ଷ୍ଟମ୍ପ୍‌ସ ପଛରେ ଧୋନିଙ୍କୁ ପାଇ ଭାରତ ଭାଗ୍ୟବାନ: କୋହଲି

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ସାମର୍ଥ୍ୟ ଓ ଅଭିଜ୍ଞତା ଭାରତୀୟ ଦଳ ପାଇଁ ସବୁବେଳେ ସହାୟକ ହୋଇଆସିଛି। ସେ ମଧ୍ୟ ଆଗାମୀ ବିଶ୍ବକପ୍‌ରେ ଦଳର ଭାଗ୍ୟନିୟନ୍ତା ହୋଇପାରିବେ। ମୋଟାମୋଟି ଭାବେ ଧୋନିଙ୍କ ଭଳି ଖେଳାଳିଙ୍କୁ ଷ୍ଟମ୍ପ୍‌ ପଛରେ ପାଇ ଭାରତ ଖୁବ୍‌ ଭାଗ୍ୟବାନ ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି। ଦୀର୍ଘ ବର୍ଷ ଧରି ଜଣେ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଭାବେ ‌ଧୋନିଙ୍କ ସେବା ଭାରତକୁ ଫାଇଦା ଦେଇଆସିଛି। ଆଗାମୀ ବିଶ୍ବକପ୍‌ରେ ମଧ୍ୟ ସେ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ ବୋଲି କୋହଲି ଆଶା ବାନ୍ଧିଛନ୍ତି। ଧୋନି ଇତି ମଧ୍ୟରେ ୩୪୧ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳି ୧୦,୫୦୦ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟାଟିଂ ହାରାହାରି ୫୦ରୁ ଅଧିକ ରହିଛି। କେବଳ ସେତିକି ନୁହେଁ ବିଜୁଳି ଭଳି ଗ୍ଲୋଭ୍‌ଚାଳନା ତାଙ୍କୁ ସୀମିତ ଓଭର କ୍ରିକେଟ୍‌ରେ ପ୍ରଥମ ପସନ୍ଦର ୱିକେଟ୍‌ରକ୍ଷକ ମାନ୍ୟତା ଦେବାକୁ ବାଧ୍ୟ କରିଛି। ଏଥର ବିଶ୍ବକପ୍‌ ବେଳକୁ ଧୋନି ୩୮ ବର୍ଷରେ ପଦାର୍ପଣ କରିବାକୁ ଯାଉଥିଲେ ମଧ୍ୟ ତାଙ୍କର ଶାରୀରିକ ଭାଷା ଉଭୟ ୱିକେଟ୍‌ରକ୍ଷଣ ଓ ବ୍ୟାଟିଂରେ ଚମକ ହରାଇନଥିବା ପ୍ରମାଣ ଦେଇଛି। ୨୦୧୧ ବିଶ୍ବବିଜେତା ଅଧିନାୟକ ଧୋନି ଚଳିତ ବର୍ଷ ଭଲ ଫର୍ମରେ ରହିଛନ୍ତି। ସେ ୯ ଦିନିକିଆ ଆନ୍ତର୍ଜାତିକ ‌ମ୍ୟାଚ୍‌ ଖେଳି ୪ ଅର୍ଧଶତକ ସହିତ ମୋଟ ୩୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି। ସେ ଏକମାତ୍ର ବ୍ୟକ୍ତି ଯିଏକି କୌଣସି ମ୍ୟାଚ୍‌ର ହାରିବା ସ୍ଥିତିରୁ ବାହାରକୁ ନେଇଯାଇପାରନ୍ତି। ପଡ଼ିଆରେ ମ୍ୟାଚ୍‌ର ଗୁରୁତ୍ବକୁ ସେ ପ୍ରଥମ ବଲ୍‌ରୁ ୩୦୦ ବଲ୍‌ ପର୍ଯ୍ୟନ୍ତ ଠିକ୍‌ ଭାବେ ବୁଝିଥାଆନ୍ତି ବୋଲି କୋହଲି ଶୁକ୍ରବାର କହିଛନ୍ତି। ମୋଟାମୋଟି ଭାବେ ଦଳରେ ଏବଂ ୱିକେଟ୍‌ ପଛପଟେ ଧୋନିଙ୍କୁ ପାଇ ଆମେ ଭାଗ୍ୟବାନ ବୋଲି କୋହଲି କହିଛନ୍ତି। ଧୋନି ପଡ଼ିଆରେ ଥିଲେ ଆମେ ତାଙ୍କଠୁ ସଂକଟ ସମୟରେ ପରାମର୍ଶ ପାଇ ଥାଉ। ଫଳରେ ଆମେ ନିଜ ଉପରୁ ମଧ୍ୟ ଚାପ କୋହଳ କରିପାରୁ ବୋଲି କୋହଲି କହିଛନ୍ତି। ସୂଚନାଯୋଗ୍ୟ, ଜୁନ ୫ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଖେଳି ଭାରତ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର