କୋହଲି ବାହିନୀର ସବୁଠୁ ଖରାପ ପରାଜୟ

ଲଣ୍ଡନ : ଲର୍ଡସ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଲଜ୍ଜାଜନକ ପରାଜୟ ଭାରତୀୟ ପ୍ରଶଂସକଙ୍କୁ ବ୍ୟଥିତ କରିଛି। ବିରାଟ କୋହଲିଙ୍କ ଅଧିନାୟକତ୍ୱ ଜୀବନରେ ମଧ୍ୟ ଏହା ଏକ କଳା ଦାଗ ଭାବେ ଛାପି ହୋଇଛି। କୋହଲିଙ୍କ ନେତୃତ୍ୱରେ ଭାରତର ସବୁଠୁ ଖରାପ ପରାଜୟ ସହ ଲର୍ଡସ ଲଢ଼େଇର ପରିସଂଖ୍ୟାନ ଥିଲା ଏମିତି।
 ୮୨.୨: ଲର୍ଡସ୍‌ ଟେଷ୍ଟ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ଉଭୟ ପାଳିକୁ ମିଶାଇ ମାତ୍ର ୮୨.୨ ଓଭର ବ୍ୟାଟିଂ କରିଥିଲା। ଭାରତ ପୂର୍ବରୁ କେବଳ ଚାରିଟି ଟେଷ୍ଟ୍‌ରେ ଏହାଠାରୁ କମ୍‌ ଓଭର ବ୍ୟାଟିଂ କରିଛି। ୧୯୫୨ ମସିହାରେ ଭାରତ ସେହି ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରଠାରେ ୫୮.୧ ଓଭରରେ ଦୁଇ ଥର ଅଲଆଉଟ୍‌ ହୋଇଥିଲା। ଯାହା ଓଭର ଆଧାରରେ ଲର୍ଡସ୍‌ରେ ଭାରତର ସବୁଠାରୁ ଖରାପ ପ୍ରଦର୍ଶନ ହୋଇ ରହିଛି।
 ୦୭: ପ୍ରଥମ ଦିନର ଖେଳ ସଂପୂର୍ଣ୍ଣ ବାତିଲ ହେବା ପରେ ସପ୍ତମ ଥର କୌଣସି ଦଳ ପାଳି ବିଜୟ ହାସଲ କରିଛି। ଭାରତ ବିପକ୍ଷରେ ଇଂଲଣ୍ଡ ଦ୍ୱିତୀୟ ଥର ଏଭଳି ବିଜୟ ହାସଲ କଲା।
 ୦୧: କୋହଲିଙ୍କ ନେତୃତ୍ୱରେ ୩୭ ଟେଷ୍ଟ୍‌ ଖେଳି ଭାରତ ପ୍ରଥମ ପାଳି ପରାଜୟ ବରଣ କଲା।
 ୦୬: ଭାରତର ୬ ଜଣ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କୌଣସି ଟେଷ୍ଟ୍‌ର ଉଭୟ ପାଳିରେ ଖାତା ଖୋଲି ପାରି ନାହାନ୍ତି। ରବିବାର ମୁରଲୀ ବିଜୟ ଏହି ତାଲିକାରେ ସ୍ଥାନ ପାଇଥିଲେ। ଏହା ପୂର୍ବରୁ ପଙ୍କଜ ରୟ (ବନାମ ଇଂଲଣ୍ଡ ୧୯୫୨), ଫାରୁକ୍‌ ଇଞ୍ଜିନିୟର (ବନାମ େଓ୍ଵଷ୍ଟଇଣ୍ଡିଜ୍‌, ୧୯୭୪-୭୫), ଓ୍ଵାସିମ ଜାଫର (ବନାମ ବାଂଲାଦେଶ ୨୦୦୭), ବୀରେନ୍ଦ୍ର ସେହବାଗ (ବନାମ ଇଂଲଣ୍ଡ ୨୦୧୧) ଏବଂ ଶିଖର ଧାଓ୍ଵନ (ବନାମ ଦକ୍ଷିଣ ଆଫ୍ରିକା ୨୦୧୫-୧୬) ଏଭଳି ଦୟନୀୟ ବ୍ୟାଟିଂ କରି ସାରିଛନ୍ତି।
