ଭାରତୀୟ ଦ୍ରୁତ ବୋଲରଙ୍କୁ କୋହଲିଙ୍କ ଆହ୍ବାନ : ଆଇପିଏଲ୍ ନୁହେଁ, ବିଶ୍ବକପ୍‌ ଆଗ

ମୁମ୍ବାଇ: ଆସନ୍ତାବର୍ଷ ଆଇପିଏଲ୍ ଶେଷ ହେବାର ମାତ୍ର ୧୦ ଦିନ ପରେ ଇଂଲଣ୍ଡରେ ୫୦ ଓଭରିଆ ବିଶ୍ବକପ୍ ଆରମ୍ଭ ହେବ। ସେଥିପାଇଁ ଏହି ଚର୍ଚିତ ଟ୍ବେଣ୍ଟି-୨୦ ଲିଗ୍‌ ପରିବର୍ତେ ବିଶ୍ବକପ୍‌କୁ ବାଛିବାକୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିଜ ଦ୍ରୁତ ବୋଲରମାନଙ୍କୁ ଆହ୍ବାନ ଦେଇଛନ୍ତି। ଦ୍ରୁତ ବୋଲରମାନେ ଭଲ ଭାବରେ ବିଶ୍ରାମ ନେଇ ସୁସ୍ଥ ଓ ସତେଜ ମନରେ ବିଶ୍ବକପ ଯାଆନ୍ତୁ ବୋଲି ‌କୋହଲି ଚାହୁଁଛନ୍ତି। ବିସିସିଆଇର ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରା ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ସହ ହୋଇଥିବା ବୈଠକରେ ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାରଙ୍କ ଭଳି ବୋଲରଙ୍କୁ ଆଇପିଏଲ୍ ଅବସରରେ ବିଶ୍ରାମ ଦେବାକୁ କୋହଲି କହିଛନ୍ତି। ତେବେ ଏଥିନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନଥିବା ଜଣାପଡ଼ିଛି। ଆଇପିଏଲ୍‌ରୁ ଦୂରେଇ ରହିବା ଲାଗି କିନ୍ତୁ ଭାରତୀୟ ବୋଲରମାନେ ଆବଶ୍ୟକ କ୍ଷତିପୂରଣ ଚାହୁଁଥିବା ଜଣାପଡ଼ିଛି। ଦ୍ରୁତ ବୋଲରମାନେ ଆଇପିଏଲ୍‌ର ପ୍ରଥମ କିମ୍ବା ଦ୍ବିତୀୟାର୍ଧରୁ ଗୋଟିକରେ ଖେଳିଲେ ଭଲ ହେବ ବୋଲି ଭାରତୀୟ ଦଳର କେତେକ ଅଭିଜ୍ଞ ଖେଳାଳି ପରାମର୍ଶ ଦେଇଥିବା ଜଣାପଡ଼ିଛି। ସିଓଏ ସହ ହୋଇଥିବା ଏହି ବୈଠକରେ କୋହଲିଙ୍କ ସହ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଉପସ୍ଥିତ ଥିଲେ। କୋହଲିଙ୍କ ଏହି ଅନୁରୋଧ କିନ୍ତୁ କେତେକ ଆଇପିଏଲ୍ ଫ୍ରାଞ୍ଚାଇଜ୍‌ଙ୍କୁ ଅଡ଼ୁଆରେ ପକାଇପାରେ। ଏଥିଲାଗି ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ହରାଇପାରେ। ସିଓଏ ଏଥିନେଇ ଆଇପିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ହେମାଙ୍ଗ ଅମିନଙ୍କ ସହ ଆଲୋଚନା କରି ସାରିଛି। କୋହଲି, ରାହାଣେ ଓ ରୋହିତ କିନ୍ତୁ ଏଭଳି କୌଣସି ଅନୁରୋଧ ବ୍ୟାଟ୍ସମ୍ୟାନଙ୍କ ପାଇଁ କରିନାହାନ୍ତି।
ଅନ୍ୟପକ୍ଷରେ ଜଣେ ପ୍ରଶଂସକଙ୍କୁ ଭାରତ ବାହାରକୁ ଚାଲିିଯିବାକୁ କହି ବିବାଦ ‌େଘରକୁ ଆସିଥିବା କୋହଲି ଗୁରୁବାର ଏଥିନେଇ ସଫେଇ ଦେଇଛନ୍ତି। ଭାରତୀୟଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ମୁଁ ଏଭଳି ପ୍ରତିକ୍ରିୟା କରିଥିଲି। ପସନ୍ଦର ନିରପେକ୍ଷତା ସପକ୍ଷରେ ମୁଁ ସର୍ବଦା ରହିଥାଏ। ପ୍ରକାଶ ଯୋଗ୍ୟ ଯେ ସମ୍ପୃକ୍ତ ପ୍ରଶଂସକ ଜଣକ ମୁଁ ଭାରତୀୟ ଖେଳାଳି ନୁହେଁ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପସନ୍ଦ କରେ ବୋଲି କହିବା ପରେ କୋହଲି ତାଙ୍କୁ ଭାରତ ଛାଡ଼ି ଚାଲିଯିବାକୁ କଟାକ୍ଷ କରିଥିଲେ।

ପ୍ରସ୍ତାବକୁ ଫ୍ରାଞ୍ଚାଇଜ୍‌ ଗ୍ରହଣ କରିବା ସମ୍ଭାବନା କମ୍
ଆଇପିଏଲ୍‌ର ଦ୍ବାଦଶ ସଂସ୍କରଣରେ ଭାରତୀୟ ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦେବା ଲାଗି ଅଧିନାୟକ ବିରାଟ କୋହଲି ଆହ୍ବାନ ଦେଇଛନ୍ତି। କୋହଲିଙ୍କର ଏହି ପ୍ରସ୍ତାବକୁ କିନ୍ତୁ ଫ୍ରାଞ୍ଚାଇଜ୍‌ ଗ୍ରହଣ କରିବାର ସମ୍ଭାବନା କମ୍ ରହିଛି। ଏପରିକି ବିସିସିଆଇର କେତେକ କର୍ମକର୍ତା ତାଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରୁନଥିବା ଜଣାପଡ଼ିଛି। ଆସନ୍ତାବର୍ଷର ଆଇପିଏଲ୍ ମାର୍ଚ ୨୯ରୁ ଆରମ୍ଭ ହୋଇ ମେ ୧୯ରେ ଶେଷ ହେବ। ଭାରତ ଏହାର ୧୫ ଦିନ ପରେ ପ୍ରଥମ ବିଶ୍ବକପ୍ ମ୍ୟାଚ୍ ଖେଳିବ। ସେଥିପାଇଁ ଭାରତୀୟ ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦେବାର ଆବଶ୍ୟକତା ନାହିଁ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ଏପରିକି ରୋହିତ ମଧ୍ୟ ବୁମ୍‌ରାଙ୍କୁ ବିଶ୍ରାମ ଦେବା ସପକ୍ଷରେ ନାହାନ୍ତି।

ସମ୍ବନ୍ଧିତ ଖବର