କୋହଲି ଏକ ନମ୍ବର

ଆଇସିସି ଟେଷ୍ଟ୍‍ ବ୍ୟାଟିଂ ମାନ୍ୟତା ଶୀର୍ଷରେ ସପ୍ତମ ଭାରତୀୟ

ବର୍ମିଂହାମ୍‌: ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‍ରେ ଭାରତ ହାରିଯାଇଥିଲେ ମଧ୍ୟ ଅଧିନାୟକ ବିରାଟ କୋହଲି ଦେଖାଇଥିବା ଚମତ୍କାର ପ୍ରଦର୍ଶନ ତାଙ୍କୁ ପରୋକ୍ଷରେ ପୁରସ୍କୃତ କରିଛି। ରବିବାର ପ୍ରକାଶିତ ଆଇସିସି ଟେଷ୍ଟ୍‍ ବ୍ୟାଟିଂ ମାନ୍ୟତା ତାଲିକାରେ ଶୀର୍ଷରେ ପହଞ୍ଚିଯାଇଛନ୍ତି ୨୯ ବର୍ଷୀୟ କୋହଲି। ଭାରତରୁ ୭ ବର୍ଷ ପରେ ଜଣେ ବ୍ୟାଟସମ୍ୟାନ୍‌ ଶୀର୍ଷରେ ପହଞ୍ଚିଥିବା ବେଳେ କୋହଲି ମଧ୍ୟ ଏ କ୍ଷେତ୍ରରେ ସପ୍ତମ ଭାରତୀୟ ହୋଇଛନ୍ତି। କିନ୍ତୁ ବିଶ୍ୱର ୭୬ତମ। ଶେଷ ଥର ପାଇଁ ସଚିନ ତେନ୍ଦୁଲକର ୨୦୧୧ରେ ଶୀର୍ଷ ସ୍ଥାନ ଅଳଙ୍କୃତ କରିଥିଲେ। ତାଙ୍କ ବ୍ୟତୀତ ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକାର, ରାହୁଲ ଦ୍ରାବିଡ଼, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହବାଗ ମଧ୍ୟ ନିଜ ନିଜ ଖେଳ ଜୀବନରେ ଶୀର୍ଷକୁ ଉଠିଥିଲେ। ୨୦୧୧ ଜାନୁଆରିରେ ସଚିନ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ଭାରତ-େଓ୍ଵଷ୍ଟଇଣ୍ଡିଜ୍‌ ୩ ମ୍ୟାଚ୍‌ ଶୃଙ୍ଖଳାରୁ ବଞ୍ଚିତ ହେବାରୁ ଜୁନ୍‌ରେ ଦ୍ୱିତୀୟକୁ ଖସିଆସିଥିଲେ।

ରବିବାର ପ୍ରକାଶିତ ଆଇସିସି ମାନ୍ୟତାରେ କୋହଲି ତାଙ୍କ ଚିର ପ୍ରତିଦ୍ୱନ୍ଦ୍ୱୀ ଷ୍ଟିଭେନ୍‌ ସ୍ମିଥ୍‌ (୯୨୯)ଙ୍କୁ ପଛରେ ପକାଇ ଦେଇଥିଲେ। ଯିଏକି ୨୦୧୫ ମସିହା ଡିସେମ୍ବର ମାସରୁ ଶୀର୍ଷ ସ୍ଥାନକୁ ମାଡ଼ି ବସିଥିଲେ। ବଲ୍‌ ବିକୃତ ବିବାଦ ପାଇଁ ନିଲମ୍ବିତ ହୋଇଥିବା ସ୍ମିଥ୍‌ଙ୍କ ୩୨ ମାସର ପ୍ରାଧାନ୍ୟକୁ କୋହଲି ଏଜ୍‌ବାଷ୍ଟନ୍‌ ଧମାକା (୨ ପାଳିରେ ୨୦୦ ରନ୍‌)ରେ ହିଁ ଶେଷ କରି ଦେଇଥିଲେ। ଅବଶ୍ୟ ସ୍ମିଥ୍‌ଙ୍କ ଖେଳ ଅଟକିଥିବାରୁ କୋହଲିଙ୍କୁ ବି ଫାଇଦା ହୋଇଛି। କୋହଲିଙ୍କ ପାଇଁ କିନ୍ତୁ ସର୍ବାଧିକ ମାନ୍ୟତା ଅର୍ଜନର ସୁଯୋଗ ରହିଛି। ଏଜବାଷ୍ଟନ୍‌ ଟେଷ୍ଟ୍‍ ପୂର୍ବରୁ ୯୦୩ ପଏଣ୍ଟ୍‌ ପାଇଥିବା କୋହଲି ଏହାକୁ ୯୩୪ରେ ପହଞ୍ଚାଇଛନ୍ତି। ସର୍ବକାଳୀନ ତାଲିକାରେ ୧୪ତମ ସ୍ଥାନରେ ରହିଛନ୍ତି। ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ସୁନୀଲ ଗାଭାସ୍କର ( ୯୧୬)ଙ୍କଠାରୁ ୧୮ ପଏଣ୍ଟ୍‌ ଆଗରେ ରହିଛନ୍ତି। ଆସନ୍ତା ଗୁରୁବାରଠାରୁ ଲର୍ଡସରେ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟ୍‍ରେ କୋହଲି ଭଲ ପ୍ରଦର୍ଶନ କଲେ ମାଥ୍ୟୁ ହେଡେନ୍‌, ଜ୍ୟାକ୍‌ କାଲିସ୍‌ ଏବଂ ଏବି ଡି’ଭିଲିୟର୍ସ (ସମସ୍ତେ ୯୩୫)କୁ ପଛରେ ପକାଇଦେବେ। ଏହି ତାଲିକାରେ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ (୯୬୧) ଏବଂ ଷ୍ଟିଭେନ୍‌ ସ୍ମିଥ୍‌ (୯୪୭) ଶୀର୍ଷରେ ରହିଛନ୍ତି। ୨୦୦୮ ମସିହାରେ ଭାରତକୁ ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜେତା କରାଇଥିବା କୋହଲି ୨୦୧୭ରେ ଆଇସିସି କ୍ରିକେଟର୍‌ ଅଫ୍‌ ଦ ଇୟର୍‌ ଭାବେ ସାର୍‌ ଗାରଫିଲଡ ସୋବର୍ସ ଟ୍ରଫି ଜିତିଥିଲେ। କୋହଲି ଏବେ ମଧ୍ୟ ଦିନିକିଆ ମାନ୍ୟତାରେ ଶୀର୍ଷ ସ୍ଥାନରେ ରହିଥିବାରୁ ଦ୍ୱିମୁକୁଟ ଅର୍ଜନ ଭଳି ହୋଇଛି। ଟେ୍ଵଣ୍ଟି-୨୦ରେ କିନ୍ତୁ ୧୨ତମ ସ୍ଥାନରେ ରହିଛନ୍ତି କୋହଲି।

ସମ୍ବନ୍ଧିତ ଖବର