କୋହଲି, ଜାଦେଜା ଶତକ ପରେ ଇଣ୍ଡିଜ୍ ଫସିଲା

ରାଜକୋଟ ଟେଷ୍ଟ୍‌ରେ ଭାରତ ଦୃଢ଼, ଭାରତର ୬୪୯/୯ ଜବାବରେ ଇଣ୍ଡିଜ୍ ୯୪/୬

ରାଜକୋଟ୍: ରାଜକୋଟ୍ ଟେଷ୍ଟ୍‌େର ଭାରତର ରାଜ ଜାରି ରହିଛି। ବିରାଟ କୋହଲିଙ୍କ ଦଳ ପ୍ରଥମ ପାଳିରେ ୫୦୦ ପାଖାପାଖି ଅଗ୍ରଣୀ ‌ନେବାର ସମ୍ଭାବନା ‌େଦଖା ‌େଦଇଛି। ଶୁକ୍ରବାର ଦ୍ବିତୀୟ ଦିବସରେ ବିରାଟ କୋହଲି ଓ ରବୀନ୍ଦ୍ର ଜାଦେଜାଙ୍କ ଆକର୍ଷଣୀୟ ଶତକ ସାଙ୍ଗକୁ ଋଷବ ପନ୍ତଙ୍କ ବିସ୍ଫୋରକ ୯୨ ରନ୍ ବଳରେ ଘରୋଇ ଦଳ ୬୪୯/୯ରେ ପାଳି ଘୋଷଣା କରିଥିଲା। ଜବାବରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ୯୪ ରନ୍‌ରେ ୬ ୱିକେଟ୍‌ ହରାଇ ଫଲୋଅନ୍ ‌େଖଳିବା ଆଶଙ୍କା ଭିତରେ ପଡ଼ିଛି। ରାଜକୋଟ୍ ଟେଷ୍ଟ୍‌ରେ ପାରମ୍ପାରିକ ଭାବେ ତୃତୀୟ ଦିନ ଭଲ ବ୍ୟାଟିଂ ପାଇଁ ଅନୁକୂଳ ଥାଏ। କିନ୍ତୁ ଏଥର ପ୍ରଥମ ଓ ଦ୍ବିତୀୟ ଦିନ ହିଁ ରନ୍ ବର୍ଷା କରିଛି ଭାରତ। ଶୁକ୍ରବାର ସକାଳେ ବିରାଟ କୋହଲି ଏବଂ ଋଷବ ପନ୍ତ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। କୋହଲି ଦାୟିତ୍ବର ସହ ଖେଳୁଥିବାବେଳେ ଯୁବ ୱିକେଟରକ୍ଷକ ବ୍ୟାଟସମ୍ୟାନ୍ ଋଷବ କିନ୍ତୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଇଂଲଣ୍ଡ ଗସ୍ତରେ ଛକା ମାରି ଟେଷ୍ଟ୍ କ୍ରିକେଟ୍‌କୁ ଆସିଥିବା ପନ୍ତ ଏଠାରେ ମଧ୍ୟ ଏହାର ଜଲୱା ଦେଖାଇଥିଲେ। ଛକା ମାରି ଅର୍ଧଶତକ ପୂର୍ଣ୍ଣ କରିବା ପରେ ୮୪ ବଲ୍‌ ଖେଳି ୯୨ ରନ୍‌ରେ ଆଉଟ୍ ହେ‌ାଇଯାଇଥିଲେ। ଏହା ମଧ୍ୟରେ ୮ ଚୌକା ଓ ୪ ଛକା ସାମିଲ ଥିଲା। ୯୨ ରନ୍‌ରେ ପହଞ୍ଚିବା ସତ୍ତ୍ବେ କାଓ କର୍ନର ଉପରେ ଛକା ମାରିବାକୁ ଯାଇ ବ୍ୟାକୱାର୍ଡ ପଏଣ୍ଟ୍‌ରେ କି‌େମା‌ ପଲଙ୍କ ହାତରେ ଧରାପଡ଼ି ଲଗାତାର ପାଳିରେ ଶତକ ହ‌ାସଲରୁ ବଞ୍ଚିତ ହୋଇଥିଲେ। ଏହା ପୂର୍ବରୁ କିନ୍ତୁ କୋହଲି ନିଜର ୨୪ତମ ଶତକ ଏବଂ ଭାରତରେ ୩୦୦୦ ରନ୍ ପୂର୍ଣ୍ଣ କରି ନେଇଥିଲେ। ଏହି ପାଳି ଅବସରରେ କୋହଲି ମଧ୍ୟ ଚଳିତ ବର୍ଷ ନିଜର ୧୦୦୦ ଟେଷ୍ଟ୍‌ ରନ୍ ପୂର୍ଣ୍ଣ କରିଥିଲେ। କୋହଲି (୧୩୯, ୨୩୦ ବଲ୍‌, ୧୦ ଚୌକା)ଙ୍କୁ ସେର୍ମନ ଲୁଇସ୍ ଆଉଟ୍ କରିବା ପରେ ନିମ୍ନକ୍ରମଙ୍କୁ ନେଇ ରବୀନ୍ଦ୍ର ଜାଦେଜା ଭାରତ ପାଳିକୁ ଆଗକୁ ନେଇଥିଲେ। ପ୍ରଥମ ଦିନ ସ୍ଥାନୀୟ ଖେଳାଳି ଚେତେଶ୍ବର ପୂଜାରା (୮୬) ଶତକ ସ‌ୁଯୋଗ ହାତଛଡ଼ା କରିଥିବାବେଳେ ଜାଦେଜା ଏଭଳି ସ‌ୁଯୋଗ ପାଇବେ ନାହିଁ ବୋଲି ଆଶଙ୍କା ସୃଷ୍ଟି‌ ହୋଇଥିଲା। କିନ୍ତୁ ଜାଦେଜା ନିଜେ ସୁଯୋଗ ସୃଷ୍ଟି କରିଥିଲେ। ପ୍ରଥମ ୫୦ ରନ୍ ସେ ୮୭ ବଲ୍‌ରୁ ସଂଗ୍ରହ କରିଥିବାବେଳେ ଦ୍ବିତୀୟ ୫୦ ରନ୍ ପାଇଁ ମାତ୍ର ୪୫ ବଲ୍‌ ଖେଳିଥିଲେ। ଅଶ୍ବିନ, କୁଲଦୀପ ସଅଳ ଆଉଟ ହୋଇଯିବାରୁ ଭାରତ ୫୭୧/୮ରେ ପହଞ୍ଚିଥିଲା। ରବୀନ୍ଦ୍ର ଜାଦେଜା (୧୦୦*, ୧୩୨ ବଲ୍, ୫ ଚୌକା,୫ ଛକା)ଙ୍କ ପାଇଁ ଭାରତ ମଝି ଅଧିବେଶନରେ ୩୧.୫ ଓଭର ଖେଳି ୪ ୱିକେଟ୍ ହରାଇବା ସତ୍ତ୍ବେ ୧୪୩ ରନ୍ ଯୋଡ଼ି ନେଇଥିଲା। ଉମେଶ ଯାଦବ (୨୨, ୨୪ ବଲ) ମଧ୍ୟ ଦୁଇଟି ଆକର୍ଷଣୀୟ ଛକା ମାରିଥିଲେ। ଚା’ପାନ ବିରତିର ଶେଷ ଓଭରରେ ଜାଦେଜା ଏକ ସିଙ୍ଗଲ ରନ୍ ନେଇ ନିଜ ବହୁ ପ୍ରତୀକ୍ଷିତ ପ୍ରଥମ ଟେଷ୍ଟ୍ ଶତକ ସ୍ବପ୍ନ ପୂରଣ କରିଥିଲେ। ୨୦୧୨ ମସିହାରେ ଟେଷ୍ଟ୍ ପଦାର୍ପଣ କରିଥିବା ଜାଦେଜା ପୂର୍ବରୁ ଥରେ ମାତ୍ର ୯୦ ରନ୍ କରିଥିଲେ।

ରନ୍ ବୋଝ ସହିତ ପଡ଼ିଆକୁ ଆସିଥିବା ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କୁ ମହମ୍ମଦ ସାମି ଲଗାତାର ଓଭରରେ ଝଟକା ‌େଦଇ ପ୍ରାରମ୍ଭିକ ଯୋଡ଼ି କ୍ରେଗ୍ ବ୍ରାଥ୍‌ୱେଟ୍ (୨) ଏବଂ କିରଣ ପାୱେଲ (୧)ଙ୍କୁ ଆଉଟ୍ କରିଦେବା ପରେ ଅବଶିଷ୍ଟ କାମକୁ ସ୍ପିନରମାନେ କରିଥିଲେ। ଆର୍ ଅଶ୍ବିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିବାବେଳେ ଅନ୍ୟଟି ରନ୍ ଆଉଟ୍ ଥିଲା। ଆଶା ମୁତାବକ ଇଣ୍ଡିଜ୍ ପାଳି ସଂଘର୍ଷ କରିଥିଲା।

ଜାଦେଜାଙ୍କ କୌତୁକିଆ ରନ୍ ଆଉଟ୍
ରାଜକୋଟ୍: କ୍ରିକେଟ୍‌ ପଡ଼ିଆ‌େର ଅନେକ ମଜାଳିଆ ମୁହୂର୍ତ ନଜରକୁ ଆସିଥାଏ। ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍ ପଡ଼ିଆ ମଧ୍ୟ ଏଭଳି ଏକ ଦୃଶ୍ୟ ନଜରକୁ ଆସିଥିଲା।‌ ୱେଷ୍ଟଇଣ୍ଡିଜ ପାଳିର ୧୨ତମ ଓଭରରେ ଆଶ୍ବିନ୍ ପ୍ରତିପକ୍ଷ ସିମରନ୍ ହେଟମାୟରଙ୍କୁ ବୋଲିଂ କରିଥିଲେ। ହେଟମାୟରର ଏହାକୁ ମିଡ୍ ୱିକେଟ୍ ଆଡ଼କୁ ଖେଳି ରନ୍ ନେଇଥିଲେ ମଧ୍ୟ ପରେ ମନ ବଦଳାଇ ଦେଇଥିଲେ। ସେତେବେଳକୁ‌ କିନ୍ତୁ ମଝି କ୍ରିଜରେ ସାଥୀ ଖେଳାଳି ସୁନୀଲ ଅମ୍ରିସଙ୍କ ପାଖାପାଖି ହୋଇଯାଇଥିଲେ। ଜାଦେଜା ବଲ୍‌କୁ ସଂଗ୍ରହ କରିବା ପରେ ଅଶ୍ବିନଙ୍କ ପାଖକୁ ନ ଫିଙ୍ଗି କିଛି ସମୟ ଅପେକ୍ଷା କରିଥିଲେ। ହେଟମାୟର ନନ୍‌ଷ୍ଟ୍ରାଇକିଂ ପାର୍ଶ୍ବକୁ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜାଦେଜାଙ୍କ ସିଧାସଳଖ ଥ୍ରୋ ସ୍ବଭାଗ୍ୟବଶତଃ ଷ୍ଟମ୍ପ୍ ଛୁଇଁଥିଲା। ହେଟମାୟର୍ ୧୦ ରନରେ ପ୍ୟାଭିଲିଅନ୍‌ ଫେରିଥିଲେ। ପୂର୍ବରୁ ଜାଦେଜା ନିଜର ୩୮ତମ ଟେଷ୍ଟ୍‌ରେ ବହୁ ପ୍ରତୀକ୍ଷିତ ପ୍ରଥମ ଶତକ ଅର୍ଜନ କରିଥିଲେ, ତା ପୁଣି ନିଜ ସହର ପଡ଼ିଆରେ।

୨୪ ଶତକ: କୋହଲି ଦ୍ବିତୀୟ ଦ୍ରୁତତମ
ବିରାଟ କୋହଲି ଶୁକ୍ରବାର ନିଜ ଟେଷ୍ଟ ଜୀବନର ୨୪ତମ ଶତକ ହାସଲ କରିବା ସହିତ ଏ କ୍ଷେତ୍ରରେ ସେ ବିଶ୍ବର ଦ୍ବିତୀୟ ଦ୍ରୁତତମ ହୋଇଛନ୍ତି। କେବଳ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସାର୍ ଡନ୍ ବ୍ରାଡମ୍ୟାନ୍ ହିଁ କୋହଲିଙ୍କଠାରୁ ଆଗରେ ରହିଛନ୍ତି। କୋହଲି ଏହ‌ି ମାଇଲଖୁଣ୍ଟ୍ ପାଇଁ ୧୨୩ ପାଳି ଖେଳିଥିବାବେଳେ ବ୍ରାଡମ୍ୟାନ୍ ମାତ୍ର ୬୬ ପାଳି ଭିତରେ ୨୪ ଶତକ ମାରିଥିଲେ। ସଚିନ ତେନ୍ଦୁଲକର (୧୨୫ ପାଳି), ସୁନୀଲ ଗାଭାସ୍କର (୧୨୮) ତାଙ୍କ ପଛକୁ ପଛ ରହିଛନ୍ତି। ଗତବର୍ଷ ଇଣ୍ଡିଜ୍ ବିପକ୍ଷରେ ନିଜର ପ୍ରଥମ ଦ୍ବିଶତକ ହାସଲ କରିଥିବା କୋହଲି ଏହ‌ି ଦେଶ ବିପକ୍ଷରେ ମାତ୍ର ୨ ଶତକ ମାରିଛନ୍ତି। ୨୪ ଶତକ ସହିତ କୋହଲି ମଧ୍ୟ ୱେଷ୍ଟଇଣ୍ଡିଜ୍‌ର ଭିଭିଆନ୍ ରିଚାର୍ଡସ, ପାକିସ୍ତାନର ମହମ୍ମଦ ୟୁସୁଫ, ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲ ପ୍ରମୁଖଙ୍କ ସମକକ୍ଷ ହେ‌ାଇଛନ୍ତି। ଘରୋଇ ମାଟିରେ ଏହା କୋହଲିଙ୍କ ୧୧ ଶତକ। ଭ‌ାରତୀୟଙ୍କ ମଧ୍ୟରେ କୋହଲିଙ୍କଠାରୁ ଏବେ କେବଳ ସଚିନ ତେନ୍ଦୁଲକର (୫୧), ରାହୁଲ ଦ୍ରାବିଡ଼ (୩୬), ସୁନୀଲ ଗାଭାସ୍କର (୩୪) ଅଧିକ ଟେଷ୍ଟ୍ ଶତକ ହାସଲ କରିଛନ୍ତି। ଚଳିତ ବର୍ଷ କୋହଲି ମୋଟ ୪ ଶତକ ହାସଲ କରିଛନ୍ତି ଯାହାକି ଅନ୍ୟ କୌଣସି ଖେଳାଳି ୨ ଟପିନାହାନ୍ତି। ଅନ୍ୟ କୌଣସି ଭାରତୀୟ ମଧ୍ୟ ଏକରୁ ଅଧିକ ଶତକ ହାସଲ କରିନାହାନ୍ତି ଚଳିତବ‌ର୍ଷ। ମୋମିନୁଲ ହକ୍, ଗ୍ରେଗ୍ ବ୍ରାଥୱେଟ, କୁସାଲ ମେଣ୍ଡିଜ୍, ଏ‌େଦନ ମର୍କରାମ ୨ ଲେଖାଏଁ ଶତକ ହାସଲ କରିଛନ୍ତି।

