କୋହଲି ସଫଳ, ଭାରତ ବିଫଳ

ମୁମ୍ବାଇ: ଅନେକ ଏକତରଫା ମୁକାବିଲା ପରେ ଭାରତୀୟ କ୍ରିକେଟ୍‌ ଦଳକୁ ନ୍ୟୁଜିଲାଣ୍ଡ ରୂପରେ ଏକ ଭଲ ପ୍ରତିଦ୍ୱନ୍ଦ୍ୱୀ ମିଳିଛି। ଦିନିକିଆ ମାନ୍ୟତାର ପଞ୍ଚମ ସ୍ଥାନରେ ଥିଲେ ମଧ୍ୟ ମୁମ୍ବାଇ ଦିନିକିଆକୁ ୬ ଓ୍ଵିକେଟ୍‌ରେ ଜିତି କୋହଲି ବାହିନୀକୁ ନ୍ୟୁଜିଲାଣ୍ଡ ଜବରଦସ୍ତ ଝଟ୍‌କା ଦେଇଛି। ଅଧିନାୟକ କୋହଲି ମଧ୍ୟ ଚିରାଚରିତ ଭାବେ ନିଜ କମାଲ ଦେଖାଇଛନ୍ତି। ଦଳଗତ ଭାବେ କିନ୍ତୁ ଭାରତ ବିଫଳ ହୋଇଛି। ମୁମ୍ବାଇ ମ୍ୟାଚ୍‌ ପରେ କୋହଲିଙ୍କ ସଫଳତାର ପରିସଂଖ୍ୟାନ ଥିଲା ଏମିତି।
୧୨: ଚଳିତ ବର୍ଷ କୋହଲି ଦ୍ୱାଦଶ ଥର ପାଇଁ ୫୦ କିମ୍ବା ତା’ଠାରୁ ଅଧିକ ରନ୍‌ ଛୁଇଁଲେ। ଗୋଟିଏ ବର୍ଷରେ ୫୦ କିମ୍ବା ତା’ଠାରୁ ଅଧିକ ରନ୍‌ ଛୁଇଁବା ସଂଖ୍ୟାରେ ଭାରତୀୟ ଅଧିନାୟକଙ୍କ ମଧ୍ୟରେ ଏହା ସର୍ବାଧିକ। ଏହି କ୍ରମରେ ସେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ (୧୯୯୮) ଏବଂ ମହେନ୍ଦ୍ର ସିଂହ ଧୋନି (୨୦୦୯)ଙ୍କୁ ଟପିଛନ୍ତି।
୧୩୧୮: ଚଳିତ ବର୍ଷ ୨୪ ଦିନିକିଆ ଖେଳି କୋହଲି ୧୩୧୮ ରନ୍‌ କଲେ। ଗୋଟିଏ ବର୍ଷରେ ସର୍ବାଧିକ ରନ୍‌ କରିବାରେ ସଂପ୍ରତି ସେ ତୃତୀୟ ସ୍ଥାନରେ ରହିଛନ୍ତି। କେବଳ ରିକି ପଣ୍ଟିଂ (୧୪୨୪, ୨୦୦୭) ଏବଂ ମିସ୍‌ବା ଉଲ୍‌ ହକ୍‌ (୧୩୭୩ ,୨୦୧୩) ତାଙ୍କଠାରୁ ଆଗରେ ରହିଛନ୍ତି। ଚଳିତ ବର୍ଷ ସେ ଆହୁରି ପାଞ୍ଚଟି ଦିନିକିଆ ଖେଳିବାର ଅଛି। ଏଣୁ ତାଙ୍କ ପାଖରେ ଏବେବି ଉଭୟ ପଣ୍ଟିଂ ଏବଂ ମିସବାଙ୍କୁ ଟପିବାର ସୁଯୋଗ ରହିଛି। ଗୋଟିଏ ବର୍ଷରେ ସର୍ବାଧିକ ରନ୍‌ କରିବାର କୀର୍ତ୍ତିମାନ କିନ୍ତୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୧୮୯୪ ରନ୍‌, ୧୯୯୮)ଙ୍କ ନାଁରେ ରହିଛି। ସୌରଭ ଗାଙ୍ଗୁଲି (୧୭୬୭, ୧୯୯୯) ଏହି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
୧୯୨: ମୁମ୍ବାଇରେ ରବିବାର କୋହଲି ନିଜ ୩୧ତମ ଶତକ ହାସଲ କରିଥିଲେ। ଏହା କରି ସେ ସଚିନ ତେନ୍ଦୁଲକର (୪୯) ଙ୍କ ପଛକୁ ସର୍ବାଧିକ ଦିନିକିଆ ଶତକ ହାସଲକାରୀଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଗଲେ। ହେଲେ ସଚିନ ନିଜ ୩୧ତମ ଶତକ ୨୭୧ ପାଳିରେ ପୂରଣ କରିଥିଲା ବେଳେ କୋହଲି ଏହାକୁ ମାତ୍ର ୧୯୨ ପାଳିରେ ହାସଲ କଲେ।
୧୨୧: ଯୁବରାଜ ସିଂହ, ମହେନ୍ଦ୍ର ସିଂହ ଧୋନି ଓ ସୁରେଶ ରାଇନା ନିଜ ଦ୍ୱିଶତକୀୟ ଦିନିକିଆରେ ଅର୍ଧଶତକ ହାସଲ କରିଥିଲେ। ହେଲେ ୨୦୦ତମ ମ୍ୟାଚ୍‌ରେ ଶତକ ଅର୍ଜନ କରିବାରେ କୋହଲି ପ୍ରଥମ ଭାରତୀୟ ଏବଂ ବିଶ୍ୱର ଦ୍ୱିତୀୟ ଖେଳାଳି ହେଲେ। ୧୨୧ ରନ୍‌ କରି ୨୦୦ତମ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିବାର କୀର୍ତ୍ତିମାନ କିନ୍ତୁ ସେ କରିନେଲେ।
୦୫: ଅଧିନାୟକ ଭାବେ ଚଳିତ ବର୍ଷ କୋହଲି ପାଞ୍ଚଟି ଶତକ ହାସଲ କରିଛନ୍ତି। ଏହା କରି ସେ ସୌରଭ ଗାଙ୍ଗୁଲି (୨୦୦୦), ପଣ୍ଟିଂ(୨୦୦୩, ୨୦୦୭), ଗ୍ରେମ୍‌ ସ୍ମିଥ୍‌ (୨୦୦୫) ଓ ଏବି ଡିଭିଲିୟର୍ସ (୨୦୧୫)ଙ୍କ ସହ ସମକକ୍ଷ ହେଲେ। ଓ୍ଵାଙ୍ଖଡ଼େରେ ଶତକ ହାସଲରେ ସଚିନଙ୍କ ପରେ କୋହଲି ଦ୍ୱିତୀୟ ଭାରତୀୟ ଅଧିନାୟକ ହେଲେ।
୧୩: ଘରୋଇ ପରିବେଶରେ ସର୍ବାଧିକ ଶତକ ହାସଲ କରିବାର କୀର୍ତ୍ତିମାନ ସଚିନ ତେନ୍ଦୁଲକର (୨୦)ଙ୍କ ନାଁରେ ରହିଛି। ୧୩ ଶତକ ସହ କୋହଲି ଏହି କ୍ଷେତ୍ରରେ ଏବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
୧୭: ନ୍ୟୁଜିଲାଣ୍ଡ ବିପକ୍ଷରେ ୧,୦୦୦ ରନ୍‌ ପୂରଣ କରିବାରେ କୋହଲି ଦ୍ରୁତତମ ଖେଳାଳି ହୋଇଛନ୍ତି। ୧୭ ପାଳିରେ ୪ ଶତକ ସହ କିଓ୍ଵି ଦଳ ବିପକ୍ଷରେ ସେ ୭୨.୨୮ ହାରରେ ୧୦୧୨ ରନ୍‌ କରିଛନ୍ତି। ଏହି କ୍ରମରେ ସେ ଅଷ୍ଟ୍ରେଲିଆର ଡିନ୍‌ ଜୋନ୍ସଙ୍କୁ କାଟିଛନ୍ତି। ଜୋନ୍ସ ୧୯ ପାଳିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧,୦୦୦ ରନ୍‌ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର