ଯିଏ ଭଲ ଆରମ୍ଭ କରିବ, ସିଏ ଜିତିବ

କୋହଲିଙ୍କ ପାକିସ୍ତାନ ବିପକ୍ଷ ପ୍ରଥମ ଶତକ ବିଶ୍ବକପ୍‌ରେ

ସଂପ୍ରତି ଉଭୟ ଭାରତ ଏବଂ ପାକିସ୍ତାନ ପାଖରେ ଅନେକ ପ୍ରତିଭାବାନ ଖେଳାଳି ରହିଛନ୍ତି। ଶିଖର ଧାୱନ ବାଦ୍ ପଡ଼ିବା ପରେ ଭାରତର ସନ୍ତୁଳନ ଟିକିଏ ବିଗିଡ଼ିଛି। ସେପଟେ ଦୁର୍ବଳ କ୍ଷେତ୍ରରକ୍ଷଣ ପାକିସ୍ତାନ ପାଇଁ ବଡ଼ ଚିନ୍ତା ଭାବେ ଉଭା ହୋଇଛି। ତେବେ ଯେଉଁ ଦଳ ଭଲ ଆରମ୍ଭ କରିବ, ସେ ବିଜୟୀ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତ ରୋହିତ ଶର୍ମା, ବିରାଟ କୋହଲିଙ୍କ ଉପରେ ଅଧିକ ନିର୍ଭରଶୀଳ ରହିବ। ପାକିସ୍ତାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଇମାମ-ଉଲ୍-ହକ୍, ବାବର ଆଜମଙ୍କଠାରୁ ବଡ଼ ସ୍କୋର ଆଶାରେ ରହିବ। ପାକିସ୍ତାନ ପାଖରେ ମହମ୍ମଦ ଆମିର, ୱାହାବ ରିଆଜ, ହାସନ ଅଲ୍ଲୀ ଏବଂ ସାହିନ୍ ଆଫ୍ରିଦିଙ୍କ ରୂପରେ ୪ ଜଣ ବିଶ୍ବସ୍ତରୀୟ ଦ୍ରୁତ ବୋଲର ଅଛନ୍ତି। ସ୍ପିନ୍ ବିଭାଗରେ ଅବଶ୍ୟ ଭାରତ ଆଗରେ ରହିବ। ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ପାଇଁ ଭାରତ ଏହି କ୍ଷେତ୍ରରେ ଶକ୍ତିଶାଳୀ। ଭାରତ ପାଖରେ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଅଲରାଉଣ୍ଡର ମଧ୍ୟ ଅଛନ୍ତି। ତେବେ ଉଭୟ ଦଳକୁ ମ୍ୟାଚ୍ ଜିତିବା ଲାଗି ବ୍ୟାଟିଂ ହେଉ କି ବୋଲିଂ ଭଲ ଆରମ୍ଭ କରିବାକୁ ହେବ।

କୋହଲିଙ୍କ ପାକିସ୍ତାନ ବିପକ୍ଷ ପ୍ରଥମ ଶତକ ବିଶ୍ବକପ୍‌ରେ
ଭାରତୀୟ ଅଧିନାୟକ ବିରାଟ କୋହଲି ଗତ ବିଶ୍ବକପ (୨୦୧୫)ରେ ହିଁ ପାକିସ୍ତାନ ବିପକ୍ଷରେ ପ୍ରତମ ଶତକ ହାସଲ କରିଥିଲେ। ସେହି ପାଳିରେ କୋହଲି ୧୨୬ ବଲ୍‌ରୁ ୧୦୭ ରନ୍ କରିଥିଲେ। ‌ସେ ନିଜ ଶତକ ୧୧୯ ବଲ୍‌ରୁ ପୂରଣ କରିଥିଲେ। ଶିଖର ଧାୱନଙ୍କ ସହ ମିଶି ଦ୍ବିତୀୟ ୱିକେଟ୍‌ରେ ୧୨୯ ରନ୍ ଯୋଡ଼ିଥିଲେ। ଯାହା ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ସବୁଠାରୁ ବଡ଼ ଭାଗୀଦାରି ଥିଲା। ଏହି ମ୍ୟାଚ୍‌ରେ ସୁରେଶ ରାଇନାଙ୍କ ସହ ମିଶି ତୃତୀୟ ୱିକେଟ୍‌ରେ ୧୧୦ ରନ୍ ସଂଗ୍ରହ କରିଥିଲେ। ଭାରତ ୭ ୱିକେଟ୍ ବିନିମୟରେ ୩୦୦ ରନ୍ କରିଥିଲା। ପରେ ମହମ୍ମଦ ସାମିଙ୍କ ୪ ୱିକେଟ୍ ସଫଳତା ବଳରେ ପାକିସ୍ତାନକୁ ମାତ୍ର ୨୨୪ ରନ୍‌ରେ ଅଟକାଇ ଦେଇଥିଲା। ତା’ ସହ ୭୬ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ଆଡିଲେଡ୍‌ଠାରେ ୨୦୧୫ ଫେବ୍ରୁଆରି ୧୫ ତାରିଖରେ ଖେଳା ଯାଇଥିଲା।

୧୦ ଜଣ ହୋଇଛନ୍ତି ‘ଶୂନ’ରେ ଆଉଟ୍
ଭାରତ-ପାକିସ୍ତାନ ମୁକାବିଲାରେ ଉଭୟ ଦଳର ଖେଳାଳିଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇଥାଏ। ଯାହା ସେମାନଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଥାଏ। କିଏ ନର୍ଭସ ନାଇଣ୍ଟିର ଶିକାର ହୁଅନ୍ତି ତ’ କିଏ ଖାତା ଖୋଲି ପାରନ୍ତି ନାହିଁ। ଭାରତ-ପକିସ୍ତାନ ବିଶ୍ବକପ ମ୍ୟାଚ୍‌ରେ ୧୦ ଜଣ ଖେଳାଳି ‘ଶୂନ’ରେ ଆଉଟ୍ ହୋଇଛନ୍ତି। ଭାରତ ପକ୍ଷରୁ ସୌରଭ ଗାଙ୍ଗୁଲି, ଯୁବରାଜ ସିଂହ, ଅଜିଙ୍କ୍ୟ ରାହାଣେ, ସଞ୍ଜୟ ମଞ୍ଜରେକର ଏହି ତାଲିକାରେ ରହିଛନ୍ତି। ପାକିସ୍ତାନ ପକ୍ଷରୁ ଇମ୍ରାନ ଖାନ୍, ଆତା-ଉର୍-ରହେମାନ, ମୁସ୍ତାକ ଅହମ୍ମଦ, ସାକଲେନ ମୁସ୍ତାକ, ସୋହେବ ମକସୁଦ ଏବଂ କାମରାନ୍ ଆକମଲ୍ ଭାରତ ବିପକ୍ଷ ବିଶ୍ବକପ୍ ମ୍ୟାଚ୍‌ରେ ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି।

ଭଲ ଖେଳିଲେ, ଆମେ ଯେ କୌଣସି ଦଳକୁ ହରାଇ ପାରିବୁ। ପ୍ରତିପକ୍ଷ ଯୋଗୁଁ କିଛି ବି ବଦଳି ନଥାଏ। ଖେଳାଳିଙ୍କ ପାଇଁ ପେସାଦାର ହେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଆପଣ ଯେ କୌଣସି ଦଳ ବିପକ୍ଷରେ ଖେଳନ୍ତୁ, ସେଥିରେ କିଛି ଯାଏ ଆସେ ନାହିଁ। କୌଣସି ଗୋଟିଏ ମ୍ୟାଚ୍ ଅନ୍ୟଠାରୁ ସ୍ବତନ୍ତ୍ର କି ଖାସ୍ ହୋଇ ନଥାଏ। ଆମ ଦାୟିତ୍ବ ହେଲା ସବୁ ମ୍ୟାଚ୍‌କୁ ସମାନ ଭାବେ ଦେଖିବା। ଆମ ପାଇଁ ଏହା ଆଉ ଏକ ମ୍ୟାଚ୍ ମାତ୍ର। ବ୍ୟକ୍ତିଗତ ଭାବେ କୌଣସି ଜଣେ ବୋଲରଙ୍କୁ ଆଖି ଆଗରେ ରଖି ମୁଁ ପ୍ରସ୍ତୁତି କରି ନଥା‌ଏ।’

ସମ୍ବନ୍ଧିତ ଖବର