତିହାସିକ ବିଜୟ ଲାଗି ଅଭିନନ୍ଦନ ଜଣାଇବା ସହିତ ବିଶ୍ବ କ୍ରିକେଟ୍‌ରେ ଟେଷ୍ଟ୍‌ର ଗୁରୁତ୍ବକୁ ପୁନଃ ଉପସ୍ଥାପିତ କରିବା ଚମତ୍କାର ଥିଲା’ ବୋଲି ଏସ୍‌ସିଜିର ଅଧ୍ୟକ୍ଷ ଟନି ସେଫର୍ଡ ପ୍ରକାଶ କରିଥିଲେ। ଏଭଳି ସମ୍ମାନଜନକ ଆଜୀବନ ସଦସ୍ୟତା ପାଇଥିବାରୁ ଆମେ ଗର୍ବିତ ବୋଲି ମଧ୍ୟ ଉଭୟ ଶାସ୍ତ୍ରୀ ଓ କୋହଲି କହିଛନ୍ତି।

ଅବସର ପରେ ଆଉ ବ୍ୟାଟ୍‌ ଧରିବିନି: କୋହଲି
ସିଡ୍‌ନି: ଏବେ ଦେଖିବାକୁ ମିଳୁଛି କ୍ରିକେଟର୍‌ମାନେ ଅନ୍ତର୍ଜାତୀୟରୁ ଅବସର ନେବା ପରେ ବିଭିନ୍ନ ସ୍ଥାନରେ ହେଉଥିବା ଟ୍ବେଣ୍ଟି-୨୦ ଲିଗ୍‌ରେ ଖେଳ ଜାରି ରଖୁଛନ୍ତି। କିନ୍ତୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବିପରୀତରେ ଅଛନ୍ତି। ଅବସର ପରେ ଆଉ ବ୍ୟାଟ୍‌ ଧରିବିନି ବୋଲି ସିଡ୍‌ନି ଦିନିକିଆ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ‌କୋହଲି ପ୍ରକାଶ କରିଛନ୍ତି। ଭବିଷ୍ୟତରେ କ‌’ଣ ହେବ ମୁଁ ଜାଣିନି। ଏବେ ଅଧିକ କ୍ରିକେଟ୍‌ ଖେଳିବା ଉପରେ ଧ୍ୟାନ ଦେଉଛି। କେବେ ଭାବିନି ଅନ୍ୟ କ୍ରିକେଟର୍‌ଙ୍କ ପରି ଅବସର ପରେ ଖେଳିବି। ମୁଁ ୫ ବର୍ଷ ହେବ ବହୁତ ଖେଳିଲିଣି। ଆହୁରି ମଧ୍ୟ କ୍ରିକେଟ୍‌ ବାକି ଅଛି, ଅବସର ବିଷୟରେ ଚିନ୍ତା ହିଁ କରିନି। ଯଦି ବି ‌କେବେ ଅବସର ନେଲି ଆଉ ଖେଳିବିନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର