‘ଆଇପିଏଲ୍‌ ଆଧାରରେ କୋହଲିଙ୍କୁ ଆକଳନ କରନାହିଁ’

ବିଶ୍ବକପ୍‌ ଆଉ ୫୦ ଦିନ

ପଣଜୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ମୁଖ୍ୟ ଚୟନକର୍ତା ଦିଲ୍ଲୀପ ‌ଭେଙ୍ଗସରକାର ଆଇପିଏଲ୍‌ ସହିତ‌ କୌଣସି ଭାବେ ଜଡ଼ିତ ନାହାନ୍ତି। କିନ୍ତୁ ଏହ‌ି ଲିଗ୍‌ର ଅଧିକାଂଶ ମ୍ୟାଚ୍‌କୁ ଉପଭୋଗ କରିବାକୁ ସେ ପଛାଉ ନାହାନ୍ତି। ଗତ ସପ୍ତାହରେ ଆନ୍ଦ୍ରେ ରସେଲ୍ ଯେତେ‌ବେଳେ ୧୩ ବଲ୍‌ରୁ ୪୮ ରନ୍ ସଂଗ୍ରହ କରି କୋଲକାତା ନାଇଟ୍‌ ରାଇଡର୍ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବିପକ୍ଷରେ ଅପ୍ରତ୍ୟାଶିତ ବିଜୟ ପ୍ରଦାନ କଲେ ଭେଙ୍ଗସରକାର ବି ଚକିତ ହୋଇଯାଇଥିଲେ। କୋହଲିଙ୍କ ଦଳର ୨୦୫ ରନ୍‌କୁ କେକେଆର୍‌ ୫ ବଲ୍‌ ଏବଂ ୫ ୱିକେଟ୍‌ ବଳକା ଥାଇ ଜିତି ନେଇଥିଲା। ରସେଲଙ୍କ ସେହି ନିର୍ଦୟ ପାଳି ଆଗରେ କୋହଲି ଅସହାୟ ପାଲଟିଥିଲେ। ଆର୍‌ସିବି ଏବେ ୬ରୁ ୬ ପରାଜୟ ବରଣ କରି ପ୍ରତିଯୋଗିତାରୁ ଆଗୁଆ ବାଦ୍ ପଡ଼ିବା ଆଶଙ୍କାରେ ରହିଛି। ଏହା ପୂର୍ବରୁ ଭାରତୀୟ ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆ ନିକଟରୁ ଉଭୟ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଶୃଙ୍ଖଳା ମଧ୍ୟ ହ‌ାରିଥିଲା। ସେଥିପାଇଁ ଭାରତୀୟ କ୍ରିକେଟ୍ ଏବେ ଠିକଣା ବ୍ୟକ୍ତିଙ୍କ ହାତରେ ଅଛି କି ନାହିଁ ପ୍ରଶ୍ନ ଉଠିଛି।‌ ‌ଭେଙ୍ଗସରକାର କିନ୍ତୁ ଆଦୌ ଦ୍ବନ୍ଦ୍ବରେ ନାହାନ୍ତି। ‘ଆଇପିଏଲ୍‌ ପ୍ରଦର୍ଶନ ଆଧାରରେ କାହାରିକୁ ବି ବିଚାରକୁ ନିଆଯିବା ଉଚିତ୍ ନୁହେଁ। ବିରାଟ ଚମତ୍କାର ଫର୍ମରେ ରହିଛନ୍ତି। ସେ ଜଣେ ସର୍ବକାଳୀନ ମହାନ ବ୍ୟାଟସ୍‌ମ୍ୟାନ୍‌, ଅଧିନାୟକ ଭାବେ ସେ ଉତ୍ତରଣ ପ୍ରକ୍ରିୟା ଭିତରେ ରହିଛନ୍ତି। ଥରେ ତାଙ୍କ ଉପରେ ବିଶ୍ବାସ ରଖିଲେ, ୧୦୦ ପ୍ରତିଶତ ସମର୍ଥନ ଦେବାକୁ ହେବ ବୋଲି ଗୋଆକୁ ଏକ ସଂକ୍ଷିପ୍ତ ଗସ୍ତରେ ଆସିଥିବା ବେଳେ କହିଥିଲେ ଭେଙ୍ଗସରକାର।
ବି‌ଶେଷ କରି ବିଶ୍ବକପ୍‌ ପାଖେଇ ଆସୁଥିବାରୁ କୋହଲିଙ୍କ ଉପରେ ନିଶ୍ଚିତ ସମସ୍ତଙ୍କ ନଜର ରହିବ। କାରଣ ଭାରତ ସବୁ ଥର ଭଳି ମଧ୍ୟ ବିଶ୍ବକପ୍‌ ଲାଗି ଦାବିଦାର ରହିବ। ‘ଭାରତ ନିକଟରେ ଶେଷ ୪ ଦଳରେ ସାମିଲ ହେବାର ସୁଯୋଗ ତ ନିଶ୍ଚିତ ରହିଛି। ଆମେ ପାଖରେ ଶ୍ରେଷ୍ଠ ବୋଲିଂ ଆକ୍ରମଣ ରହିଛି। ପୂର୍ବ ସଂସ୍କରଣ ବିଶ୍ବକପ୍‌ ତୁଳନାରେ ଏଥର ଆମ ବୋଲିଂ ବିଭାଗ ଭଲ ଅଛି। ସେଥିପାଇଁ ଆମେ ଆଶା ରଖିଛୁ। ଭାରତ ଅତୀତରେ ଯେତେଥର ବିଫଳ ହୋଇଛି, କେବଳ ଶେଷ ୧୦ ଓଭରରେ ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ ରୋକି ପାରିନଥିବାରୁ ଭୋଗିଛି। ଏବେ ଯଶପ୍ରୀତ୍ ବୁମ୍‌ରା ଏବଂ ଅନ୍ୟମାନଙ୍କୁ ନେଇ ଆମେ ଦୃଢ଼ ବୋଲି ଭେଙ୍ଗସରକାର କହିଛନ୍ତି। ଇଂଲଣ୍ଡରେ ବ୍ୟାଟିଂ କେବେ ବି ସହଜ ହୋଇ ନ ଥାଏ। ବିଶେଷ କରି ମେଘଯୁକ୍ତ ଆକାଶ ଥିଲେ ବ୍ୟାଟିଂ କଷ୍ଟକର ହୁଏ। ଆୟୋଜକ ଇଂଲଣ୍ଡ ଏବଂ ବିଜେତା ଅଷ୍ଟ୍ରେଲିଆ ନିଶ୍ଚିତ ଦାବିଦାର ରହିବେ। ବ୍ୟାଟସମ୍ୟାନ୍‌ ଭଲ ଖେଳିଲେ ଭାରତ ପାଇଁ ମଧ୍ୟ ଅନୁରୂପ ଭାବେ ସୁଯୋଗ ରହିବ। କୋହଲି ଏବଂ ରୋହିତଙ୍କ ବିନା ଭାରତ ମଧ୍ୟ ଭଲ ଖେଳିପାରିବ। କିନ୍ତୁ ଏମାନଙ୍କ ଉପରେ ସବୁବେଳେ ନିର୍ଭର କରାଯାଇ ପାରିବ ନାହିଁ। ଅନ୍ୟମାନଙ୍କୁ ଅବଦାନ ରଖିବାକୁ ହେବ। ବହୁ ବିତର୍କିତ ୪ ନମ୍ବର ସ୍ଥାନ ପାଇଁ ଲୋକେଶ ରାହୁଲ କିମ୍ବା ଅଜିଙ୍କ୍ୟ ରାହାଣେ ଭଲ ବୋଲି ସେ କହିଥିଲେ। ଅଷ୍ଟ୍ରେଲିଆରେ ଭଲ କରିଥିବା ମୟଙ୍କ ଅଗ୍ରୱାଲଙ୍କୁ ବିଚାରକୁ ନ ନିଆଯିବା ଆଶ୍ଚର୍ଯ୍ୟର କଥା। କିନ୍ତୁ ସେମାନଙ୍କ ଆଇପିଏଲ୍‌ ପ୍ରଦର୍ଶନକୁ ଆଦୌ ବିଚାରକୁ ନିଅନାହିଁ ବୋଲି ଶେଷରେ ଭେଙ୍ଗସରକାର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର