ବିଦେଶ ଗସ୍ତରେ ପତ୍ନୀଙ୍କୁ ସାଙ୍ଗରେ ରଖିବାର ଅନୁମତି ଦିଅ

ବିସିସିଆଇକୁ କୋହଲିଙ୍କ ଅନୁରୋଧ

ନୂଆଦିଲ୍ଲୀ: ସଂପୂର୍ଣ୍ଣ ବିଦେଶ ଗସ୍ତରେ ପତ୍ନୀ ଏବଂ ପ୍ରେମିକାଙ୍କୁ ପାଖରେ ରଖିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଏଥିନେଇ ସେ ବିସିସିଆଇ ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ)କୁ ଆନୁଷ୍ଠାନିକ ଅନୁରୋଧ କରିଛନ୍ତି। ହେଲେ ତାଙ୍କ ଅନୁରୋଧ ତୁରନ୍ତ ମଞ୍ଚୁରି ପାଇବାର ଆଶା କମ୍ ରହିଛି। କୋହଲିଙ୍କ ଅନୁରୋଧ ବିଷୟରେ ତୁରନ୍ତ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ସିଓଏ ରବିବାର ସଂକେତ ଦେଇଛି। ହଁ କୋହଲି ଆମକୁ ଏମିତି ଏକ ଅନୁରୋଧ କରିଛନ୍ତି। ନିକଟ ଭବିଷ୍ୟତରେ କିନ୍ତୁ ଆମେ ଏଥିନେଇ କୌଣସି ନିଷ୍ପତ୍ତି ନେବାର ସମ୍ଭାବନା ନାହିଁ। ବିସିସିଆଇର ନୂଆ କର୍ମକର୍ତା ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଆମେ କୋହଲିଙ୍କୁ ଏହି ବିଷୟରେ ଜଣାଇ ଦେଇଛୁ ବୋଲି ସିଓଏର ଜଣେ ସଦସ୍ୟ କହିଛନ୍ତି। ବିଦେଶ ଗସ୍ତରେ ପତ୍ନୀ ଏବଂ ପ୍ରେମିକାଙ୍କୁ ଭାରତୀୟ ଖେଳାଳିମାନେ ସର୍ବାଧିକ ଦୁଇ ସପ୍ତାହ ନିଜ ପାଖରେ ରଖି ପାରିବେ ବୋଲି ପୂର୍ବରୁ ବିସିସିଆଇ ଘୋଷଣା କରିଥିଲା। ତେବେ କୋହଲି ପୂରା ଗସ୍ତ ଲାଗି ଏଭଳି ଅନୁମତି ଦେବାକୁ ଅନୁରୋଧ କରିଥିବା ଜଣା ପଡ଼ିଛି।

ଶାକାହାରୀ ପାଲଟିଲେ କୋହଲି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବେ ସଂପୂର୍ଣ୍ଣ ଶାକାହାରୀ ପାଲଟି ଯାଇଛନ୍ତି। ଚାରି ମାସ ତଳୁ ସେ ଆମିଷ ଛାଡ଼ି ଦେଇଥିବା ଜଣା ପଡ଼ିଛି। ନିରାମିଷ ଖାଦ୍ୟ ଖାଇବା ଦ୍ବାରା ସେ ଅଧିକ ସୁସ୍ଥ ଅନୁଭବ କରିବା ସହ ଏହା ତାଙ୍କ ଖେଳ ଉପରେ ସକାରାତ୍ମକ ପ୍ରଭାବ ପକାଇଛି ବୋଲି ‌େକାହଲି କହିଛନ୍ତି। ଏବେ କୋହଲି କେବଳ ପ୍ରୋଟିନ୍ ସେକ୍‌, ପନିପରିବା ଏବଂ ସୋୟାବିନ୍ ଖାଉଛନ୍ତି। କ୍ଷୀର ଜାତୀୟ ଖାଦ୍ୟ, ଅଣ୍ଡା ଓ ମାଛ ମାଂସକୁ ସେ ପରିତ୍ୟାଗ କରିଛନ୍ତି। ନୂଆ ଖାଦ୍ୟ ପ୍ରଣାଳୀ ହଜମ ଶକ୍ତିକୁ ବଢ଼ାଇଛି। ତା’ ସହ ସେ ତୁଳନାତ୍ମକ ଭାବେ ଅଧିକ ଶକ୍ତିଶାଳୀ ଅନୁଭବ କରୁଥିବା କୋହଲି ପ୍ରକାଶ କରିଛନ୍ତି। ସେହିଭଳି ଆଗ ଅପେକ୍ଷା ସେ ଟିକିଏ ଶାନ୍ତ ମଧ୍ୟ ପଡ଼ି ଯାଇଛନ୍ତି। କେବଳ କୋହଲି ନୁହନ୍ତି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ବି ଆଉ ଆମିଷ ଖାଉ ନାହାନ୍ତି।

ସମ୍ବନ୍ଧିତ ଖବର