କୋହଲି ଓ ରାହାଣେ ଶତକରୁ ବଞ୍ଚିତ

ନଟିଂହାମ୍‌: ଉତ୍‌ଥାନ ଓ ପତନ ଭିତରେ ଗତି କରିଥିବା ନଟିଂହାମ୍‌ ଟେଷ୍ଟ୍‍ର ପ୍ରଥମ ଦିନରେ ଭାରତ ୬ ଓ୍ଵିକେଟ୍‌ରେ ୩୦୭ ରନ୍‌ କରିଛି। ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିବା ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ କିନ୍ତୁ ବ୍ୟକ୍ତିଗତ ଭାବେ ଶତକ ହାସଲରୁ ବଞ୍ଚିତ ହୋଇଛନ୍ତି। ତେବେ ପ୍ରଥମ ଦିନର ସମ୍ମାନକୁ ଉଭୟ ଦଳ ବାଣ୍ଟି ନେଇଛନ୍ତି। ଟ୍ରେଣ୍ଟ୍‌ ବ୍ରିଜ୍‌ରେ ଆରମ୍ଭରୁ ବିରାଟ କୋହଲି ଯାହା ଆଶା କରିଥିଲେ ତାହା ପାଇଥିଲେ। ଟସ୍‌ ହାରିଥିଲେ ମଧ୍ୟ ନିଜ ପସନ୍ଦ ମୁତାବକ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ସେହିଭଳି ପ୍ରଥମ ଘଣ୍ଟାରେ ବି ଶିଖର ଧାଓ୍ଵନ ଏବଂ ଲୋକେଶ ରାହୁଲ୍‌ ଭଲ ଖେଳି ଦେଇଥିଲେ ଦୃଢ଼ ମୂଳଦୁଆ। ୧୮.୪ ଓଭରରେ ଭାରତ ପାଇଥିଲା ବିନା କ୍ଷତିରେ ୬୦ ରନ୍‌। ହଠାତ୍‌ ବଦଳିଗଲା ଚିତ୍ର। ସୁଲସୁଲିଆ ପବନ ବହିବା ସହିତ କ୍ରିସ୍‌ ଓ୍ଵକ୍‌ସଙ୍କ ସୁଇଙ୍ଗ୍‌ ଆଗରେ ହାର ମାନିଥିଲେ ଧାଓ୍ଵନ, ରାହୁଲ୍‌ ଏବଂ ଚେତେଶ୍ୱର ପୂଜାରା। ରକ୍ଷଣାତ୍ମକ ଖେଳିଥିଲେ ମଧ୍ୟ ଧାଓ୍ଵନ ସ୍ଲିପ୍‌ରେ ବଟଲରଙ୍କ ହାତରେ ଧରାପଡ଼ିଥିଲେ। ରାହୁଲ କିନ୍ତୁ ଏଲ୍‌ବିଡ୍‌ବଲ୍ୟୁ ହୋଇ ଫେରିଥିଲେ। ପୂଜାରା କିନ୍ତୁ ସର୍ଟ ପିଚ୍‌ ବଲ୍‌କୁ ହୁକ୍‌ ଖେଳି ଡିପ୍‌ ଫାଇନ ଲେଗ୍‌ ସୀମାରେଖା ପାଖରେ ରସିଦ୍‌ଙ୍କ ହାତରେ ଧରାପଡ଼ିଥିଲେ। ଭାରତ ୮୨/୩ରେ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲା। ମଝି ଅଧିବେଶନ ଥିଲା ସମ୍ପୂର୍ଣ୍ଣ ଭାରତର। ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଚା’ପାନ ବିରତି ପୂର୍ବରୁ ଆଦୌ ଓ୍ଵିକେଟ୍‌ ହରାଇନଥିଲେ। ରାହାଣେ (୮୧, ୧୩୧ ବଲ୍‌, ୧୨ ଚୌକା)ଙ୍କୁ ସ୍ଲିପ୍‌ରେ କୁକ୍‌ଙ୍କ ହାତରେ ଧରାଇ ବ୍ରଡ୍‌ ଏହି ୧୫୯ ରନ୍‌ ଭାଗୀଦାରିକୁ ଅଲଗା କରି ଦେଇଥିଲେ। କୋହଲି (୯୭, ୧୫୨ ବଲ, ୧୧ ଚୌକା)ଙ୍କୁ ରସିଦ୍‌ ସ୍ଲିପ୍‌ରେ ବେନ୍‌ ଷ୍ଟୋକ୍‌ସଙ୍କ ହାତରେ ଧରାଇ ନେଇଥିଲେ। ଶେଷରେ ଆଣ୍ଡରସନ୍‌ଙ୍କ ବୋଲିଂରେ ହାର୍ଦିକ ପାଣ୍ଡ୍ୟା ସ୍ଲିପ୍‌ରେ ବଟଲର୍‌ଙ୍କ ହାତରେ ଧରାପଡ଼ିବାରୁ ୩ ଓଭର ପୂର୍ବରୁ ପ୍ରଥମ ଦିବସ ଖେଳ ବନ୍ଦ ହୋଇଥିଲା। ଭାରତ ଏହି ଟେଷ୍ଟ୍‍କୁ ୩ ପରିବର୍ତନରେ ଖେଳୁଛି। ମୁରଲୀ ବିଜୟ, ଦୀନେଶ କାର୍ତିକ ଏବଂ କୁଲଦୀପ ଯାଦବଙ୍କ ବଦଳରେ ଶିଖର ଧାଓ୍ଵନ, ଋଷବ ପନ୍ତ ଏବଂ ଯଶପ୍ରୀତ ବୁମରାଙ୍କୁ ଖେଳାଇଛି।

ପନ୍ତ ପଦାର୍ପଣ
ନଟିଂହାମ୍‌: ମାତ୍ର ୨୦ ବର୍ଷ ବୟସରେ ଟେଷ୍ଟ୍‍ ପଦାର୍ପଣ କରି ଋଷବ ପନ୍ତ୍‌ ଭାରତର ପଞ୍ଚମ ସର୍ବକନିଷ୍ଠ ଓ୍ଵିକେଟ୍‌ରକ୍ଷକ ହୋଇଛନ୍ତି। ୨୧ ବର୍ଷ ପୂର୍ବରୁ ଟେଷ୍ଟ୍‍ ଖେଳିବାରେ କିନ୍ତୁ ସେ ହୋଇଛନ୍ତି ଷଷ୍ଠ ସର୍ବକନିଷ୍ଠ। ୨୦୧୫ ମସିହାରେ ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିବା ଋଷବ ୨୩ ମ୍ୟାଚ୍‌ରୁ ୫୪.୫ ହାରରେ ୧୭୪୪ ରନ୍‌ କରିଛନ୍ତି। କିନ୍ତୁ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ରହିଛି ୯୫.୨। ଇଂଲଣ୍ଡ ଗସ୍ତରେ ଭାରତ ‘ଏ’ ପାଇଁ ୪ ପାଳିରେ ୬୩ ହାରରେ ୧୮୯ ରନ୍‌ କରି ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପରାମର୍ଶରେ ଟେଷ୍ଟ୍‍ ପଦାର୍ପଣ କରିଛନ୍ତି। ଋଷବ ଭିନ୍ନ ଭାବେ ବ୍ୟାଟିଂ କରିପାରିବା ଦକ୍ଷତା ରଖନ୍ତି ବୋଲି ଦ୍ରାବିଡ଼ କହୁଛନ୍ତି। କିନ୍ତୁ ୭ ନମ୍ବର ସ୍ଥାନରେ ସେ କିଭଳି ବ୍ୟାଟିଂ କରିବେ ଦେଖିବାର ଅଛି। ପନ୍ତଙ୍କ ସମ୍ପର୍କରେ ଆଉ କିଛି ଭଲ କଥା ହେଉଛି ତାଙ୍କ ନାମରେ ଏକାଧିକ ଭାରତୀୟ କୀର୍ତିମାନ ହୋଇସାରିଛି। ଦ୍ରୁତତମ ପ୍ରଥମ ଶ୍ରେଣୀ ଶତକ ସହିତ ଏହି ପାଳିରେ ସର୍ବାଧିକ ୨୧ ଛକା ମଧ୍ୟ ଆଉ ଏକ କୃତିତ୍ୱ ଯୋଡ଼ିଛି। ମାତ୍ର ୧୯ ବର୍ଷ ୧୨ ଦିନରେ ମଧ୍ୟ ଚତୁର୍ଥ ସର୍ବକନିଷ୍ଠ ତ୍ରିଶତକ ହାସଲକାରୀ ହୋଇଛନ୍ତି। ଟେ୍ଵଣ୍ଟି-୨୦ରେ ପନ୍ତ୍‌ ମଧ୍ୟ ଦ୍ୱିତୀୟ ଦ୍ରୁତତମ ଶତକ ଜମାଇଛନ୍ତି। କିନ୍ତୁ ଭାରତ ପାଇଁ ୪ ମ୍ୟାଚ୍‌ ଖେଳି ମାତ୍ର ୭୩ ରନ୍‌ କରିଛନ୍ତି। ୨୦୧୮ ଆଇପିଏଲ୍‌ରେ ସର୍ବାଧିକ ୩୭ ଛକା ପନ୍ତ ମାରିଥିଲେ। ଟେଷ୍ଟ୍‍ ପଦାର୍ପଣରେ ମଧ୍ୟ ନିଜେ ସମ୍ମୁଖୀନ ହୋଇଥିବା ଦ୍ୱିତୀୟ ବଲ୍‌କୁ ଛକା ମାରି ଅଭିଯାନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର