ବାଙ୍ଗାଲୋରକୁ ହରାଇଲା କୋଲ୍‌କାତା

କୋଲକାତା: ଆଇପିଏଲ୍‌-୧୧ର ରବିବାର ରାତିରେ ଖେଳା ଯାଇଥିବା ତୃତୀୟ ମୁକାବିଲାରେ ତାରକା ଖଚିତ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳକୁ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର) ୪ ଓ୍ଵିକେଟ୍‌ରେ ପରାସ୍ତ କରିଦେଇଛି। ଆର୍‌ସିବି ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ କୋଲ୍‌କାତା ଏହାକୁ ୭ ବଲ୍‌ ପୂର୍ବରୁ ୬ ଓ୍ଵିକେଟ୍‌ ବିନିମୟରେ ହାସଲ କରି ନେଇଛି। ଅଧିନାୟକତ୍ୱର ପ୍ରଥମ ପରୀକ୍ଷାରେ ଦୀନେଶ କାର୍ତିକ ପୂରା ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେପଟେ ଭାରତୀୟ ଦଳ ସହ ଏକାଧିକ ଋତୁରେ ଆରସିବି ଅଧିନାୟକ ପଦ ମଣ୍ଡନ କରିସାରିଥିବା ବିରାଟ କୋହଲିଙ୍କୁ ଚଳିତ ଋତୁ ଆରମ୍ଭରୁ ଏକ ବଡ଼ ଝଟ୍‌କା ଲାଗିଛି।

ଐତିହାସିକ ଇଡେନ୍‌ ଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଆର୍‌ସିବି ଚାରିଟି ମଧ୍ୟମ ଧରଣର ପାଳି ବଳରେ ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୭୬ ରନ୍‌ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କ୍ୱିଣ୍ଟନ୍‌ ଡି କକ୍‌ ମାତ୍ର ୪ ରନ୍‌ କରି ଆଉଟ୍‌ ହେବା ପରେ ବ୍ରେଣ୍ଡନ ମ୍ୟାକ୍‌ଲମ୍‌ ( ୪୩ ରନ୍‌, ୨୭ ବଲ୍‌), ଅଧିନାୟକ ବିରାଟ କୋହଲି (୩୧ ରନ୍‌, ୩୩ ବଲ୍‌), ବିସ୍ଫୋରକ ଏବି ଡିଭିଲିୟର୍ସ ( ୪୪ ରନ୍‌, ୩୩ ବଲ୍‌) ଓ ଶେଷ ଆଡ଼କୁ ମନଦୀପ ସିଂହ (୩୭ ରନ୍‌, ୧୮ ବଲ୍‌) ଏହି ଦଳର ପାଳିକୁ ସମ୍ଭାଳି ନେଇଥିଲେ। କୋହଲି ଏବଂ ଡିଭିଲିୟର୍ସ ବ୍ୟାଟିଂ କରୁଥିଲା ବେଳେ ଆର୍‌ସିବି ଦୁଇ ଶହ ରନ୍‌ ଟପିବାର ଆଶା ସଂଚାର ହୋଇଥିଲା। ହେଲେ ଉଭୟଙ୍କୁ ନୀତିଶ ରାଣା ଗୋଟିଏ ଓଭରରେ ଆଉଟ୍‌ କରିବା ପରେ ଏହି ଆଶା ମଉଳି ଯାଇଥିଲା। ନୀତିଶ ପ୍ରଥମେ ଡିଭିଲିୟର୍ସଙ୍କୁ ମିଚେଲ ଜନସନଙ୍କ ହାତରେ କ୍ୟାଚ୍‌ କରାଇଥିଲେ। ଏହା ପରେ ଏକ ଦ୍ରୁତ ୟର୍କରରେ କୋହଲିଙ୍କୁ ଚକ୍‌ମା ଦେଇ ତାଙ୍କ ଷ୍ଟମ୍ପ ଭାଙ୍ଗି ଦେଇଥିଲେ। ଡି’ କକ୍‌ଙ୍କ ସହ ଯୁବ ତାରକା ସର୍ଫରାଜ ଖାନ୍‌ ମଧ୍ୟ ଏକ ଅଙ୍କରେ ସୀମିତ ହୋଇ ଯାଇଥିଲେ। ପୂର୍ବ ଅଧିନାୟକ ଗୌତମ ଗମ୍ଭୀର ଆରମ୍ଭ କରିଥିବା ଧାରାକୁ ଜାରି ରଖି କୋଲ୍‌କାତା ଆଜି ସ୍ପିନର ସୁନୀଲ ନରିନଙ୍କ ହାତରେ ପାଳି ଆରମ୍ଭ କରିଥିଲା। ସୁନୀଲ ମଧ୍ୟ ନିରାଶ କରି ନଥିଲେ। ଉମେଶ ଯାଦବ ତାଙ୍କୁ କ୍ଲିନ୍‌ ବୋଲ୍ଡ କରିବା ପୂର୍ବରୁ ମାତ୍ର ୧୯ ବଲ୍‌ରୁ ୪ ଚୌକା ଏବଂ ୫ ଛକା ବଳରେ ବିସ୍ଫୋରକ ଅର୍ଧଶତକ ପାଳି ଖେଳିଥିଲେ। ଏହା ପରେ ଅଧିନାୟକ କାର୍ତିକ (୩୫* ରନ୍‌, ୨୯ ବଲ୍‌, ୪ ଚୌକା) ଦାୟିତ୍ୱବାନ ପାଳି ଖେଳି କୋଲ୍‌କାତା ବିଜୟକୁ ପକା କରି ନେଇଥିଲେ। ହେଲେ ବିନୟ କୁମାର ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। ନୀତିଶ ରଣା ୩୪ ଏବଂ ଆନ୍ଦ୍ରେ ରସେଲ ୧୫ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ସୁନୀଲ ନରିନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୭୬/୭ (ଏବି ଡିଭିଲିୟର୍ସ ୪୪, ବ୍ରେଣ୍ଡନ୍‌ ମ୍ୟାକ୍‌ଲମ୍‌ ୪୩, ମନଦୀପ ସିଂହ ୩୭, ବିରାଟ କୋହଲି ୩୧, ନୀତିଶ ରଣା ୨/୧୧, ବିନୟ କୁମାର ୨/୩୦)। କୋଲ୍‌କାତା ନାଇଟ୍‌ ରାଇଡର୍ସ ୧୮.୫ ଓଭରରେ ୧୭୭/୬ (ସୁନୀଲ ନରିନ ୫୦, ଦୀନେଶ କାର୍ତିକ ୩୫*, ନୀତିଶ ରଣା ୩୪, ଆନ୍ଦ୍ରେ ରସେଲ ୧୫, କ୍ରିସ୍‌ ଓକ୍ସ ୩/୩୬, ଉମେଶ ଯାଦବ ୨/୨୭)।

ସମ୍ବନ୍ଧିତ ଖବର