କୋଲକାତା ଶୀର୍ଷକୁ ଉଠିଲା

0

ଜୟପୁର: ଆଇପିଏଲ୍‌ର ଏକବିଂଶ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ୮ ୱିକେଟ୍‌ରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଛି। ଏଥି ସହିତ ଦୀନେଶ କାର୍ତିକଙ୍କ ଦଳ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍‌ସ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ସହିତ ନିମ୍ନରେ ସଂଘର୍ଷ କରୁଛି। ବଲ୍ ବିକୃତ ବିବାଦ ପାଇଁ ଗୋଟିଏ ବର୍ଷ ନିଲମ୍ବିତ ହୋଇ କ୍ରିକେଟ୍‌ ଦୁନିଆକୁ ଫେରିଥିବା ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ରବିବାର ଚଳିତ ଆଇପିଏଲ୍‌ରେ ନିଜର ପ୍ରଥମ ଅର୍ଧଶତକ ହାସଲ କରିଥିଲେ ମଧ୍ୟ ଏହା କିଛି କାମରେ ଲାଗିନଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ରାଜସ୍ଥାନ ରୟାଲ୍ସକୁ ପ୍ରସିଦ୍ଧ କୃଷ୍ଣ ନିଜ ପ୍ରଥମ ବଲ୍‌ରେ ପ୍ରଥମ ଝଟକା ଦେଇଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାଣେ (୫)ଙ୍କୁ ଆଉଟ୍ କରି ଦେଇଥିଲେ। ଜୋସ୍ ବଟଲର୍ (୩୭, ୩୪ ବଲ୍‌, ୫ ଚୌକା, ୧ ଛକା) ଏବଂ ସ୍ମିଥ୍ (୭୩*, ୫୯ ବଲ୍‌, ୭ ଚୌକା, ୧ ଛକା) ଦ୍ବିତୀୟ ୱିକେଟ୍‌ ପାଇଁ ୭୨ ରନ୍ ଯୋଡ଼ିଥିଲେ। ୪୧ ବଲ୍‌ରୁ ୪୦ ରନ୍ କରିଥିବା ସ୍ମିଥ୍‌ ଏହା ପରେ ବ୍ୟାଟିଂ ଗିୟର ବଦଳାଇ ୪୪ ବଲ୍‌ରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ। କେକେଆର୍ ପାଇଁ ପଦାର୍ପଣ କରିଥିବା ଇଂଲଣ୍ଡ ବୋଲର ହ୍ୟାରି ଗୁର୍ନି (୪-୦-୨୫-୨) ସଫଳ ‌ବୋଲର ଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ୧୪୦ ରନ୍‌କୁ ପିଛା କରିଥିବା କୋଲକାତା ପାଇଁ ସୁନୀଲ ନରିନ୍ (୪୭, ୨୫ ବଲ, ୬ ଚୌକା, ୩ ଛକା) ଏବଂ କ୍ରିସ୍ ଲିନ୍‌ (୫୦, ୩୨ ବଲ, ୬ ଚୌକା, ୩ ଛକା) ପ୍ରଥମ ୱିକେଟ୍‌ ପାଇଁ ୮.୩ ଓଭରରେ ୯୧ ରନ୍ ଉଠାଇବା ପରେ ଦଳର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଉଭୟଙ୍କ ୱିକେଟ୍ ଶ୍ରେୟସ‌ ଗୋପାଳ ନେଇଥିଲେ ମଧ୍ୟ ରବିନ୍‌ ଉଥପ୍ପା (୨୬*, ୧୬ ବଲ, ୧ ଚୌକା, ୨ ଛକା) ଏବଂ ଶୁଭମ୍ ଗିଲ୍ (୬*, ୧୦ ବଲ) ଦଳକୁ ୩୭ ବଲ୍‌ ପୂର୍ବରୁ ଜିତାଇଥିଲେ।

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍‌ସ ୨୦ ଓଭରରେ ୧୩୯/୩ (ଷ୍ଟିଭେନ୍‌ ସ୍ମିଥ୍-୭୩*, ଜୋସ୍ ବଟଲର୍-୩୭, ହ୍ୟାରି ଗୁର୍ନି-୨/୨୫, ପ୍ରସିଦ୍ଧ କୃଷ୍ଣ-୧/୩୫)। କୋଲକାତା ନାଇଟ୍ ରାଇଡର୍ସ ୧୩.୫ ଓଭରରେ ୧୪୦/୨ (କ୍ରିସ୍ ଲିନ୍‌-୫୦, ସୁନୀଲ ନରିନ୍‌-୪୭, ରବିନ୍‌ ଉଥପ୍ପା-୨୬*, ଶ୍ରେୟସ ଗୋପାଳ-୨/୩୫)।

ସମ୍ବନ୍ଧିତ ଖବର

Leave A Reply

Your email address will not be published.