କୋହଲିଙ୍କ ୱିଜଡେନ୍ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଏକ ବିଶ୍ବସ୍ତରୀୟ ସମ୍ମାନ ମିଳିଛି। କ୍ରିକେଟ୍‌’ର ବାଇବେଲ୍ ଭାବେ ପରିଚିତ ‘ୱିଜଡେନ୍‌’ ପକ୍ଷରୁ କୋହଲିଙ୍କୁ ଲଗାତାର ତୃତୀୟ ବର୍ଷ ପାଇଁ ‘ବିଶ୍ବର ଅଗ୍ରଣୀ କ୍ରିକେଟର୍‌’ ଆଖ୍ୟା ପ୍ରଦାନ କରାଯାଇଛି। ବୁଧବାର ପ୍ରକାଶିତ ୱିଜଡେନ୍‌ର କ୍ରିକେଟର୍ସ ପୁସ୍ତକରେ ଏହା ସ୍ଥାନ ପାଇଛି। ୩୦ ବର୍ଷୀୟ କୋହଲିଙ୍କ ସହିତ ଇଂଲଣ୍ଡର ଜୋସ୍ ବଟଲର୍‌, ସାମ୍ କରନ୍‌, କାଉଣ୍ଟି ଚାମ୍ପିଅନସିପ୍ ବିଜେତା ଅଧିନାୟକ ରୋରି ବର୍ନସ ଏବଂ ଇଂଲଣ୍ଡ ମହିଳା ଦଳର ତାରକା ତାମି ବିଉମଣ୍ଟ୍‌ ସ୍ଥାନ ପାଇଛନ୍ତି। ୨୦୧୪ ମସିହାରେ ଇଂଲଣ୍ଡ୍ ଗସ୍ତରେ ମାତ୍ର ୧୩୪ ରନ୍ କରିଥିବା କୋହଲି ଗତବର୍ଷ ୫୯ରୁ ଊର୍ଧ୍ବ ହାରରେ ମୋଟ ୫୯୩ ରନ୍ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଚଳିତ ବର୍ଷ ଜାନୁଆରିରେ କୋହଲି ଆଇସିସିର ୩ ପ୍ରମୁଖ ପୁରସ୍କାର (‌ଆଇସିସି କ୍ରିକେଟର୍‌, ଟେଷ୍ଟ୍ ଏବଂ ଦିନିକିଆର ଶ୍ରେଷ୍ଠ ବ୍ୟାଟସମ୍ୟାନ) ହାତେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ୨୦୧୮ ମସିହାରେ କୋହଲି ସମସ୍ତ ଅନ୍ତର୍ଜାତୀୟ ଫର୍ମାଟରେ ୬୮.୩୭ ହାରରେ ୨,୭୩୫ ରନ୍ କରିଥିଲେ। ଏହା ମଧ୍ୟରେ ୧୧ ଶତକ ସାମିଲ ଥିଲା। ଅନ୍ୟପକ୍ଷରେ ଭାରତର ସ୍ମୃତି ମନ୍ଧାନା ଅଗ୍ରଣୀ ମହିଳା କ୍ରିକେଟର୍ ଏବଂ ଆଫଗାନିସ୍ତାନ ସ୍ପିନର୍ ରସିଦ୍‌ ଖାନ୍‌ ଅଗ୍ରଣୀ ଟ୍ବେଣ୍ଟି-୨୦ କ୍ରିକେଟର୍‌ ପୁରସ୍କାର ପାଇଛନ୍ତି।
କୋ‌ହଲିଙ୍କ ପୁରସ୍କାର ପରେ ଭାରତ ମୋଟ ଅଷ୍ଟମ ଥର ପାଇଁ ଏହି ସମ୍ମାନ ପାଇଛି। ପ୍ରଥମ ଭାରତୀୟ ଭାବେ ମଧ୍ୟ କୋହଲି ତୃତୀୟ ଥର ଏହାକୁ ଜିତିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର (୧୯୯୮, ୨୦୧୦), ବୀରେନ୍ଦ୍ର ସେହବାଗ (୨୦୦୮, ୨୦୦୯) ଦୁ‌ଇ ଥର ଲେଖାଏଁ ଏବଂ କପିଳ‌ ଦେବ (୧୯୮୩) ଥରେ ଏହି ସମ୍ମାନ ପାଇଥିଲେ। ତିନି ଥର ଜିତିବାରେ କୋହଲି ମଧ୍ୟ ଭିଭିଆନ୍ ରିଚାର୍ଡସ, ସେନ୍ ୱର୍ନ, ଜ୍ୟାକ୍ ହବ୍ସଙ୍କ ସମକକ୍ଷ ହୋଇଛନ୍ତି।

ସମ୍ବନ୍ଧିତ ଖବର