ଦିଲ୍ଲୀକୁ ହରାଇଲା କୋଲ୍‌କାତା

କୋଲକାତା: ଚଳିତ ଆଇପିଏଲ୍‌ର ଅଧିକାଂଶ ମ୍ୟାଚ୍‌ ରୋମାଞ୍ଚକର ଭାବେ ଶେଷ ହୋଇଥିଲା। ସୋମବାର ରାତିର ଦିଲ୍ଲୀ ଡେୟାର ଡେଭିଲ୍ସ-କୋଲକାତା ନାଇଟ୍‌ ରାଇଡର୍ସ ମ୍ୟାଚ୍‌ କିନ୍ତୁ ଥିଲା ଏକ ବ୍ୟତିକ୍ରମ। କୋଲକାତା ୨୦୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ଦିଲ୍ଲୀ ଅସହାୟ ଭାବେ ବିନା ଲଢ଼େଇରେ ହିଁ ଆତ୍ମସମର୍ପଣ କରି ଦେଇଥିଲା। ଉଚ୍ଚ ରନ୍‌ ହାର ଚାପରେ ଚାପି ହୋଇ ପ୍ରଥମ ୩ ଓଭର ଭିତରେ ୩ ଓ୍ଵିକେଟ୍‌ ଓ ୪୩ ରନ୍‌ରେ ଶେଷ ୭ ଓ୍ଵିକେଟ୍‌ ହରାଇ ଶୋଚନୀୟ ପରାଜୟ ବରଣ କରିଗଲା। ଦିଲ୍ଲୀ ୧୪.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୧୨୯ ରନ୍‌ କରି ପାରିଥିଲା। ସେଥିପାଇଁ ପୂର୍ବ ବିଜେତା କୋଲକାତା ୭୧ ରନ୍‌ର ଏକତରଫା ବିଜୟ ହାସଲ କରିଥିଲା। ଦିଲ୍ଲୀ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ କୋଲକାତା ସେହି ୪ ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା।
ବଡ଼ ବିଜୟ ଲକ୍ଷ୍ୟ ହୋଇଥିଲେ ମଧ୍ୟ ଦିଲ୍ଲୀ ମାତ୍ର ୨୪ ରନ୍‌ରେ ୩ ଓ୍ଵିକେଟ୍‌ ହରାଇ ପାଓ୍ଵାର ପ୍ଲେ’ର ପ୍ରଥମ ୩ ଓଭରରେ ଏକପ୍ରକାର ମ୍ୟାଚ୍‌ ହାତଛଡ଼ା କରି ଦେଇଥିଲା। ମଧ୍ୟକ୍ରମରେ ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ (୪୭ ରନ୍‌, ୨୨ ବଲ୍‌, ୩ ଚୌକ, ୪ ଛକା) ଓ ଋଷବ ପନ୍ତ (୪୩ ରନ୍‌, ୨୬ ବଲ୍‌, ୭ ଚୌକା, ୧ ଛକା) କିଛି ସମୟ ଲଢ଼ିଥିଲେ। ହେଲେ ଏହି ଦୁଇ ଜଣ ପ୍ୟାଭିଲିୟନ ଫେରିବା ପରେ କୋଲକାତା ମାତ୍ର ୧୪. ୨ ଓଭରରେ ବିଜୟର ଔପଚାରିକତା ପୂରଣ କରିଥିଲା। ଦୁର୍ଭାଗ୍ୟଜନକ ଭାବେ ଅଧିନାୟକ ଗୌତମ ଗମ୍ଭୀରଙ୍କ ସହ ଦିଲ୍ଲୀର ୮ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। କୋଲକାତାର ଦୁଇ ସ୍ପିନର କୁଲଦୀପ ଯାଦବ ଏବଂ ସୁନୀଲ ନରିନ ୩ ଓ୍ଵିକେଟ୍‌ ଲେଖାଏଁ ବାଣ୍ଟି ନେଇଥିଲେ। ଏପରିକି ଦ୍ୱାଦଶ ଓଭରରେ ନରିନ ଲଗାତାର ଦୁଇଟି ଓ୍ଵିକେଟ୍‌ ନେବା ପରେ ସାହାବାଜ ନଦିମଙ୍କ ରକ୍ଷଣାତ୍ମକ ବ୍ୟାଟିଂ ପାଇଁ ଅଳ୍ପକେ ହ୍ୟାଟ୍ରିକରୁ ବଞ୍ଚିତ ହୋଇଥିଲେ। ତେବେ ଆଇପିଏଲରେ ୧୦୦ ଓ୍ଵିକେଟ୍‌ ପୂରଣ କରିବାରେ ସେ ଏକାଦଶ ବୋଲର ହୋଇଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କୋଲକାତା ନାଇଟ୍‌ ରାଇଡର୍ସ ୭ ରନ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ସୁନୀଲ ନରିନଙ୍କୁ ହରାଇବା ସତ୍ତ୍ୱେ ନିର୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୦୦ ରନ୍‌ କରି ନେଇଥିଲା। ଯୁବ ତାରକା ନୀତିଶ ରଣା (୫୯ ରନ୍‌, ୩୫ ବଲ୍‌, ୫ ଚୌକା, ୪ ଛକା)ଙ୍କ ଚଳିତ ଋତୁର ପ୍ରଥମ ଅର୍ଧଶତକ ସହ େଓ୍ଵଷ୍ଟଇଣ୍ଡିଜ୍‌ ତାରକା ଆନ୍ଦ୍ରେ ରସେଲଙ୍କ ଧମାକାଦାର ୪୧ ରନ୍‌ (୧୨ ବଲ୍‌, ୬ ଛକା) ବ୍ୟାଟିଂ ବଳରେ ହିଁ କୋଲକାତା ବଡ଼ ସ୍କୋର କରି ପାରିଥିଲା। ବିଶେଷ କରି ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରସେଲ ମାତ୍ର ୧୨ ବଲ୍‌ର ସମ୍ମୁଖୀନ ହୋଇ ସେଥିମଧ୍ୟରୁ ୬ଟିକୁ ସୀମା ରେଖା ବାହାରକୁ ପଠାଇ ଦେଇଥିଲେ।

ଯାହା ଦିଲ୍ଲୀ ବୋଲରଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା। ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ଏକ ସୁନ୍ଦର ୟର୍କରରେ ବୋଲ୍‌ଡ କରି ନଥିଲେ କୋଲକାତା ସମ୍ଭବତଃ ୨୨୦ରୁ ଅଧିକ ରନ୍‌ ସଂଗ୍ରହ କରି ନେଇ ଥାଆନ୍ତା। ଅନ୍ୟମାନଙ୍କ ମଧ୍ୟରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଲିନ୍‌ ୩୧ (୨୯ ବଲ୍‌, ୪ ଚୌକା, ୧ ଛକା), ରବିନ ଉଥାପ୍ପା ୩୫ (୧୯ ବଲ୍‌, ୨ ଚୌକା, ୩ ଛକା) ଏବଂ ଅଧନାୟକ ଦୀନେଶ କାର୍ତିକ ୧୯ (୧୦ ବଲ୍‌, ୨ ଚୌକା, ୧ ଛକା) ମଧ୍ୟ ଦ୍ରୁତ ରନ୍‌ କରିଥିଲେ। କୋଲକାତା ପକ୍ଷରୁ ରାହୁଲ ତିଓ୍ଵାତିଆ ୧୮ ରନ୍‌ ଦେଇ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ନୀତିଶ ତାଙ୍କ ଚିତ୍ତାକର୍ଷକ ବ୍ୟାଟିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୨୦୦/୯ (ନୀତିଶ ରାଣା ୫୯, ଆନ୍ଦ୍ରେ ରସେଲ ୪୧, ରବିନ ଉଥାପ୍ପା ୩୫, କ୍ରିସ୍‌ ଲିନ୍‌ ୩୧, ରାହୁଲ ତିଓ୍ଵାତିଆ ୩/୧୮, ଟ୍ରେଣ୍ଟ ବୋଲ୍ଟ ୨/୨୯, କ୍ରିସ୍‌ ମୋରିସ୍‌ ୨/୪୧)। ଦିଲ୍ଲୀ ଡେୟାର ଡେଭିଲ୍ସ ୧୪.୨ ଓଭରରେ ୧୨୯ (ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ ୪୭, ଋଷବ ପନ୍ତ ୪୩, ସୁନୀଲ ନରିନ ୩/୧୮, କୁଲଦୀପ ଯାଦବ ୩/୩୨)।

ସମ୍ବନ୍ଧିତ ଖବର