କୋହଲିଙ୍କୁ ସନ୍ତୁଳନ ରକ୍ଷା କରିବାକୁ ହେବ: ସୌରଭ ଗାଙ୍ଗୁଲି

ବିରାଟ କୋହଲିଙ୍କ ପ୍ରଥମ ବିଦେଶ ଶୃଙ୍ଖଳାର ଆରମ୍ଭ ଶୁକ୍ରବାର ହେଉଛି। ଦକ୍ଷିଣ ଆଫ୍ରିକା ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାରୁ ଏହା ନିଶ୍ଚିତ ଭାବେ କଷ୍ଟକର। ୨୦୧୭ରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଏବର୍ଷ ମଧ୍ୟ ସେମାନେ ସେହି ଧାରା ବଜାୟ ରଖିବା ଲକ୍ଷ୍ୟରେ ଥିବେ। ତେବେ ଆମକୁ ବୁଝିବାକୁ ହେବ ଯେ ଏହା ଘରୋଇ ପରିବେଶରେ ଖେଳିବାଠାରୁ ଏକଦମ ଅଲଗା ଏବଂ ଭିନ୍ନ ହେବ। ହେଲେ ମୋର ଦୃଢ଼ ବିଶ୍ୱାସ ଯେ ଏବେକାର ଦଳ ପାଖରେ ପୁରୁଣା ପରିସଂଖ୍ୟାନକୁ ବଦଳାଇବାର ଶକ୍ତି ଏବଂ ସାମର୍ଥ୍ୟ ରହିଛି। ଭାରତ ପାଇଁ କିନ୍ତୁ ବିରାଟଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଢେର ମହତ୍ୱ ରଖିବ। ଅଧିନାୟକ ଭାବେ ଏହା ବିରାଟଙ୍କର ପ୍ରଥମ ବିଦେଶ ଗସ୍ତ ଏବଂ ଜଣେ ବ୍ୟାଟ୍ସମ୍ୟାନ୍‌ ଏବଂ ଅଧିନାୟକ ମଧ୍ୟରେ ତାଙ୍କୁ ସନ୍ତୁଳନ ରକ୍ଷା କରିବାକୁ ହେବ। ବିଦେଶ ମାଟିରେ ଆଡିଲେଡ୍‌ ଏବଂ ସିଡ୍‌ନିରେ ତୁଲାଇଥିବା ଅଧିନାୟକ ଭୂମିକାକୁ ସେ ଚମତ୍କାର ଢଙ୍ଗରେ ତୁଲାଇଥିଲେ। ସେହି ସଫଳତା ତାଙ୍କ ମନରେ ସଜେତ ଥିବା ବୋଲି ମୁଁ ଭାବୁଛି। କାରଣ ଏହା ନିଶ୍ଚିତ ଭାବେ ତାଙ୍କୁ ଦକ୍ଷିଣ ଆଫ୍ରିକାରରେ ଭଲ କରିବା ଲାଗି ପ୍ରେରଣା ଏବଂ ଉତ୍ସାହ ଦେବ। ଭାରତ ପାଇଁ ଦଳୀୟ ସନ୍ତୁଳନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ମୁଁ ହାର୍ଦିକ ପାଣ୍ଡ୍ୟାଙ୍କୁ ଚୂଡ଼ାନ୍ତ ଏକାଦଶରେ ଦେଖିବାକୁ ଚାହିଁବି। ହାର୍ଦିକ ଭାରତକୁ ପଞ୍ଚମ ବୋଲର ବିକଳ୍ପ ପ୍ରଦାନ କରିବେ। ଦକ୍ଷିଣ ଆଫ୍ରିକାରେ ୨୦ ଓ୍ଵିକେଟ୍‌ ଦଖଲ କରିବାକୁ ହେଲେ ପଞ୍ଚମ ବିଶେଷଜ୍ଞ ବୋଲର ନିଶ୍ଚିତ ଭାବେ ଦରକାର ପଡ଼ିବେ। ପାଣ୍ଡ୍ୟା, ଋଦ୍ଧିମାନ ସାହା ଏବଂ ଆର ଅଶ୍ୱିନଙ୍କ ସହ ଭୁବନେଶ୍ୱର କୁମାର ମଧ୍ୟ ବ୍ୟାଟିଂ କରି ପାରିବେ। ଏଣୁ ପାଣ୍ଡ୍ୟାଙ୍କୁ ଖେଳାଇବା ବୁଦ୍ଧିମତାର ପରିଚୟ ହେବ।

ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଦକ୍ଷିଣ ଆଫ୍ରିକାରେ ସଫଳତା ଅବଶ୍ୟ ବୋଲର କେଉଁ ଲେନ୍ଥରେ ବଲ୍‌ ପକାଉଛନ୍ତ ତା’ ଉପରେ ଅଧିକ ନିର୍ଭର କରିବ। ସେମାନଙ୍କୁ ଷ୍ଟମ୍ପ୍‌କୁ ହିଟ୍‌ କରୁଥିବା ଫୁଲ୍‌ ଲେନ୍ଥ୍‌ ବଲ୍‌ ପକାଇବାକୁ ହେବ। ଅନ୍ୟପକ୍ଷରେ ସଟ୍‌ ପିଚ୍‌ ବୋଲିଂ କରିବା ଦକ୍ଷିଣ ଆଫ୍ରିକାର ହାତ କଣ୍ଢେଇ ଭଳି ହେବ। ରବି ଅଶ୍ୱିନଙ୍କ ପାଇଁ ବ୍ୟକ୍ତିଗତ ଭାବେ ଏହି ଶୃଙ୍ଖଳା ଅତି ମହତ୍ୱପୂର୍ଣ୍ଣ। ଅଶ୍ୱିନ ସଂପ୍ରତି ଏଭଳି ସ୍ଥିତିରେ ଅଛନ୍ତି ଯେଉଁଠି ତାଙ୍କୁ ସମସ୍ତଙ୍କୁ ନିଜ ଦକ୍ଷତା ବିଷୟରେ ଚେତାଇବାକୁ ପଡ଼ିବ। ବିଦେଶରେ ତାଙ୍କ ସଫଳତା ନେଇ ଉଠୁଥିବା ପ୍ରଶ୍ନ ଏହା ଦ୍ୱାରା ଦୂର ହୋଇଯିବ। ତେବେ ଏହା ମଧ୍ୟ ମାନିବାକୁ ହେବ ଯେ ୩୦୦ ଓ୍ଵିକେଟ୍‌ ନେଇଥିବା ବୋଲର ପାଖରେ ଦକ୍ଷତାର ଅଭାବ ଆଦୌ ନଥିବ। (ଗେମପ୍ଲାନ୍‌)

ସମ୍ବନ୍ଧିତ ଖବର