ଫେଡେରର, ମେସିଙ୍କ ସହ କୋହଲି ତୁଳନୀୟ

ସିଡନି: ଫୁଟବଲ୍ ପାଇଁ ମେସି ଏବଂ ଟେନିସ୍ ପାଇଁ ଫେଡେରର ଯାହା, କ୍ରିକେଟ୍ ପାଇଁ କୋହଲି ତାହା। ଏଭଳି ମନ୍ତବ୍ୟ ଦେଇଛନ୍ତି କୋହଲିଙ୍କର ଜଣେ ପୂର୍ବତନ ପ୍ରଶିକ୍ଷକ। ଗୁରୁବାରଠାରୁ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ଟେଷ୍ଟ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଏହି ବହୁ ପ୍ରତୀକ୍ଷିତ ଶୃଙ୍ଖଳାରେ ସବୁ ନଜର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ। କ୍ରିକେଟ୍‌ର ତିନିଟି ଯାକ ଫର୍ମାଟରେ ୫୦ରୁ ଅଧିକ ହାରରେ ରନ୍ ସଂଗ୍ରହ କରିଥିବା କୋହଲିଙ୍କ ରନ୍ ଭୋକ ଦିନକୁ ଦିନ ବଢ଼ି ଚାଲିଛି। ଦିନକୁ ଦିନ ତାଙ୍କ ପ୍ରତିଭା ଆହୁରି ଶାଣିତ ଏବଂ ନିଖୁଣ ହୋଇଚାଲିଛି। ‌ଏଭଳି ସ୍ଥିତିରେ କୋହଲି ଏବଂ ଅନ୍ୟ ଖେଳାଳିଙ୍କ ମଧ୍ୟରେ ଥିବା ବିରାଟ ଫରକକୁ ବଖାଣିଛନ୍ତି ଏକଦା ରୟାଲ ଚାଲେଞ୍ଜର୍ସ ‌ବାଙ୍ଗାଲୋର ଆଇପିଏଲ୍‌ ଦଳରେ କୋହଲିଙ୍କୁ ପ୍ରଶିକ୍ଷଣ ଦେଇଥିବା ଟ୍ରେଣ୍ଟ୍‌ ଉଡ୍‌ହିଲ। କୋହଲିଙ୍କୁ ଭୂୟଶୀ ପ୍ରଶଂସା କରି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଉଡ୍‌ହିଲ କହିଛନ୍ତି ଯେ ମୁଁ ପୂର୍ବରୁ କହିଛି, କୋହଲି ବିଶ୍ବ କ୍ରୀଡ଼ାର ଚାରି କିମ୍ବଦନ୍ତୀ ଲିଓନେଲ ମେସି, କ୍ରିଷ୍ଟିଆନୋ ରୋନାଲଡୋ, ରୋଜର ଫେଡେରର ଓ ରାଫେଲ ନାଦାଲଙ୍କଠାରୁ କୌଣସି ଗୁଣରେ କମ ନୁହନ୍ତି। କୋହଲି ସେମାନଙ୍କ ସହ ସମାନ। ଶ୍ରେଷ୍ଠ ଖେଳାଳିମାନେ କୌଶଳ ଉପରେ ଅଧିକ ଧ୍ୟାନ ଦେଇ ନଥାଆନ୍ତି। ନିଜ ଖେଳ ମୁଳତତ୍ତ୍ବ ଯେମିତି ଠିକ୍ ରହେ ତା ଉପରେ ସେମାନେ ଅଧିକ ମନ ଲଗାନ୍ତି। କ୍ରିଜ୍‌ରେ ଯେମିତି ସେମାନେ ସନ୍ତୁଳିତ ରହିବେ ତାକୁ ନିଶ୍ଚିତ କରନ୍ତି। ଖେଳର ଯେକୌଣସି ସ୍ଥିତିରେ ସେମାନେ ନିଜ ସ୍ବାଭାବିକ ଖେଳିଚାଲନ୍ତି। କୋହଲି ଏଭଳି ଖେଳାଳିଙ୍କ ମଧ୍ୟରୁ ସର୍ବାଗ୍ରେ ରହିବେ।

ସମ୍ବନ୍ଧିତ ଖବର