ଅଧିନାୟକ କୋହଲିଙ୍କ ୩୦
ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ଅଧିନାୟକ ଭାବେ ୩୦ ଶତକ ହାସଲ କରିଛନ୍ତି। ଅଣ ଅଧିନାୟକ ତୁଳନାରେ କୋହଲି ଅଧିନାୟକ ଭାବେ ଅଧିକ ଶତକ ମାରିବାରେ ଅନ୍ୟ ସମସ୍ତଙ୍କୁ କାଟି ଦେଇଛନ୍ତି। ଅଣ ଅଧିନାୟକ ଭାବେ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୯ ଶତକ ମାରିଥିଲେ। କିନ୍ତୁ ଶତକ ଭାବେ ଏବେ ୧୩୪ ପାଳିରୁ ୩୦ ଶତକ ହାସଲ କରି ସାରିଛନ୍ତି। ମାତ୍ର ଦୁଇ ଜଣ ଅଧିନାୟକ ଭାବେ କୋହଲିଙ୍କଠାରୁ ଅଧିକ ଶତକ ହାସଲ କରିଛନ୍ତି। ସେମା‌େନ ହେଲେ-ରିକି ପଣ୍ଟିଂ (୪୧, ୨୨୫ ପାଳି), ଗ୍ରେମ୍ ସ୍ମିଥ୍ (୩୩, ୩୩୩ ପାଳି)। ସେହିଭଳି ୪ ନମ୍ବର ସ୍ଥାନରେ କୋହଲି ୨୦ ଶତକ ହାସଲ କରିଛନ୍ତି। ଏହ‌ି ସ୍ଥାନରେ ବ୍ୟାଟିଂ କରି ୨୦ରୁ ଊର୍ଧ୍ବ ଶତକ ହାସଲ କରିବାରେ ସେ ବିଶ୍ବର ପଞ୍ଚମ। ସଚିନ ତେନ୍ଦୁଲକର, ବ୍ରାଏନ୍ ଲାରା, ଜ୍ୟାକ୍ କାଲିସ, ମାହେଲା ଜୟବର୍ଧନେ ଏହି ତାଲିକାରେ ଅଛନ୍ତି। କୋହଲି ୮୨ ପାଳିରୁ ୨୦ ଶତକ ମାରିଥିବାବେଳେ ଏହି ୫ ଜଣଙ୍କ ମଧ୍ୟରେ ଦ୍ରୁତତମ। କାଲିସ ୯୧ ପାଳିରୁ ୨୦ ଶତକ ମାରିଥିଲେ। କୋହଲି ମଧ୍ୟ ଶୁକ୍ରବାର ଲଗାତାର ତୃତୀୟ ବର୍ଷ ପାଇଁ ୧୦୦୦ ରନ୍ ପୂରଣ କରିଥିଲେ। ଲଗାତାର ତୃତୀୟ ବର୍ଷ ଏଭଳି କରିଛନ୍ତି କୋହଲି। ଏ କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ଏବଂ ବିଶ୍ବର ଷଷ୍ଠ ବ୍ୟାଟସମ୍ୟାନ୍। ମାଥ୍ୟୁ ‌ହେଡେନ୍ (୨୦୦୧-୨୦୦୫) ସର୍ବାଧିକ ୫ ବର୍ଷ ଏବଂ ଷ୍ଟିଭେନ୍ ସ୍ମିଥ୍ (୨୦୧୪-୨୦୧୭) ଲଗାତାର ୪ ବ‌ର୍ଷ ଏଭଳି କରିଛନ୍ତି।

ସମ୍ବନ୍ଧିତ ଖବର