 ୦୪: ଚତୁର୍ଥ ଥର ପାଇଁ କୌଣସି ଟେଷ୍ଟ୍‌ରେ ଭାରତର ଦୁଇ ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇଟି ଯାକ ପାଳିରେ ଖାତା ଖୋଲି ପାରିଲେ ନାହିଁ (ମୁରଲୀ ବିଜୟ ଓ କୁଲଦୀପ ଯାଦବ)। ଜେମ୍ସ ଆଣ୍ଡରସନ୍‌ ପ୍ରଥମ ବୋଲର ଭାବେ ଭାରତ ବିପକ୍ଷରେ ଦୁଇ ଥର ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ।
 ୦୦: ରବିଚନ୍ଦ୍ରନ୍‌ ଅଶ୍ୱିନ (୨୯, ୩୩*)ଙ୍କ ପୂର୍ବରୁ ଲର୍ଡସ୍‌ରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରି ଉଭୟ ପାଳିର ସର୍ବାଧିକ ସ୍କୋରର ହୋଇ ନଥିଲେ।
 ୪୪.୭୨: ଲର୍ଡସ ଟେଷ୍ଟ୍‌ରେ ଭାରତର ବ୍ୟାଟିଂ ଓ ବୋଲିଂ ହାରାହାରି ମଧ୍ୟରେ ଥିବା ପାର୍ଥକ୍ୟ (୪୪.୭୨) କୋହଲିଙ୍କ ନେତୃତ୍ୱରେ ଭାରତ ଖେଳିଥିବା ଟେଷ୍ଟ୍‌ରେ ସର୍ବାଧିକ।
 ୦୬: ଲର୍ଡସ୍‌ରେ ଜେମ୍ସ ଆଣ୍ଡରସନ୍‌ ୬ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଖାତା ଖୋଲିବାକୁ ଦେଇ ନଥିଲେ। ଭାରତ ବିପକ୍ଷରେ ଏଭଳି ସଫଳତା ଲାଭ କରିବାରେ ସେ ଦ୍ୱିତୀୟ ବୋଲର ହୋଇଥିଲେ। ୧୯୮୨ରେ କରାଚିଠାରେ ଇମ୍ରାନ ଖାନ୍‌ ୬ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ।
 ୯୯: ଭାରତ ବିପକ୍ଷରେ ଆଣ୍ଡରସନ୍‌ ୯୯ ଓ୍ଵିକେଟ୍‌ ଅକ୍ତିଆର କଲେ। ଭାରତ-ଇଂଲଣ୍ଡ ଟେଷ୍ଟ୍‌ରେ ଏହା ସର୍ବାଧିକ। ଏହା କରି ଆଣ୍ଡରସନ୍‌ ଭଗବତ ଚନ୍ଦ୍ରଶେଖର (୯୫)ଙ୍କ କୀର୍ତ୍ତିମାନ ଟପିଥିଲେ। ଭାରତ ବିପକ୍ଷରେ ଟେଷ୍ଟ୍‌ କ୍ରିକେଟ୍‌ରେ ମୁଥୟା ମୁରଲୀଧରନ୍‌ (୧୦୫) ସର୍ବାଧିକ ଓ୍ଵିକେଟ୍‌ ନେଇଛନ୍ତି।
 ୧୪: ଟେଷ୍ଟ୍‌ କ୍ରିକେଟ୍‌ ଇତିହାସରେ ୧୪ ଜଣ ଖେଳାଳି ବୋଲିଂ, ବ୍ୟାଟିଂ କିମ୍ବା ଗୋଟିଏ ହେଲେ ବି କ୍ୟାଚ୍‌ ନନେଇ ବିଜେତା ଦଳର ସଦସ୍ୟ ହୋଇଛନ୍ତି। ଭାରତ ବିପକ୍ଷରେ ଆଦିଲ ରସିଦ ଏଭଳି ପ୍ରଥମ ଖେଳାଳି ହୋଇଛନ୍ତି।
କୋହଲି-ଶାସ୍ତ୍ରୀଙ୍କୁ ପ୍ରଶ୍ନ କରିବ ବିସିସିଆଇ
ଲଣ୍ଡନ, ୧୩|୮ : ଇଂଲଣ୍ଡରେ ଭାରତୀୟ କ୍ରିକେଟ୍‌ ଦଳର ଶୋଚନୀୟ ପରାଜୟ ନେଇ ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ କ୍ଷୁବ୍ଧ ଅଛିିି। ତୃତୀୟ ଟେଷ୍ଟ୍‌ରେ ଯଦି ଭାରତ ପୁଣି ଥରେ ପରାଜିତ ହୁଏ, ତାହାଲେ ଦୁଇ ଜଣ ଯାକ ବିସିସିଆଇ ପ୍ରଶ୍ନବାଣର ସମ୍ମୁଖୀନ ହେବେ। ଏପରିକି ଶେଷ ଦୁଇ ଟେଷ୍ଟ୍‌ ଲାଗି ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତନ ମଧ୍ୟ କରାଯାଇପାରେ। ନଟିଂହାମରେ ଖେଳା ଯିବାକୁ ଥିବା ତୃତୀୟ ଟେଷ୍ଟ୍‌ ପରେ ଚତୁର୍ଥ ଏବଂ ପଞ୍ଚମ ଟେଷ୍ଟ୍‌ ପାଇଁ ଦଳ ଘୋଷଣା କରାଯିବ। ସେଥିପାଇଁ ତୃତୀୟ ଟେଷ୍ଟ୍‍ ପ୍ରଥମ ଦୁଇ ଟେଷ୍ଟ୍‌ରେ ଖରାପ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ପାଇଁ ଶେଷ ସୁଯୋଗ ହେବାକୁ ଯାଉଛି। ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିଲା ନାହିଁ ବୋଲି ଭାରତୀୟ ଦଳ ଅଭିଯୋଗ କରି ପାରିବ ନାହିଁ। ପ୍ରସ୍ତୁତି ପାଇଁ ସମୟ ମିଳି ନଥିବାରୁ ଦକ୍ଷିଣ ଆଫ୍ରିକାରେ ହାରିଲୁ ବୋଲି ସେମାନେ ବାହାନା କରୁଥିଲେ। ଇଂଲଣ୍ଡ ଗସ୍ତସୂଚୀ କିନ୍ତୁ ସେମାନଙ୍କ ସହ ବିଚାର ବିମର୍ଷ ପରେ ଚୂଡ଼ାନ୍ତ ହୋଇଥିଲା। ସୀମିତ ଓଭର ଶୃଙ୍ଖଳା ପରେ ଟେଷ୍ଟ୍‌ ଖେଳିବାକୁ ସେମାନେ ହିଁ ଆଗ୍ରହ ପ୍ରକାଶ କରିଥିଲେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପୂର୍ବତନ ଖେଳାଳିଙ୍କ ଭର୍ତ୍ସନା
ବୀରେନ୍ଦ୍ର ସେହବାଗ: ଭାରତ ବହୁତ ଖରାପ ଖେଳ ଖେଳିଲା। ଖରାପ ସମୟ ବେଳେ ଆମେ ସମସ୍ତେ ସେମାନଙ୍କୁ ସମର୍ଥନ କରିବା କଥା, ହେଲେ ବିନା ଲଢ଼େଇରେ ଏଭଳି ଆତ୍ମସମର୍ପଣ ଦେଖି ବହୁତ ଖରାପ ଲାଗୁଛି। ସେମାନଙ୍କ ପାଖରେ ପ୍ରତ୍ୟାବର୍ତନ ଲାଗି ଆତ୍ମବିଶ୍ୱାସ ଓ ମାନସିକ ଦୃଢ଼ତା ଅଛି ବୋଲି ଆଶା କରୁଛି!
ବିଶେନ ସିଂହ ବେଦୀ: ଭାରତୀୟ କ୍ରିକେଟ୍‌ ସହ ସଂପୃକ୍ତ ଥିବା ସମସ୍ତ ବ୍ୟକ୍ତି ଜାଣିଛନ୍ତି ଅସୁବିଧା କେଉଁଠି ଅଛି। ହେଲେ କେହି ପାଟି ଖୋଲିବେନି। ଏହା ଲର୍ଡସର ବ୍ୟାଟିଂ ବିପର୍ଯ୍ୟୟରୁ ବି ଆହୁରି ଖରାପ।
ଭିଭିଏସ୍‌ ଲକ୍ଷ୍ମଣ: ଭାରତ ବିନା ଲଢ଼େଇରେ ହାରିଲା। ଆଶା କରୁଛି ସେମାନେ ଏଥିରୁ ଶିକ୍ଷା ଲାଭ କରିବେ। ଅବଶିଷ୍ଟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ନିଜ ଦକ୍ଷତା ମୁତାବକ ଖେଳ ଖେଳିବାକୁ ଚେଷ୍ଟା କରିବେ।
ମହମ୍ମଦ କୈଫ: ଭାରତ ଦୁଇଟି ପାଳି ମିଶାଇ ମାତ୍ର ୮୨ ଓଭର ଖେଳିଲା। ସେମାନେ ନିଜ ଭୁଲରୁ କିଛି ଶିଖୁ ନାହାନ୍ତି। ଦେଖିବାକୁ ବହୁତ ଖରାପ ଲାଗୁଛି। ସବୁ ବିଭାଗରେ ଭାରତକୁ ଇଂଲଣ୍ଡ ପଛରେ ପକାଇଲା।
ବିନୋଦ କାମ୍ବଲି: ସଂପୂର୍ଣ୍ଣ ଟେଷ୍ଟ୍‌ରେ ଆମେ ଇଂଲଣ୍ଡ ବୋଲରଙ୍କୁ ମୁଣ୍ଡ ଉପରେ ବସିବାର ସୁଯୋଗ ଦେଲେ। ମୁଁ ଭାବୁଛି ଆମ ବ୍ୟାଟ୍ସମ୍ୟାନ୍‌ ସେମାନଙ୍କ ସ୍ୱାଭାବିକ ଖେଳ ଖେଳୁ ନାହାନ୍ତି। ଦଳୀୟ ଅଧିକାରୀଙ୍କୁ ଏହି ବିଷୟରେ କିଛି ଗୋଟାଏ କରିବାକୁ ହେବ।
ସୌରଭ ଗାଙ୍ଗୁଲି: ଲର୍ଡସ୍‌ରେ ଯେଭଳି ପାଗ ଓ ପରିବେଶ ଥିଲା ଉମେଶ ଯାଦବ ଚୂଡ଼ାନ୍ତ ଏକାଦଶରେ ନିହାତି ସ୍ଥାନ ପାଇବା କଥା। କୁଲଦୀପ ଜଣେ ଭଲ ବୋଲର। ହେଲେ ପରିସ୍ଥିତିର ଆବଶ୍ୟକତା କିଛି ଅଲଗା ଥିଲା। ଆଉ ଜଣେ ଦ୍ରୁତ ବୋଲର ନଖେଳାଇବାର ଫଳ ଭାରତ ଭୋଗିଲା।

ସମ୍ବନ୍ଧିତ ଖବର