କୋହଲି କିମିଆରେ ପଲଟିଲା ପଲ୍ଲା

ବିଶ୍ୱ କ୍ରିକେଟରେ କିଛିଦିନର ବାତାବରଣ ଥିଲା ଏୟା: ପୂର୍ବ ଦୁଇଥରର ଇଂଲଣ୍ଡ ଗସ୍ତବେଳେ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ ‘ଚାପରେ ଅଛନ୍ତି’ ବୋଲି କହିକହି ତାଙ୍କୁ ସତରେ ଚାପଗ୍ରସ୍ତ କରିବା କାମରେ କିଛି ବିଶେଷଜ୍ଞ ପ୍ରଥମ ଟେଷ୍ଟ ପୂର୍ବରୁ ଲାଗିପଡ଼ିଥିଲେ। ସଂକଟରେ ସାଧାରଣତଃ ନିଜେ ଚାପଗ୍ରସ୍ତ ନ ହୋଇ ବିପକ୍ଷ ଦଳକୁ ଚାପଗ୍ରସ୍ତ କରିବା କଳାରେ ନିପୁଣ କୋହଲି କିନ୍ତୁ ଏହି ବିଶେଷଜ୍ଞମାନଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି।

ବର୍ମିଂହାମ୍‌: ବର୍ମିଂହାମ୍‌ରେ ବି ବରାଟ ପାଳି ଖେଳିଲେ କୋହଲି। ଭାରତ ପ୍ରଥମ ପାଳିରେ ୧୩ ରନ୍‌ ପଛରେ ରହିଯାଇଥିଲେ ମଧ୍ୟ କୋହଲିଙ୍କ ଶତକ ପ୍ରଥମ ଟେଷ୍ଟ୍‍ର ପ୍ରଥମ ପାଳିକୁ ସମତୁଲ କରିଦେଇଛି। ଇଂଲଣ୍ଡର ୨୮୭ ରନ୍‌ ଜବାବରେ ଭାରତ ୨୭୪ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଛି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ୧ ଓ୍ଵିକେଟରେ ୯ ରନ୍‌ କରିଛି। ପ୍ରଥମ ପାଳି ଭଳି ଆଲେଷ୍ଟର କୁକ୍‌ (୦)ଙ୍କ ଓ୍ଵିକେଟ୍‌ ନେଇଛନ୍ତି ଅଶ୍ୱିନ। ଏଥିସହ ଡେଭିଡ୍‌ ଓ୍ଵାର୍ନର୍‌ ଏବଂ କୁକ୍‌ଙ୍କୁ ଅଶ୍ୱିନ୍‌ ସର୍ବାଧିକ ୯ ଥର ଆଉଟ୍‌ କରିଛନ୍ତି। ଗୁରୁବାର ୨୮୫/୯ରୁ ଖେଳିଥିବା ଇଂଲଣ୍ଡ ୧୦ ବଲ୍‌ ଖେଳି ୭ ରନ୍‌ ଯୋଡ଼ି ଶେଷ ଓ୍ଵିକେଟ୍‌ଟି ହରାଇଥିଲା। ସାମ୍‌ କୁରାନ୍‌ (୨୪)ଙ୍କୁ ଓ୍ଵିକେଟ୍‌ ପଛପଟେ ଦୀନେଶ କାର୍ତିକଙ୍କ ଦ୍ୱାରା କ୍ୟାଚ୍‌ କରାଇ ମହମ୍ମଦ ସାମି ଇଂଲଣ୍ଡ ପାଳିରେ ସାମପ୍ତି ଆଣିଥିଲେ। ଇଂଲଣ୍ଡ କିନ୍ତୁ ବୋଲିଂ ବେଳକୁ ପ୍ରଥମରୁ ଭାରତକୁ ଅସୁବିଧାରେ ପକାଇ ପାରିନଥିଲା। ଅଭିଜ୍ଞ ଯୋଡ଼ି ଆଣ୍ଡରସନ୍‌ ଏବଂ ବ୍ରଡ୍‌ଙ୍କୁ ପ୍ରତିହତ କରି ମୁରଲୀ ବିଜୟ ଏବଂ ଶିଖର ଧାଓ୍ଵନ ୧୧.୧ ଓଭରରେ ବିନା କ୍ଷତିରେ ୫୦ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇବା ପରେ ଭାରତ ପ୍ରଭାବ ପକାଇବ ବୋଲି ଆଶା ଥିଲା। କିନ୍ତୁ ୮ ବଲ୍‌ ମଧ୍ୟରେ ଯୁବ ବାମହାତୀ ଦ୍ରୁତ ବୋଲର୍‌ ସାମ୍‌ କୁରାନ୍‌ ୩ ଓ୍ଵିକେଟ୍‌ ବାହାର କରିନେଇ ଭାରତ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। ବିଜୟ ଲେଗ୍‌ ବିଫୋର୍‌ ଓ୍ଵିକେଟ୍‌ ହେବା ପରେ ଲୋକେଶ ରାହୁଲ କିନ୍ତୁ ଦାୟିତ୍ୱହୀନ ସଟ୍‌ ଖେଳି ଓ୍ଵିକେଟ୍‌ ଫିଙ୍ଗି ଦେଇଥିଲେ। ନିଜର ପରବର୍ତୀ ଓଭରରେ କୁରାନ୍‌ ବାମହାତୀ ଧାଓ୍ଵନଙ୍କୁ ସ୍ଲିପ୍‌ରେ ମଲାନଙ୍କ ହାତରେ କାବୁ କରାଇ ନେଇଥିଲେ। ହଠାତ୍‌ ଭାରତ ୫୦/୦ରୁ ୫୯/୩ରେ ପହଞ୍ଚିଯାଇଥିଲା। ଅଧିନାୟକ ବିରାଟ କୋହଲିଙ୍କ ସହ ଯୋଗ ଦେଇଥିଲେ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ। କିନ୍ତୁ ରାହାଣେ ଏବଂ ଓ୍ଵିକେଟରକ୍ଷକ ଦୀନେଶ କାର୍ତିକଙ୍କୁ ବେନ୍‌ ଷ୍ଟୋକ୍‌ସ ନିଜର ଲଗାତାର ଓଭରରେ ଆଉଟ୍‌ କରିଦେବାରୁ ଭାରତ ୧୦୦ ରନରେ ଅଧା ଖେଳାଳିଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ରିଭ୍ୟୁ ଜରିଆରେ ଆଉଟ୍‌ରୁ ବର୍ତିଥିବା ହାର୍ଦିକ ପାଣ୍ଡ୍ୟା (୨୨, ୫୨ ବଲ, ୩ ଚୌକା)ଙ୍କୁ ନେଇ କୋହଲି ୪୮ ରନର ଭଲ ଭାଗୀଦାରି କରିଥିଲେ। କିନ୍ତୁ ସେହି ରିଭ୍ୟୁ ଜରିଆରେ ହିଁ ପାଣ୍ଡ୍ୟାଙ୍କ ଓ୍ଵିକେଟ୍‌ ନେଇ ଇଂଲଣ୍ଡ ପ୍ରତ୍ୟାବର୍ତନ କରିଥିଲା। ଚା’ପାନ ବିରତି ପରେ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କୁ ବୋଲ୍‌ଡ କରି ଆଣ୍ଡରସନ୍‌ ପ୍ରଥମ ଓ୍ଵିକେଟ୍‌ ପାଇବା ପରେ ମହମ୍ମଦ ସାମିଙ୍କୁ ସ୍ଲିପ୍‌ରେ ମଲାନଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ଗୁରୁବାର ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୨୧ ଓଭରରେ ୭୬/୩ ଏବଂ ଚା’ପାନ ବିରତି ସୁଦ୍ଧା ୪୮ ଓଭରର ୧୬୦/୬ରେ ସଂଘର୍ଷ କରୁଥିବାବେଳେ କୋହଲି ଏକା ସଂଗ୍ରାମ ଜାରି ରଖିଥିଲେ। ଶେଷକୁ କୋହଲି ୧୧ ନମ୍ବର ବ୍ୟାଟସମ୍ୟାନ୍‌ ଉମେଶ ଯାଦବଙ୍କୁ ସୀମିତ ସୁଯୋଗ ଦେଇ ନିଜ ୨୨ତମ ଟେଷ୍ଟ୍‍ ଶତକ (୧୪୯, ୨୨୫ ବଲ୍‌, ୨୨ ଚୌକା, ୧ ଛକା) ହାସଲ କରି ନେଇଥିଲେ। ଇଂଲଣ୍ଡ ବିପକ୍ଷରେ ଏହା ଚତୁର୍ଥ ଟେଷ୍ଟ୍‍ ଶତକ ହୋଇଥିଲେ ମଧ୍ୟ ଇଂଲଣ୍ଡ ମାଟିରେ ପ୍ରଥମ। ଉମେଶଙ୍କ ସହିତ ଯୋଡ଼ିଥିବା ୫୭ ରନ୍‌ ଭାରତକୁ ମନସ୍ତାତ୍ତ୍ୱିକ ବିଜୟ ଭଳି ହୋଇଛି। ଏଥିରେ ଉମେଶ ୧୬ ବଲ୍‌ ଖେଳି ୧* ରନ୍‌ର ଅବଦାନ ରଖିଥିଲେ। ଆଦିଲ ରସିଦ୍‌ଙ୍କୁ ଲଙ୍ଗ୍‌ ଅନ୍‌ ଉପରେ ଛକା ମାରିବାର ପରବର୍ତୀ ବଲ୍‌ରେ କୋହଲି ପଏଣ୍ଟ୍‌ ଅଞ୍ଚଳରେ ବ୍ରଡ୍‌ଙ୍କ ହାତରେ ଧରା ପଡ଼ିଥିଲେ। କୋହଲିଙ୍କ ୧୪୯ ରନ୍‌ ପରେ ଭାରତ ପାଳିର ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ରନ୍‌ ଥିଲା ୨୬ (ଧାଓ୍ଵନ୍‌)।

ରିଭ୍ୟୁ ମାଳ: ଚଳିତ ଟେଷ୍ଟ୍‍ରେ ଏକାଧିକ ରିଭ୍ୟୁ ନିଷ୍ପତ୍ତି ମଧ୍ୟ କ୍ରିକେଟରେ ବୈଷୟିକ ଦିଗର ଗୁରୁତ୍ୱ ବଢ଼ିଥିବା ପ୍ରମାଣିତ କରିଛି। ବିଶେଷ କରି ଭାରତର ପ୍ରଥମ ପାଳିରେ ଅଧା ଡଜନେରୁ ଊର୍ଧ୍ୱ ରିଭ୍ୟୁ ନଜରକୁ ଆସିଥିଲା। ବିଜୟ ଏବଂ ପାଣ୍ଡ୍ୟା ଥରେ ଲେଖାଏଁ ବର୍ତିଥିବା ବେଳେ ଦ୍ୱିତୀୟ ରିଭ୍ୟୁ ହାରି ଆଉଟ୍‌ ହୋଇଥିଲେ। ଈଶାନ୍ତ ୨ ଥର ବର୍ତିଥିବାବେଳେ ତୃତୀୟ ଥର ଆଉଟ୍‌ ନ ଥିଲେ ମଧ୍ୟ ଏହା ଉପଯୋଗ ନ କରି ଆଉଟ୍‌ ହୋଇଥିଲେ। ପାକିସ୍ତାନୀ ଅମ୍ପାୟାର୍‌ ଅଲିମ୍‌ ଦର ୨ ଠିକ୍‌ ୨ ଭୁଲ୍‌ ଏବଂ ନ୍ୟୁଜିଲାଣ୍ଡ୍‌ ଅମ୍ପାୟାର୍‌ କ୍ରିସ୍‌ ଜାଫାନି ମଧ୍ୟ ସମାନ ୩ ଥର ଠିକ୍‌ ଓ ୩ ଥର ଭୁଲ୍‌ ସାବ୍ୟସ୍ତ ହୋଇଥିଲେ।

ପୂଜାରାଙ୍କୁ ବାଦ୍‌ ମହଙ୍ଗା
ବର୍ମିଂହାମ୍‌: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‍ରୁ ଚେତେଶ୍ୱର ପୂଜାରାଙ୍କୁ ବାଦ୍‌ ଦିଆଯିବା ଭାରତ ପାଇଁ ମହଙ୍ଗା ପଡ଼ିଛି। ଟେଷ୍ଟ୍‍ କ୍ରିକେଟ୍‌ରେ ପୂଜାରାଙ୍କ ହାରାହାରି ୫୦.୩୪ ରହିଛି। କିନ୍ତୁ ଏଜବାଷ୍ଟନ୍‌ ଟେଷ୍ଟ୍‍ ପୂର୍ବରୁ ଭଲ କରୁନଥିଲେ। ଏପରିକି କାଉଣ୍ଟି କ୍ରିକେଟ୍‌ରେ ବି ପ୍ରଭାବହୀନ ରହିଥିଲେ। କିନ୍ତୁ ତାଙ୍କ ବଦଳରେ ଯିଏ (ଶିଖର ଧାଓ୍ଵନ) ଦଳରେ ସ୍ଥାନ ପାଇଥିଲେ ସେ ମଧ୍ୟ କିଛି ଅଧିକ ପ୍ରଭାବୀ ପ୍ରଦର୍ଶନ କରିନଥିଲେ। ପୂଜାରାଙ୍କ ବଦଳରେ ରାହୁଲଙ୍କୁ ନିଆଯାଇଥିବା କୁହାଯାଇପାରିବ। କିନ୍ତୁ ସେ ଜଣେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଯିଏ ୩ ନମ୍ବରରେ ଖେଳୁଛନ୍ତି। କିନ୍ତୁ ଜଣେ ୩ ନମ୍ବର ଖେଳାଳିଙ୍କୁ ବଳି ପକାଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ଙ୍କୁ ଖେଳାଇବା ଯୁକ୍ତିସଂଗତ ନୁହେଁ। ଏପରିକି ବିଗତ ୫ ଘରୋଇ ଟେଷ୍ଟ୍‍ରେ ଧାଓ୍ଵନ ୨୪.୭୫ ହରରେ ରନ୍‌ କରିଥିବାରୁ ଇଂଲଣ୍ଡରେ ଖେଳିବାକୁ ତାଙ୍କ ନିକଟରେ ବୈଷୟିକ କ୍ଷମତା ନଥିବା ଯୁକ୍ତି ଉଠିଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ରୋହିତ ଶର୍ମାଙ୍କ ବଦଳରେ ଅଜିଙ୍କ୍ୟ ରାହାଣେଙ୍କୁ ଖେଳାଇବା ପରେ ତୃତୀୟ ଟେଷ୍ଟ୍‍ ଜିତି ସମ୍ମାନ ବଞ୍ଚାଇଥିବା କୋହଲି କିଛି ଶିଖିଥିବା ଭଳି ମନେ ହେଉନାହିଁ।

ସମ୍ବନ୍ଧିତ ଖବର