ଦକ୍ଷିଣ ଆଫ୍ରିକା ବିପକ୍ଷରେ ରେକର୍ଡ ବିଜୟ ହାସଲ କରି ‘ଶ୍ରେଷ୍ଠ’ ଭାରତୀୟ ଅଧିନାୟକ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ: ରାଞ୍ଚିରେ ଟିମ୍‌ ଇଣ୍ଡିଆ ମଙ୍ଗଳବାର ଦକ୍ଷିଣ ଆଫ୍ରିକାକୁ ଗୋଟିଏ ପାଳି ଓ ୨୦୨ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ପରେ ଅଧିନାୟକ ବିରାଟ କୋହଲି ପୁଣି ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଅଧିନାୟକ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ଟି ଟେଷ୍ଟ ମ୍ୟାଚ୍‌ରୁ ୭ଟିରେ ବିଜୟୀ ହୋଇଛି। ଏହି ବିଜୟ ସହିତ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରେଷ୍ଠ ଭାରତୀୟ ଅଧିନାୟକ ମାନ୍ୟତା ପାଇପାରିଛନ୍ତି। କାରଣ ଅନ୍ୟ ୬ ଜଣ ଭାରତୀୟ ଅଧିନାୟକ ୨୭ଟି ମ୍ୟାଚ୍‌ରୁ ୭ଟିରେ ବିଜୟୀ ହୋଇଛନ୍ତି।

ଗତକାଲି ବିଜୟଠାରୁ ମାତ୍ର ୨ ୱିକେଟ୍ ଦୂରରେ ଥିବା ଭାରତୀୟ ଦଳ ସକାଳେ ପଡ଼ିଆକୁ ଓହ୍ଲାଇ ଥିଲା, ଏହାପରେ ମାତ୍ର ୧୦ ମିନିଟରେ ଖେଳ ଶେ‌ଷ ହୋଇଯାଇଥିଲା। ମାତ୍ର ୧୨ଟି ବଲରେ ଦକ୍ଷିଣ ଆଫ୍ରିକାର ଦୁଇ ବ୍ୟଟସମ୍ୟାନ୍ ୱିକେଟ ହରାଇ ପାଭଲିଅନକୁ ଫେରି ଯାଇଥିଲେ। ନାଇଟ୍ ୱାଚମ୍ୟାନ୍  ଥିଉରନ୍ ଡି’ ବ୍ରୁଇନ ପ୍ରଥମେ ଆଉଟ୍ ହେବା ପରେ ନିଗିଡି ମଧ୍ୟ ପ୍ରଥମ ବଲରେ ଶହାବାଜ ନଦିମଙ୍କ ଦ୍ବାରା କଟ୍ ଆଣ୍ଡ ବୋଲ୍ଡ ହୋଇଯାଇଥିଲେ। ଫଳରେ ୧୩୩ ରନରେ ଦକ୍ଷିଣ ଆଫ୍ରିକାର ପାରି ସମାପ୍ତ ହୋଇ ଯାଇଥିଲା। ପୁନେ ଟେଷ୍ଟ୍‌କୁ ଚାରି ଦିନ ଭିତରେ ଜିତିଥିବା କୋହଲି ବାହିନୀ ରାଞ୍ଚିରେ ମଧ୍ୟ ସେହି ସଫଳତା ଦୋହରାଇଛି।

ସମ୍ବନ୍ଧିତ ଖବର