ସଚିନ୍‌ଙ୍କ କୀର୍ତିମାନକୁ ଟପିବେ କୋହଲି!

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳା ୨୧ରୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଗାମୀ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଅବସରରେ ଆଉ ଏକ ବ୍ୟାଟିଂ କୀର୍ତିମାନକୁ ଭାଙ୍ଗିବାର ସୁଯୋଗ ପାଇବେ। ଏହି ଶୃଙ୍ଖଳାରେ ଆଉ ୧୮୭ ରନ୍‌ କରିପାରିଲେ କୋହଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ପକ୍ଷରୁ ସର୍ବାଧିକ ଦିନିକିଆ ଆନ୍ତର୍ଜାତିକ ରନ୍‌ ସ୍କୋରର୍‌ ହେବାରେ ସର୍ବକାଳୀନ କୀର୍ତିମାନ ନିଜ ନାମରେ କରିନେବେ। ଏକ୍ଷେତ୍ରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ଟପିଯିବେ। ଅବସର ନେଇସାରିଥିବା ତେନ୍ଦୁଲକର ତାଙ୍କ ଦୁଇ ଦଶନ୍ଧୀରୁ ଅଧିକ ସମୟର ଜାଜୁଲ୍ୟମାନ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମୋଟ ୩୯ ଦିନିକିଆ ମ୍ୟାଚ୍‌ ଖେଳି ୫୨.୭୩ ହାରରେ ୧୫୭୩ ରନ୍‌ କରିଛନ୍ତି। ସେଥି ମଧ୍ୟରେ ୪ ଶତକ ଓ ୧୧ ଅର୍ଧଶତକ ସାମିଲ ରହିଛି। ବିରାଟ କୋହଲି ଏପର୍ଯ୍ୟନ୍ତ ଇଣ୍ଡିଜ୍‌ ବିପକ୍ଷରେ ୨୭ ଦିନିକିଆ ମ୍ୟାଚ୍‌ ଖେଳି ସାରିଥିଲା ବେଳେ ୬୦.୩୦ ହାରରେ ୧୩୮୭ ରନ୍‌ କରିସାରିଛନ୍ତି। ଏବର ଏହି ଅଧିନାୟକ ସଚିନ୍‌ଙ୍କ ଭଳି ୪ ଶତକ ଜମାଇ ସାରିଥିଲା ବେଳେ ୯ ଅର୍ଧଶତକ ମାରିଛନ୍ତି। ତେଣୁ ଇଣ୍ଡିଜ୍‌ ବିପକ୍ଷ ୫ ମ୍ୟାଚ୍‌ ଶୃଙ୍ଖଳାରେ ସଚିନ୍‌ଙ୍କ ସବୁ (ଶତକ, ଅର୍ଧଶତକ ଓ ମୋଟ ରନ୍‌) କୀର୍ତିମାନକୁ ଟପିଯିବାର ସୁଯୋଗ କୋହଲିଙ୍କ ପା‌ଖରେ ରହିଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସର୍ବାଧିକ ଦିନିକିଆ ରନ୍‌ କରିଥିବା କୌଣସି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ ସଚିନ୍‌ ଓ କୋହଳିଙ୍କ ପଛକୁ ରାହୁଲ ଦ୍ରାବିଡ୍‌ (୧୩୪୮ ରନ୍‌, ୪୦ ମ୍ୟାଚ୍‌), ସୌରଭ ଗାଙ୍ଗୁଲି (୧୧୪୨ ରନ୍‌, ୨୭ ମ୍ୟାଚ୍‌), ମହମ୍ମଦ ଆଝାରୁଦ୍ଦିନ୍‌ (୯୯୮ ରନ୍‌, ୪୩ ମ୍ୟାଚ୍‌), ଯୁବରାଜ ସିଂହ (୯୭୮ ରନ୍‌, ୩୧ ମ୍ୟାଚ୍‌) ଏବଂ ମହେନ୍ଦ୍ର ସିଂହ ଧୋନି (୮୯୯ ରନ୍‌, ୩୩ ମ୍ୟାଚ୍‌) ଯଥାକ୍ରମେ ତୃତୀୟରୁ ସପ୍ତମ ସ୍ଥାନରେ ରହିଛନ୍ତି।

ଟିକେଟ ବିକ୍ରି ଉପରେ ରହିତାଦେଶ ଦେବାକୁ ଉଚ୍ଚତମ ନ୍ୟାୟାଳୟ ମନାକଲେ
ଦୁବାଇ: ଚଳିତ ମାସ ୨୯ ତାରିଖରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଅନ୍ତର୍ଜାତୟ ଦିନିକିଆ ମ୍ୟାଚ୍‌ର ଟିକେଟ ବିକ୍ରି ଉପରେ ମଧ୍ୟବର୍ତିକାଳୀନ ରହିତାଦେଶ ଜାରି କରିବାକୁ ବମ୍ବେ ଉଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି। ବିସିସିଆଇ ଏହି ମ୍ୟାଚ୍‌କୁ ୱାଙ୍ଖଡ଼େରୁ ବ୍ରାବର୍ଣ୍ଣ ଷ୍ଟାଡିୟମକୁ ସ୍ଥାନାନ୍ତର କରିବାକୁ ବିରୋଧ କରି ମୁମ୍ବାଇ କ୍ରିକେଟ୍ ସଂଘ ଏବଂ ଏହାର ଦୁଇ ସଦସ୍ୟ ଦାୟର କରିଥିବା ମାମଲାର ବିଚାର କରି ବିଚାରପତି ବିଆର୍‌ ଗଭାଇ ଏବଂ ଏମଏସ୍ କାର୍ନିକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ଲାଗି ମାନ୍ୟବର ଖଣ୍ଡପୀଠ ଆସନ୍ତା ୨୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଥିବା ଭାରତ-ୱେଷ୍ଟଇଣ୍ଡିଜ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ ବ୍ରାବର୍ଣ୍ଣ ଷ୍ଟାଡିୟମରେ ଆୟୋଜିତ ହେବାର ଅଛି।

ଗସ୍ତର ୧୦ ଦିନ ପରେ ‘ୱାଗ୍‌’ ଯାଇପାରିବେ
ମୁମ୍ବାଇ: କ୍ରିକେଟ୍‌ ଖେଳାଳିଙ୍କ ସହିତ କୌଣସି ଗସ୍ତରେ ସେମାନଙ୍କ ପତ୍ନୀ କିମ୍ବା ପ୍ରେମିକା (ୱାଗ୍‌ସ) ରହିବା ନେଇ ବିରାଟ କୋହଲିଙ୍କ ଅନୁରୋଧକୁ ଗ୍ରହଣ କରିଛି ଭାରତୀୟ କ୍ରିକେଟ୍‌ ବୋଡ (ବିସିସିଆଇ)। ପୂର୍ବରୁ ଖେଳାଳିଙ୍କ ସହ ‘ୱାଗ୍‌ସ’ ଯାତ୍ରା କରିପାରିବେନି ବୋଲି ଯେଉଁ ନୀତି ଥିଲା ସେଥିରେ ବିସିସିଆଇ ପରିବର୍ତନ ଆଣିଛି। ଏଣିକି କୌଣସି ଗସ୍ତର ପ୍ରଥମ ୧୦ ଦିନ ପରେ ‘ୱାଗ୍‌ସ’ ଯାତ୍ରା କରି ଖେଳାଳିଙ୍କ ସହ ଯୋଗ ଦେଇପାରିବେ। ‘ୱାଗ୍‌ସ’ ସେହିଠାରୁ ଗସ୍ତ ଶେଷ ହେବା ପର୍ଯ୍ୟନ୍ତ ଖେଳାଳିଙ୍କ ସହ ରହିପାରିବେ ବୋଲି ସିଓଏ (ପ୍ରଶାସକ ସମିତି) ନିଷ୍ପତ୍ତି ନେଇଛି। ଖେଳାଳି, ପ୍ରଶିକ୍ଷକ ଏବଂ ସହକାରୀମାନଙ୍କ ‘ୱାଗ୍‌ସ)ମାନେ ନିହାତି ଦୁଇ ସପ୍ତାହ ପାଇଁ ସେମାନଙ୍କ ସହ ଯାତ୍ରା କରିପାରିବେ ବୋଲି ସିଓଏ ସ୍ପଷ୍ଟ କରିଛି। ଏହାଦ୍ବାରା କୌଣସି କ୍ଷତି ଘଟିବ ନାହିଁ ବୋଲି ମଧ୍ୟ ସିଓଏ ମତ ଦେଇଛି। ବରଂ ‘ୱାଗ୍‌ସ’ଙ୍କ ଉପସ୍ଥିତି ଖେଳାଳିମାନଙ୍କୁ ଭଲ କରିବାରେ ସହାୟକ ହେବ ବୋଲି ସିଏଓ କହିଛନ୍ତି। ଅବଶ୍ୟ ଏହି ନିଷ୍ପତ୍ତି ନେବା ପୂର୍ବରୁ ସିଓଓ ଅଧିନାୟକ ବିରାଟ କୋହଲି, ଉପଅଧିନାୟକ ରୋହିତ ଶର୍ମା ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଗତ ସପ୍ତାହରେ ହାଇଦ୍ରାବାଦରେ ଆଲୋଚନା କରିଥିଲା।

ସମ୍ବନ୍ଧିତ ଖବର