ଇଦୁଲଜୀଙ୍କ ସାଂଘାତିକ ଅଭିଯୋଗ, କୁମ୍ବଲେ ବିଦାହେବା ପଛରେ କୋହଲି

ନିୟମ ଉଲ୍ଲଂଘନ କରି ଶାସ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିଲା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ପଦରୁ ଅନିଲ କୁମ୍ବଲେ ଇସ୍ତଫା ଦେବାର ଗୁମର ଫିଟାଇଛନ୍ତି ଉଚ୍ଚତମ ନ୍ୟାୟଳୟ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ)ର ସଦସ୍ୟା ତଥା ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଡାଏନା ଇଦୁଲଜୀ। ସିଓଏ ମୁଖ୍ୟ ବିନୋଦ ରାଏଙ୍କୁ ‌ଲେଖିଥିବା ପତ୍ରରେ କୁମ୍ବଲେ ବିଦାହେବା ପଛରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଚ୍ଛନ୍ନ ହାତଥିଲା ବୋଲି ଇଦୁଲଜୀ ଅଭିଯୋଗ କରିଛନ୍ତି। ସେ ନିଜ ପତ୍ରରେ ରାଏଙ୍କୁ ମଧ୍ୟ ସିଧା ସିଧା କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରିଙ୍କ ପାଖକୁ କୋହଲି ବାରମ୍ବାର ପଠାଉଥିବା ଇମେଲ ଆଧାରରେ ଅପଣ କୁମ୍ବଲେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିଛି ବାଛ ବିଚାର ନକରି ପ୍ରଶିକ୍ଷକ ବଦଳାଇବାର ପ୍ରକ୍ରିୟା ଆରମ୍ଭ କରିଥିଲେ ବୋଲି ଇଦୁଲଜୀ ରାଏଙ୍କୁ ଚେତାଇ ଦେଇଛନ୍ତି। କୁମ୍ବଲେ ପଦ ଛାଡ଼ିବା ନେଇ ରାଏଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇବା ସହ କୋହଲି ହିଁ କୁମ୍ବଲେଙ୍କୁ ବିଦା‌ କରିବାର ଷଡ଼ଯନ୍ତ୍ର ରଚିଥିଲେ ବୋଲି ଇଦୁଲଜୀ ଖୋଲାଖୋଲି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ କ୍ରିକେଟ୍‌ର ଅନ୍ୟତମ କିମ୍ବଦନ୍ତୀ ତାରକା କୁମ୍ବଲେ ଅଧିନାୟକ କୋହଲିଙ୍କ ସହ ଗୁରୁତର ମତଭେଦ ଥିବା ଦର୍ଶାଇ ନିଜ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ପ୍ରଦାନ କରିଥିଲେ। ଯାହା ସେତେବେଳେ ଭାରତୀୟ କ୍ରିକେଟ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା। ରାଏଙ୍କୁ ଇଦୁଲଜୀ ପଠାଇଥିବା ପତ୍ର ପଦାକୁ ଆସିବା ପରେ ଏହି ମାମଲା ନୂଆ ମୋଡ଼ ନେଇଛି। ଇଦୁଲଜୀ ଆହୁରି ଉଲ୍ଲେଖ କରିଛନ୍ତି ଯେ କୁମ୍ବଲେ ଜଣେ କିମ୍ବଦନ୍ତୀ କ୍ରିକେଟର। ଦୁର୍ଭାଗ୍ୟଜନକ ଭାବେ ତାଙ୍କୁ ଖଳନାୟକ ଭାବେ ଚିତ୍ରଣ କରାଗଲା। ସେ ଜଣେ ଭଦ୍ର ଲୋକ ଭଳି ଆଗକୁ ବଢ଼ିଯାଇଥିଲେ। ଏଥିଲାଗି ମୁଁ ତାଙ୍କୁ ବହୁତ ସମ୍ମାନ କରେ। ହେଲେ ସେତେବେଳେ ଅନେକ ନିୟମର ଉଲ୍ଲଂଘନ କରାଯାଇଥିଲା। ମୁଁ ମଧ୍ୟ ସେତେବେଳେ ଏହାକୁ ବିରୋଧ କରିଥି‌ଲି। ୱେଷ୍ଟଇଣ୍ଡିଜରେ ଚଳିତ ମାସରେ ଖେଳଯାଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲରେ ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କୁ ନଖେଳାଇବା ନେଇ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ରାଏଙ୍କୁ ଏହି ପତ୍ର ‌ଲେଖିଥିବା ଜଣାପଡ଼ିଛି। ଇଦୁଲଜୀ ପୂର୍ବତନ ଭାରତୀୟ କ୍ରିକେଟର ରମେଶ ପାୱାରଙ୍କୁ ମହିଳା ଦଳ ପ୍ରଶିକ୍ଷକ ପଦରେ ପୁନଃ ଅବସ୍ଥାପିତ କରିବାକୁ ଚାହୁଁଥିଲା ବେଳେ ବିସିସିଆଇ ନୂଆ ପ୍ରଶିକ୍ଷକ ସନ୍ଧାନରେ ରହିଛି। ଏହି ମାମଲାରେ ପାୱାରଙ୍କୁ ଭାରତୀୟ ମହିଳା ଟ୍ବେଣ୍ଟି-୨୦ ଦଳର ଅଧିନାୟିକା ହରମନପ୍ରୀତ କୌର ସମର୍ଥନ କରୁଛନ୍ତି। ତେବେ ସେମିଫାଇନାଲ୍ ଦଳରୁ ବାଦ ପଡ଼ିବା‌ ପଛରେ ପାୱାରଙ୍କ ହାତଥିଲା ବୋଲି ମିତାଲି ଅଭିଯୋଗ କରିଛନ୍ତି। ପାୱାର ପ୍ରଶିକ୍ଷକ ପଦରେ ରୁହନ୍ତୁ ବୋଲି ହରମନପ୍ରୀତ ଚାହୁଁଛନ୍ତି। ଇଦୁଲଜୀ ଏଥିରେ ତାଙ୍କୁ ସମର୍ଥନ କରୁଛନ୍ତି। କୋହଲିଙ୍କ କହିବାରେ ଯଦି କୁମ୍ବଲେଙ୍କୁ ହଟାଇ ବେଆଇନ ଭାବେ ରବି ଶାସ୍ତ୍ରୀଙ୍କୁ ପୁରୁଷ ଦଳର ଅଧିନାୟକ କରାଯାଇ ପାରିଲା, ତାହାଲେ ହରମନପ୍ରୀତଙ୍କ କହିବାରେ ପାୱାରଙ୍କୁ କାହିଁକି ପ୍ରଶିକ୍ଷକ ପଦରେ ରଖାଯାଇ ପାରିବ ନାହିଁ ବୋଲି ଇଦୁଲଜୀ ପ୍ରଶ୍ନ କରିଛନ୍ତି।

ରାଏ-ଇଦୁଲଜୀ କଥା କଟାକଟି
ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଶିକ୍ଷକ ପଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ବିସିସିଆଇର ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟ ଗଠନ କରିଥିବା ପ୍ରଶାସନିକ ସମିତି (ସିଓଏ) ଏଥିନେଇ ଦୁଇ ଫାଳ ହୋଇଛି। ସମିତିର ମୁଖ୍ୟ ବିନୋଦ ରାଏ ନୂଆ ପ୍ରଶିକ୍ଷକ ନିଯୁକ୍ତ କରିବା ସପକ୍ଷରେ ଥିଲା ବେଳେ ସଦସ୍ୟା ଡାଏନା ଇଦୁଲଜୀ ରମେଶ ପାୱାରଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଦାବି କରିଛନ୍ତି। ଏହି ମାମଲାରେ ଉଭୟ ଖୋଲାଖୋଲି ଭାବେ ପରସ୍ପରକୁ ସମାଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଛି। ପ୍ରଶିକ୍ଷକ ନିଯୁକ୍ତ ନେଇ ମହିଳା କ୍ରିକେଟରମାନେ ଇ-ମେଲ ଲେଖିବା‌ରେ କୌଣସି ଅସୁବିଧା ନାହିଁ ବୋଲି ଇଦୁଲଜୀ କହିଛନ୍ତି। ରାଏ କିନ୍ତୁ ନୂଆ ପ୍ରଶିକ୍ଷକ ନିୟମ ଅନୁଯାୟୀ ହେବ ବୋଲି ମତ ପ୍ରକାଶ କରିଛନ୍ତି। ବିସିସିଆଇ ଜାନୁଆରି ୨୪ରୁ ଆରମ୍ଭ ହେଉଥିବା ଭାରତୀୟ ମହିଳା ଦଳର ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନୂଆ ପ୍ରଶିକ୍ଷକ ନିଯୁକ୍ତ କରିବାର ସମ୍ଭାବନା ରହିଛି। ପ୍ରଶିକ୍ଷକ ପଦ ପାଇଁ ଚଳିତ ମାସ ୧୪ ତାରିଖ (ଶୁକ୍ରବାର) ଶେଷ ତାରିଖ ଥିଲା। ପୂର୍ବତନ ପ୍ରଶିକ୍ଷକ ରମେଶ ପାୱାରଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ପ୍ରଭାକର, ପୂବର୍ତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ହରଶ୍ଚେଲ ଗିବ୍ସ ଓ ପୂର୍ବତନ ଇଂଲଣ୍ଡ କ୍ରିକେଟର ଦିମିତ୍ରି ମାସ୍କାରେନହାସ ଏଥିଲାଗି ଆବେଦନ କରିଛନ୍ତି। ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ ସିଂହ ଏବଂ ଉପଅଧିନାୟିକା ସ୍ମୃତି ମନ୍ଧାନା କିନ୍ତୁ ପାୱାରଙ୍କୁ ପୁନଃ ନିଯୁକ୍ତ କରିବାକୁ ଅନୁରୋଧ କରି ରାଏଙ୍କୁ ଇମେଲ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର