କୋହଲି-ଅନୁଷ୍କା ବିବାହ ଆସନ୍ନ

ନୂଆଦିଲ୍ଲୀ: ଦିନେ ଦୁଇ ଦିନ ଭିତରେ ଭାରତୀୟ କି୍ରକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହେବ। ଏଭଳି ଖବର ଗଣମାଧ୍ୟମରେ ଘୁରି ବୁଲିଥିଲେ ମଧ୍ୟ ଉଭୟ ପକ୍ଷ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଉଭୟ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ପରିବାର ଗୁରୁବାରଠାରୁ ଇଟାଲି ଗସ୍ତ କରିଥିବାରୁ ମିଲାନରେ ସେମାନଙ୍କ ବିବାହ ହେବ ବୋଲି ପ୍ରଚାରିତ ହୋଇଛି। କେବଳ ଉଭୟଙ୍କ ପରିବାର ନୁହେଁ କୋହଲିଙ୍କ କିଛି ବାଲ୍ୟ ବଂଧୁ ଏବଂ ପିଲାଦିନର ପ୍ରଶିକ୍ଷକ ମଧ୍ୟ ଇଟାଲି ଗସ୍ତ କରିଛନ୍ତି। ଅନୁଷ୍କାଙ୍କ ପରିବାର ଗୁରୁ ମହରାଜ ଅନନ୍ତ ବାବୁ ମଧ୍ୟ ଇଟାଲି ଗସ୍ତ କରିଛନ୍ତି। ଉଭୟଙ୍କ ବିବାହ ଗୋପନରେ ହେବା ପ୍ରାୟ ନିଶ୍ଚିତ ବୋଲି ସନ୍ଦେହ କ୍ରମେ ଘନୀଭୂତ ହେବାରେ ଲାଗିଛି। ବିବାହ ଡିସେମ୍ବର ୧୦ରୁ ୧୩ ତାରିଖ ମଧ୍ୟରେ ହେବାର ସମ୍ଭାବନା ଥିବାବେଳେ ଡିସେମ୍ବର ୨୧ ତାରିଖରେ ମୁମ୍ବାଇର ଏକ ତାରକା ହୋଟେଲ୍‌ ବୁକିଂ ହୋଇଥିବାରୁ ସେଠାରେ ଅଭ୍ୟର୍ଥନା ଭୋଜି ଆୟୋଜିତ ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ଉଭୟ ବିଗତ ୪ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ। କୋହଲି ଗତବର୍ଷ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଅନୁଷ୍କା ତାଙ୍କ ନୂଆ ଚଳଚ୍ଚିତ୍ରକୁ ନେଇ ବ୍ୟସ୍ତ ରହିବାରୁ ଏହାକୁ ଘୁଞ୍ଚାଇ ଦେଇଥିଲେ। ଏବେ କିନ୍ତୁ ବିବାହ ବିଗୁଲ ବାଜିଯାଇଛି। କୋହଲି ବିଶ୍ରାମ ଆଳରେ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳାରୁ ଓହରିଯାଇଛନ୍ତି। ଅନ୍ୟପକ୍ଷରେ କୋହଲି-ଅନୁଷ୍କାଙ୍କ ବିବାହକୁ ତାଙ୍କ ପ୍ରିୟ ପଡ଼ିଆ ଅଷ୍ଟ୍ରେଲିଆର ଆଡିଲେଡ୍‌ରେ କରାଇବାକୁ ଏହାର ସିଇଓ ଆଣ୍ଡ୍ରିଉ ଡାନିଏଲ୍‌ସ ଅନୁରୋଧ କରିଛନ୍ତି। ଇଟାଲିରେ ନୁହେଁ ଆଡିଲେଡ୍‌ ପଡ଼ିଆରେ ବିବାହ ହେଲେ ଏହା ଚମତ୍କାର ଅନୁଭବ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର