ବିରାଟ ଖେଳିବେ ନୂଆ ଇନିଂସ: ଏଇ ମାସରେ ବିବାହ, ଇଟାଲିରେ ଭବ୍ୟ ଅୟୋଜନ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ବୁଧବାର ଶେଷ ହୋଇଥିବା ୩ଟି ମ୍ୟାଚର ଶୃଙ୍ଖଳାକୁ ୧-୦ରେ ବିଜୟୀ ହେବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଛନ୍ତି। ଏହି ବିଶ୍ରାମ ସମୟରେ .ସେ ଜୀବନର ନୂଅା ଇନିଂସ ଅାରମ୍ଭ କରିବେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କୋହଲି ଓ ଅନୁଷ୍କା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁସାରେ ଡିସେମ୍ବର ୨ୟ ସପ୍ତାହରେ ଉଭୟ ସେଲିବ୍ରିଟିଙ୍କ ବିବାହ ଅନୁଷ୍ଠିତ ହେବ। ବିଦେଶରେ ହେଉଥିବା ଏହି ବିବାହୋତ୍ସବରେ ବଲିଉଡ଼, କ୍ରିକେଟ ଓ ରାଜନୀତିର ଜଣାଶୁଣା ବ୍ୟକ୍ତି ଉପସ୍ଥିତ ରହିବେ।

ରୋମାଣ୍ଟିକ ଦେଶ ଭାବରେ ଜଣାଶୁଣା ଇଟାଲିର ମିଲାନ୍ ସହରରେ କୋହଲି ଓ ଅନୁଷ୍କାଙ୍କ ବିବାହ ଅନୁଷ୍ଠିତ ହେବ। ଆଶା କରାଯାଉଛି ଯେ, ଡିସେମ୍ବର ୯,୧୦ କିମ୍ବା ୧୧ରେ ଏହା ହୋଇପାରେ। ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ପରିବାର ସଦସ୍ୟଙ୍କ ଇଟାଲି ପାଇଁ ଟିକେଟ ବୁକ୍‌ ହୋଇ ସାରିଛି। ସେହିଭଳି ସେମାନଙ୍କ ପରିବାର ସହିତ ଘନିଷ୍ଠ ସମ୍ପର୍କୀୟମାନେ ମଧ୍ୟ ବିବାହ ଉତ୍ସବରେ ଯୋଗଦେବେ। ଏଥିପାଇଁ ନିମନ୍ତ୍ରଣ ଦିଆଯାଇଛି।

କିଛି ଦିନ ତଳେ କୋହଲି ଜାତୀୟ ଗଣମାଧ୍ୟକୁ କହିଥିଲେ ଯେ, ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ବିଶ୍ରାମ ଦରକାର। ଭାରତ-ଶ୍ରୀଲଙ୍କା ମଧ୍ୟରେ ଡିସେମ୍ବର ୧୦ରୁ ୩ଟି ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ବେଳେ, ୩ଟି ଟି-୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚ ମୁମ୍ବାଇର ଓ୍ଵାନଙ୍ଖେଡେ ଷ୍ଟାଡିୟମରେ ଆଗାମୀ ଡିସେମ୍ବର ୨୨ରେ ଖେଳାଯିବ। ଭାରତୀୟ ଟିମ ଟି-୨୦ ମ୍ୟାଚର ଦୁଇ ଦିନ ପରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ପାଇଁ ଗସ୍ତ କରିବ।

ଅସଲ କଥା ହେଲା ଯେ, ଟେଷ୍ଟ ମ୍ୟାଚ ଓ ବିଶ୍ରାମ ଭିତରେ ବ୍ୟବଧାନ ନେଇ କୋହଲି କିଛି ଦିନ ତଳେ ଯେଉଁ ଟିପ୍ପଣୀ ଦେଇଥିଲେ କ୍ରିକେଟ ପ୍ରେମୀ ଓ ଦର୍ଶକ ସହଜରେ ମାନି ଯାଇଥିଲେ। କିନ୍ତୁ କୋହଲି ଜୀବନର ନୂଆ ଇନିଂସ ବାବଦରେ ଗଣମାଧ୍ୟମ ଆଗରେ କିଛି କହି ନଥିଲେ। ତଥାପି ପ୍ରଶଂସକମାନେ କୋହଲିଙ୍କ ଦ୍ୱାରା ଲୁଚାଯାଇଥିବା କଥାକୁ ସନ୍ଦେହ କରୁଥିଲେ। କୋହଲିଙ୍କ ନୂଆ ଇନିଂସ ହେଲା ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ବିବାହ ବନ୍ଧନ।

 

ଏମିତି ଥିଲା ଚର୍ଚ୍ଚା

କ୍ରିକେଟର ବିରାଟ କୋହଲି ଶ୍ରୀଲଙ୍କା ବିରୋଧରେ ଡିସେମ୍ବର ୧୦ରୁ ୨୨ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚରେ ବିଶ୍ରାମ ନେବା ପାଇଁ ବିସିସିଆଇକୁ ଆବେଦନ କରିଥିଲେ। ଏଥିରୁ କିଛି ଲୋକ ପୂର୍ବାନୁମାନ କରୁଥିଲେ ଯେ, କୋହଲି-ଅନୁଷ୍କାଙ୍କ ବିବାହ ହେବ। ଛୁଟିର କାରଣ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନରେ କୋହଲି କହିଥିଲେ, ଏହା ବ୍ୟକ୍ତିଗତ ମାମଲା।

 

ସମ୍ବନ୍ଧିତ ଖବର