ନଟିଂହାମ୍: ଟ୍ରେଣ୍ଟ୍ବ୍ରିଜ୍ରେ ଭାରତୀୟ ଦଳର ଦମ୍ଦାର ବିଜୟ ପରେ ବିରାଟ କୋହଲି ଭାରତୀୟ ଅଧିନାୟକ ଭାବେ ୨୨ତମ ଟେଷ୍ଟ ଜିତିନେଲେ। ଦୁଇ ଦିନ ତଳେ ଇଂଲଣ୍ଡ ବିପକ୍ଷ ଗୋଟିଏ ଶୃଙ୍ଖଳାରେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ରନ୍ କରିବାରେ ମହମ୍ମଦ ଆଝାରୁଦ୍ଦିନ୍ଙ୍କୁ ଟପି ଯାଇଥିବା କୋହଲି ବୁଧବାର ଟ୍ରେଷ୍ଟ୍ବ୍ରିଜ୍ ଟେଷ୍ଟ ବିଜୟ ସହ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କଲେ। ଟ୍ରେଣ୍ଟ୍ବ୍ରିଜ୍ ଟେଷ୍ଟର ପ୍ରଥମ ପାଳିରେ ୯୭ ଓ ଦ୍ୱିତୀୟ ପାଳିରେ ଶତକ (୧୦୩) ଜମାଇଥିବା କୋହଲି ତିନିଟି ଟେଷ୍ଟରେ ମୋଟ ୪୪୦ ରନ୍ କରିସାରିଛନ୍ତି। ଯାହାକି ଇଂଲଣ୍ଡରେ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ରନ୍ କରିବାରେ ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି। ଏହା ପୂର୍ବରୁ ଆଝାଉଦ୍ଦିନ୍ ଇଂଲଣ୍ଡରେ ଗୋଟିଏ ଶୃଙ୍ଖଳାରେ ୪୨୬ ରନ୍ କରିଥିଲେ। ପୁଣି କୋହଲି ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ଜିତିବାରେ ସେ ସୌରଭ ଗାଙ୍ଗୁଲି (୨୧)ଙ୍କୁ ଟପି ଯାଇଥିଲା ବେଳେ ଭାରତୀୟ କ୍ରିକେଟ୍ ଇତିହାସରେ ଦ୍ୱିତୀୟ ଶ୍ରେଷ୍ଠ ସଫଳ ଅଧିନାୟକ ବିବେଚିତ ହୋଇଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କେବଳ କୋହଲିଙ୍କ ଉପରକୁ ରହିଛନ୍ତି। ଧୋନି ଭାରତର ସୁବୁଠୁ ସଫଳ ଅଧିନାୟକ ଯିଏକି ୬୦ ଟେଷ୍ଟ୍ରେ ନେତୃତ୍ୱ ନେଇ ୨୭ ବିଜୟ ପାଇଥିଲେ। ତେବେ ମୋହଲି ୩୮ ଟେଷ୍ଟ୍ରେ ନେତୃତ୍ୱ ନେଇ ୨୨ତମ ବିଜୟ ହାସଲ କରିଥିବାରୁ ଧୋନିଙ୍କ କୀର୍ତିମାନକୁ ନିକଟ ଭବିଷ୍ୟତରେ କାଟିଦେବାର ସମ୍ଭାବନା ସୃଷ୍ଟି ହୋଇଛି। ୨୦୧୪ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ନେତୃତ୍ୱ ଭାର ଗ୍ରହଣ କରିଥିବା କୋହଲି ୪ ଟେଷ୍ଟରୁ ମୋଟ ୬୯୨ ରନ୍ କରିଥିଲେ। ଯାହାକି ଅଷ୍ଟ୍ରେଲିଆରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ତୁଳନାରେ ସର୍ବାଧିକ ରନ୍ ଥିଲା। ଅଷ୍ଟ୍ରେଲିଆ ଶୃଙ୍ଖଳା ପରେ କୋହଲି ଆଉ ପଛକୁ ଫେରି ଚାହିଁନଥିଲେ। ପରକୁ ପର ସେ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, େଓ୍ଵଷ୍ଟଇଣ୍ଡିଜ୍, ନ୍ୟୁଜିଲାଣ୍ଡ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଆଫ୍ଗାନିସ୍ତାନ ଏବଂ ବାଂଲାଦେଶ ବିପକ୍ଷରେ ଶୃଙ୍ଖଳା ବିଜୟ ହାସଲ କରିଥିଲେ। ତେବେ ଶ୍ରୀଲଙ୍କା ଓ େଓ୍ଵଷ୍ଟଇଣ୍ଡିଜ୍ ବ୍ୟତୀତ ଅନ୍ୟ ସମସ୍ତ ଶୃଙ୍ଖଳା ବିଜୟ ଅବଶ୍ୟ ଘରୋଇ ମାଟିରେ ଥିଲା। ପୁଣି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦକ୍ଷିଣ ଆଫ୍ରିକାରେ ହିଁ ୨ ମ୍ୟାଚ୍ ପରାଜୟ ପରେ ୨-୧ରେ ଶୃଙ୍ଖଳା ଜିତିବା କୋହଲିଙ୍କ ସଫଳତାର ଉଲ୍ଲେଖନୀୟ ଦିଗ ଥିଲା। ତେବେ ବିଦେଶ ମାଟିରେ କୋହଲି (୯ ବିଜୟ) ତୁଳନାରେ ଗାଙ୍ଗୁଲି ୧୧ ଟେଷ୍ଟ ଜିତିଛନ୍ତି। ଧୋନି ମୋଟ ୨୭ରୁ ଦେଶ ଭିତରେ ୨୧ ଓ ବିଦେଶରେ ୬ ଟେଷ୍ଟ ଜିତିଛନ୍ତି। ଏହି ତିନିଜଣଙ୍କ ପଛକୁ ରହିଛନ୍ତି ଆଝାରଉଦ୍ଦିନ୍ (ମୋଟ ୧୪, ଭାରତରେ ୧୩, ବିଦେଶରେ ୧) ଏବଂ ସୁନିଲ ଗାଭାସ୍କର (ମୋଟ ୯, ଭାରତରେ ୭ ଓ ବିଦେଶରେ ୨)।