କୋହଲିଙ୍କ ବିରାଟ ଶତକ: କୋହଲି-୧୦୪ ରନ୍‌-୧୧୨ ବଲ୍‌-୫ ଚୌକା-୨ ଛକା

ମାର୍ସ ଶତକ ବେକାର, ଆଡିଲେଡ୍‌ ଦିନିକିଆକୁ ୬ ୱିକେଟ୍‌ରେ ଜିତିଲା ଭାରତ, ଶୃଙ୍ଖଳା ୧-୧

ଆଡିଲେଡ୍: ‘କର ବା ମର’ ଆଡିଲେଡ୍ ଦିନିକିଆକୁ ଭାରତ ୬ ୱିକେଟ୍‌ରେ ଜିତି ନେଇଛି। ବୁଧବାର ଏଠାରେ ଘରୋଇ ଅଷ୍ଟ୍ରେଲିଆକୁ ଧୂଳି ଚଟାଇ ତିନି ଟିକିଆ ଶୃଙ୍ଖଳାକୁ କୋହଲି ବାହିନୀ ୧-୧ ସ୍ତରକୁ ନେଇ ଆସିଛି। ସେଥିପାଇଁ ମେଲବର୍ନରେ ୧୮ ତାରିଖ (ଶୁକ୍ରବାର) ଖେଳା‌ଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଏବେ ମେଲବର୍ନ ମହାମୁକାବିଲାରେ ଯିଏ ଜିତିବ, ସିଏ ଶୃଙ୍ଖଳା ବିଜୟର ମିଠା ସ୍ବାଦ ଚାଖିବ।
ମଙ୍ଗଳବାର ଭାରତ ୨୯୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା। ଟିମ୍ ଇଣ୍ଡିଆର ପାଞ୍ଚଟି ଅର୍ଧଶତକୀୟ ଭାଗୀଦାରି କିନ୍ତୁ ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିଥିଲା। ଅଧିନାୟକ ବିରାଟ କୋହଲି (୧୦୪ ରନ୍, ୧୧୨ ବଲ୍, ୫ ଚୌକା, ୨ ଛକା) ଶତକୀୟ ପାଳି ଖେଳି ପୁଣି ଥରେ ଦଳ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସିଡ୍‌ନିରେ ଅର୍ଧଶତକୀୟ ପାଳି ଖେଳିବା ସତ୍ତ୍ବେ ଦରକାର ବେଳେ ନିଜ ୱିକେଟ୍ ବଞ୍ଚାଇ ପାରି ନଥିବା ପୂବର୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୫୫* ରନ୍, ୫୪ ବଲ୍, ୨ ଚୌକା‌) ଆଡିଲେଡ୍‌ରେ ବିଜୟ ମୁଣ୍ଡି ମାରିବାକୁ ସକ୍ଷମ ହୋଇଥିଲେ। ଏହା ପୂର୍ବରୁ ଶିଖର ଧାୱନ (୩୨ ରନ୍, ୨୮ ବଲ୍, ୫ ଚୌକା) ଓ ରୋହିତ ଶର୍ମା (୪୩ ରନ୍, ୫୨ ବଲ୍, ୨ ଚୌକା, ୨ ଛକା) ଆତ୍ମବିଶ୍ବାସର ସହ ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ଦ୍ରୁତ ୪୭ ରନ୍ ଯୋଡ଼ିଥିଲେ। ଧାୱନଙ୍କୁ ଉସମାନ ଖୱାଜାଙ୍କ ହାତରେ କ୍ୟାଚ୍ କରାଇ ଜାସନ ବେହେରନ୍‌ଡର୍ଫ ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ। ହେଲେ ପ୍ରଥମ ମ୍ୟାଚ୍‌ର ଶତକ ହାସଲକାରୀ ରୋହିତ ଶର୍ମା ଓ କୋହଲି ଦାୟିତ୍ବବାନ ବ୍ୟାଟିଂ କରି ଭାରତୀୟ ପାଳିକୁ ଆଗେଇ ନେଇଥିଲେ। ରୋହିତ-କୋହଲି ଯୋଡ଼ି ଦ୍ବିତୀୟ ୱିକେଟ୍‌ରେ ୫୪ ରନ୍ ସଂଗ୍ରହ କରିଥିଲେ। ରୋହିତ ଅର୍ଧଶତକ ଆଡ଼େ ଅଗ୍ରସର ହେଉଥିଲା ବେଳେ ମାର୍କସ ଷ୍ଟୋଇନିସ୍ ତାଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ଚତୁର୍ଥ ସ୍ଥାନରେ ଆସିଥିବା‌ ଅମ୍ବାତି ରାୟୁଡୁ (୨୪ ରନ୍, ୩୬ ବଲ୍, ୨ ଚୌକା) ପୁଣି ଥରେ ବିଫଳ ହୋଇଥିଲେ। ହେଲେ କୋହଲି ତାଙ୍କ ସହ ମିଶି ତୃତୀୟ ୱିକେଟ୍‌ରେ ମହତ୍ବପୂର୍ଣ୍ଣ ୫୯ ରନ୍ ଯୋଡ଼ି ନେଇଥିଲେ। ଅମ୍ବାତି ହାତ ଛଡ଼ିବା ପରେ ଧୋନି-କୋହଲି କଙ୍ଗାରୁ ବୋଲରଙ୍କୁ ନୟାନ୍ତ କରିଥିଲେ। ଦୁଇ ମହାରଥୀ ଚତୁର୍ଥ ୱିକେଟ୍‌ରେ ୮୨ ରନ୍ ଯୋଡ଼ିବା ପରେ ଅଷ୍ଟ୍ରେଲିଆ ଆଉ ଏକ ୱିକେଟ୍ ପାଇଁ ଏକପ୍ରକାର ଆତୁର ହୋଇ ଯାଇଥିଲା। ମୃଦୁ ପାନୀୟ ବିରତି ଘରୋଇ ଦଳ ପାଇଁ ଏହି ସୁଯୋଗ ନେଇ ଆସିଥିଲା। ୧୦୮ ବଲ୍‌ରୁ ୫ ଚୌକା ଏବଂ ୨ ଛକା ବଳରେ ୩୯ତମ ଦିନିକିଆ ଆନ୍ତର୍ଜାତିକ ଶତକ ହାସଲ କରିଥିବା କୋହଲି ଏହି ସମୟରେ କୌଣସି କାରଣରୁ ପଡ଼ିଆ ବାହାରକୁ ଯିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ନିଜ ଏକାଗ୍ରତା ହରାଇ ଝେ ରିଚାର୍ଡସନଙ୍କ ବଲ୍‌ରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ହାତରେ ସୀମା ରେଖା ପାଖରେ ଧରା ପଡ଼ିଥିଲେ। କୋହଲି ଆଉଟ୍ ହେବା ପରେ ଦୀନେଶ କାର୍ତିକ (୨୫* ରନ୍, ୧୪ ବଲ୍, ୨ ଚୌକା)ଙ୍କୁ ସାଥୀକରି ଧୋନି ଭାରତକୁ ଶେଷ ଓଭରରେ ବିଜୟୀ କରାଇଥିଲେ। ଅନ୍ୟପଟେ କାର୍ତିକ ଦ୍ରୁତ ଓ ସାହସିକ ବ୍ୟାଟିଂ କରି ଦଳ ଉପରୁ ଚାପ ହଟାଇ ଦେଇଥିଲେ। ସେ ହିଁ ରନ୍ ହାରକୁ ମାତ୍ରଧିକ ଭାବେ ବଢ଼ିବାକୁ ଦେଇ ନଥିଲେ। ‌ସେପଟେ ଧୋନି ନିଜ ଅଭିଜ୍ଞତାର ଉପଯୋଗ କରି ଧିରେ ଧିରେ ଭାରତକୁ ବିଜୟର ନିକଟତର କରାଇଥି‌ଲେ। ଶେଷ ଓଭରରୁ ବିଜୟ ପାଇଁ ୭ ରନ୍‌ ଦରକାର ଥିଲା ବେଳେ ବେହେରନ୍‌ଡ୍ରଫଙ୍କ ପ୍ରଥମ ବଲ୍‌କୁ ଛକା ମାରି ଧୋନି ବିଜୟକୁ ପକ୍କା କରି ନେଇଥିଲେ। ଦ୍ବିତୀୟ ବଲ୍‌କୁ ମିଡ୍‌ ଅନ୍ ଅଞ୍ଚଳକୁ ଖେଳି ସିଙ୍ଗଲ୍‌ ନେବା ସହ ଭାରତକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ଏହା ପୂର୍ବରୁ ସେ ନିଜ ଖେଳ ଜୀବନର ୬୯ତମ ଏବଂ ଲଗାତାର ଦ୍ବିତୀୟ ଅର୍ଧଶତକ ହାସଲ କରିଥିଲେ। କାର୍ତିକ ଓ ଧୋନି ଅବିଭାଜିତ ପଞ୍ଚମ ୱିକେଟ୍‌ ଭାଗୀଦାରିରେ ୫୭ ରନ୍ ସଂଗ୍ରହ କରିଥିଲେ। କୋହଲି ତାଙ୍କ ଶତକୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେ ମଧ୍ୟ ଚତୁର୍ଥ ଭାରତୀୟ ଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ୫୦୦ ରନ୍ ପୂରଣ କରିଥିଲେ।
ଟସ୍ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ସନ୍ ମାର୍ସ (୧୩୧ ରନ୍, ୧୨୩ ବଲ୍, ୧୧ ଚୌକା, ୩ ଛକା)ଙ୍କ ଧମାକାଦାର ଶତକ ବଳରେ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୯୮ ରନ୍ କରିଥିଲା। ଅଧିନାୟକ ଆରୋନ ଫିଞ୍ଚ (୬) ପୁଣି ଥରେ ବିଫଳ ହେବା ପରେ ମାର୍ସ ହିଁ କଙ୍ଗାରୁ ଦଳକୁ ୩୦୦ ରନ୍‌ର ନିକଟତର କରାଇଥିଲେ। ମ୍ୟାକ୍ସୱେଲ୍ ୪୮, ଷ୍ଟୋଇନିସ୍ ୨୯, ଉସ୍‌ମାନ ଖୱାଜା ୨୧ ଓ ପିଟର ହ୍ୟାଣ୍ଡ୍ସକମ୍ବ ୨୦ ରନ୍ କରିଥିଲେ। ଭାରତୀୟ ବୋଲର ମାର୍ସଙ୍କ ଛଡ଼ା ଅନ୍ୟ କାହାକୁ ବଡ଼ ସ୍କୋର କରିବାକୁ ଦେଇ ନଥିଲେ। ଭାରତର ସଫଳତମ ବୋଲର ଭାବେ ଭୁବନେଶ୍ବର କୁମାର ୪୫ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ। ମହମ୍ମଦ ସାମି ତିନିଟି ଏବଂ ରବୀନ୍ଦ୍ର ଜାଦେଜା ଗୋଟିଏ ୱିକେଟ୍ ପାଇଥିଲେ। ମଙ୍ଗଳବାର ଦିନିକିଆ ପଦାର୍ପଣ କରିଥିବା ମହମ୍ମଦ ସିରାଜ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇ ୧୦ ଓଭରରେ ବିନା ୱିକେଟ୍‌ରେ ୭୬ ରନ୍ ବ୍ୟୟ କରିଥିଲେ।

ସମ୍ବନ୍ଧିତ ଖବର