କୋହଲି ଶୀର୍ଷରେ ଅପରିବର୍ତିତ:‘କେବଳ ଖେଳିବା ଯଥେଷ୍ଟ ନୁହେଁ’

ସାଉଥାମ୍ପଟନ: ବିଦେଶରେ କେବଳ ପ୍ରତିଦ୍ୱନ୍ଦ୍ୱୀତା କଲେ ଚଳିବ ନାହିଁ, ଏହା ଯଥେଷ୍ଟ ନୁହେଁ। ଚାପ ପରିସ୍ଥିତିରେ ସୀମାରେଖା ଡେଇଁବାର କଳା ଶିଖିବା ଆବଶ୍ୟକ ବୋଲି କହିଛନ୍ତି ଭାରତୀୟ ଟେଷ୍ଟ୍‍ କ୍ରିକେଟ୍‌ ଦଳ ଅଧିନାୟକ ବିରାଟ କୋହଲି। ୨୪୫ ରନ୍‌କୁ ପିଛା କରିବାରେ ବିଫଳ ହୋଇ ଭାରତ ରବିବାର ଶୃଙ୍ଖଳା ହାରିବା ପରେ କୋହଲି ଏଭଳି କଥା କହିଛନ୍ତି। ସ୍କୋରବୋର୍ଡକୁ ଦେଖିଲେ ଆମେ ୩୦/୫୦ ରନ୍‌ ଦୂରରେ ଥିବା ଭଳି ଲାଗିପାରେ। କିନ୍ତୁ ପରିସ୍ଥିତି ମଝିରେ ଥିବାବେଳେ ଆମକୁ ବୁଝିବାକୁ ହେବ। ବାରମ୍ବାର ନିଜକୁ କହିହେବ ନାହିଁ ଆମେ ଲଢ଼ିଲୁ। ତୁମେ ଯେତେବେଳେ ବିଜୟର ଏତେ ପାଖକୁ ଆସିପାରୁଛ, ସେତେବେଳେ ସୀମା ଟପିବାର କଳାକୁ ବି ଶିଖିବାର ଆବଶ୍ୟକତା ରହିଛି। ଆମ ନିକଟରେ ଦକ୍ଷତା ରହିଛି, ଯାହାକୁ ଆମକୁ ଫଳାଫଳର ନିକଟତର କରିଛି। କିନ୍ତୁ ଚାପ ଆସିଗଲେ, ଆମକୁ ପ୍ରତିକ୍ରିୟାଶୀଳ ହେବାକୁ ପଡ଼ିବ। ଏଭଳି କ୍ଷେତ୍ରରେ ଦୁର୍ବଳତା ଥିବାରୁ ଆମକୁ କାମ କରିବାକୁ ପଡ଼ିବ ବୋଲି କୋହଲି କହିଛନ୍ତି। ଆମେ ଡ୍ରାଇଭର୍‌ ସିଟ୍‌ରେ ବସି ମଧ୍ୟ ଏହାର ଫାଇଦା ଉଠାଇ ପାରିଲୁ ନାହିଁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡ ଅଧିନୟକ ଜୋ ରୁଟ୍‌ କହିଛନ୍ତି ‘ଚଳିତ ଭାରତ-ଇଂଲଣ୍ଡ ଶୃଙ୍ଖଳା ଦେଖାଇ ଦେଇଛି ଟେଷ୍ଟ୍‍ କ୍ରିକେଟ୍‌ ବଞ୍ଚିଛି ଓ ଉଠୁଛି। ବ୍ୟକ୍ତିଗତ ଭାବେ ଏହା ମୋତେ ପ୍ରଭାବିତ କରିଛି। ଶୃଙ୍ଖଳା ସାରା ଭାରତ ଯେଭଳି ଖେଳୁଛି ଶ୍ରେୟ ସେମାନଙ୍କୁ ମିଳିବ ବୋଲି ରୁଟ୍‌ କହିଛନ୍ତି। ରୋଜ୍‌ ବାଉଲ୍‌ରେ ଯେଭଳି ପିଚ୍‌ ମିଳିଥିଲା ଆମେ ସନ୍ତୁଳିତ ଦଳ ନେଇ ଖେଳିବା ଗୁରୁତ୍ୱପୂର୍ଣ୍ଣ ଥିଲା। ମୁଁ ବ୍ୟାଟିଂ ବେଳେ ଲାଗୁଥିଲା ୧୯୦ ରନ୍‌ ଲକ୍ଷ୍ୟ ଢ଼େର ହେବ। ଆମେ କିନ୍ତୁ ୨୪୫ ରନ୍‌ ଦେବା ପରେ ଢ଼େର ହୋଇଥିଲା ବୋଲି ରୁଟ୍‌ କହିଛନ୍ତି।
ସାଉଥାମ୍ପଟନ, ୩|୯: ରୋଜ୍‌ ବାଉଲ୍‌ରେ ବାଉଳା ହୋଇ ୬୦ ରନ୍‌ରେ ପରାଜୟ ସହିତ ଶୃଙ୍ଖଳା ହାତଛଡ଼ା କରିଛି ଭାରତ। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ସହିତ ଭାରତୀୟ ଦଳ ଏକ ନମ୍ବର ମାନ୍ୟତାରେ ଅପରିବର୍ତିତ ରହିଛନ୍ତି। ଶୀର୍ଷ ୧୦ ଭିତରେ ଦ୍ୱିତୀୟ ଭାରତୀୟ ଭାବେ ଚେତେଶ୍ୱର ପୂଜାରା ଷଷ୍ଠ ସ୍ଥାନରେ ରହିଛନ୍ତି। ବୋଲିଂ ତାଲିକାରେ ମହମ୍ମଦ ସାମି ଶୀର୍ଷ ୨୦ ଭିତରକୁ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର