କୋହଲିଙ୍କ ଶତକ ଅନେକ ଦିନ ମନେ ରହିବ

ସୁନୀଲ ଗାଭାସ୍କର

ଭାରତର ଦୁଇ ଶ୍ରେଷ୍ଠ କ୍ରିକେଟର୍‌ ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଇଂଲଣ୍ଡ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ୨୦୧୪ ମସିହା ଗସ୍ତର ନିରାଶା ଅଭୁଲା ରହିଛି। ୪ ବର୍ଷ ପରେ ଏବେ ଉଭୟ ମହାନ ଖେଳାଳି ହେବା ଦିଗରେ ଆଗକୁ ବଢ଼ିଛନ୍ତି ଏବଂ ଶିଖରରେ ପହଞ୍ଚିଛନ୍ତି। ପ୍ରଥମ ଟେଷ୍ଟ୍‍ ଅଧା ସ୍ଥିତିରେ ଥିଲେ ବି ଉଭୟ ନିଜକୁ ମହାନତାର ମନ୍ଦିରରେ ସ୍ଥାପିତ କରିସାରିଛନ୍ତି। ଉଭୟଙ୍କ ଦକ୍ଷତା ଓ ଆଚରଣରେ କୌଣସି ଦ୍ୱନ୍ଦ୍ୱ ନାହିଁ, କିନ୍ତୁ ପ୍ରମାଣିତ କରିବାର ବେଳ ଆସିଛି। ଅଶ୍ୱିନ୍‌ ଉଭୟ ପାର୍ଶ୍ୱରେ ବଲ୍‌କୁ ଯେଭଳି ଟର୍ନ କଲେ, କେହି କହିପାରିବେ ନାହିଁ ପିଚ୍‌ରୁ ତାଙ୍କୁ ସହାୟତା ମିଳିଥିଲା। ନିଜ ଦକ୍ଷତା ବଳରେ ହିଁ ସେ ଇଂଲଣ୍ଡ ବ୍ୟାଟସମ୍ୟାନ୍‌ଙ୍କ ଚତୁଃପାର୍ଶ୍ୱରେ ଜାଲ ବୁଣି ଫସାଇଥିଲେ। ଆଲେଷ୍ଟର୍‌ କୁକ୍‌ଙ୍କ ପାଖରେ ଅଭିଜ୍ଞତା ଥିଲା, କିନ୍ତୁ ଅଶ୍ୱିନ୍‌ ଯେଉଁ ବଲ୍‌ ପକାଇଥିଲେ ଏହା ସହଜ କରି ଦେଇଥିଲା।

ଏହା ପରେ ଭାରତୀୟ ଦଳ ଅଧିନାୟକ ନିଜ ପ୍ରଦର୍ଶନ ଜରିଆରେ ମୋଡ଼ ଆଣିଥିଲେ ଏବଂ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ବୋଲି ଦେଖାଇ ଦେଇଥିଲେ। ଭାରତ ୩ ଓ୍ଵିକେଟ୍‌ ହରାଇବା ପରେ କୋହଲି ଜଗିରଖି ଖେଳିଥିଲେ। ଜିମ୍ମି ଆଣ୍ଡରସନ୍‌ ତାଙ୍କ ଅଫ୍‌ଷ୍ଟମ୍ପ ବାହାରେ ସୁଇଙ୍ଗ ଜରିଆରେ ପରୀକ୍ଷା ନେଇଥିଲେ। ଏହା ପରେ ସବୁ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ମିଳୁଥିବା ଭଳି ଭାଗ୍ୟ ତାଙ୍କ ସପକ୍ଷରେ ଥିଲା। ନିମ୍ନକ୍ରମ ବ୍ୟାଟସମ୍ୟାନ୍‌ଙ୍କୁ ନେଇ ସେ ଯେଭଳି ଖେଳିଲେ ତାହା ଚମତ୍କାର ଥିଲା, ଜୋ ରୁଟ୍‌ଙ୍କ ପଡ଼ିଆ ସଜା କିନ୍ତୁ ପିଲାଳିଆମି ପାଲଟିଥିଲା। କୋହଲିଙ୍କ ଏ ଶତକ କିନ୍ତୁ ଅନେକ ଦିନ ମନେ ରହିବ। କେବଳ ତାଙ୍କ ଦକ୍ଷତା ଓ ସ୍ୱଭାବ ପାଇଁ ନୁହେଁ, ବରଂ ଦୟନୀୟ ସ୍ଥିତିରୁ ବିଜୟ ପରିସ୍ଥିତିକୁ ଆଣିଥିବାରୁ। କୋହଲି ଏଭଳି ପାଳି ଖେଳିବା ପାଇଁ ହିଁ କାଉଣ୍ଟି କ୍ରିକେଟ୍‌ ଲାଗି ଆଗ୍ରହ ପ୍ରକାଶ କରିଥିଲେ। ସେ ଏଭଳି ଜଣେ ବିରଳ ପ୍ରତିଭା ଯିଏ ମଝି ରାତିରେ ଉଠିଲେ ବି ରନ୍‌ କରିପାରିବେ। ତାଙ୍କଠାରୁ କମ୍‌ ପ୍ରତିଭାର ଖେଳାଳି ଲାଲ୍‌ ବଲ୍‌ ବିପକ୍ଷରେ ଭଲ ଖେଳିବା ଲାଗି ଅନେକ ସମୟ ନେଇଥାନ୍ତି, ତଥାପି ଗତିଶୀଳ ବଲ୍‌ ଆଗରେ ସଂଘର୍ଷ କରିଥାନ୍ତି। ଭାରତ ଟେଷ୍ଟ୍‍ ଓ ଶୃଙ୍ଖଳା ଜିତିପାରେ କିନ୍ତୁ ୧୫ ଦିନ ବିଶ୍ରାମ ଥାଇ ଗୋଟିଏ ମାତ୍ର ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବା ଅନ୍ୟ ବ୍ୟାଟସମ୍ୟାନ୍‌ଙ୍କୁ ସହାୟକ ହୋଇନାହିଁ। କୋହଲିଙ୍କ ଛଡ଼ା ଅନ୍ୟମାନଙ୍କୁ ଲାଲ୍‌ ବଲ୍‌ ବିପକ୍ଷରେ ଭଲ ଖେଳିବାକୁ ଅଧିକ ସମୟ ଦରକାର ଥିଲା। କାରଣ କୋହଲି ସବୁଥର ଦଳକୁ ଏ ଟେଷ୍ଟ୍‍ ଭଳି ଉଦ୍ଧାର କରିନପାରନ୍ତି। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର