କୋଲ୍‌କାତାକୁ ହରାଇ ଶୀର୍ଷରେ ପଞ୍ଜାବ

କୋଲକାତା: େଓ୍ଵଷ୍ଟଇଣ୍ଡିଜ୍‌ ତାରକା କ୍ରିସ୍‌ ଗେଲ୍‌ଙ୍କୁ ଦଳରେ ସାମିଲ କରିବା ପରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଭାଗ୍ୟ ବଦଳି ଯାଇଛି। ଗେଲ୍‌ ଲଗାତାର ତୃତୀୟ ମ୍ୟାଚ୍‌ରେ ୫୦ରୁ ଅଧିକ ରନ୍‌ କରିବା ପରେ ପଞ୍ଜାବ ବି ସମାନ୍ତରାଳ ଭାବେ ଲଗାତାର ତୃତୀୟ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ଶୀର୍ଷରେ ପହଞ୍ଚିଯାଇଛି। ଚଳିତ ଆଇପିଏଲ୍‌ର ବର୍ଷା ପ୍ରଭାବିତ ଅଷ୍ଟାଦଶ ମ୍ୟାଚ୍‌ରେ ଶନିବାର ପଞ୍ଜାବ ୯ ଓ୍ଵିକେଟ୍‌ରେ କୋଲକାତାକୁ ପରାସ୍ତ କରିଛି। କୋଲକାତା ପାଇଁ ଗେଲ୍‌ (୬୨ ରନ୍‌, ୩୮ ବଲ୍‌, ୫ ଚୌକା, ୬ ଛକା) ଏବଂ ଲୋକେଶ ରାହୁଲ (୬୦ ରନ୍‌, ୨୭ ବଲ୍‌, ୯ ଚୌକା, ୨ ଛକା)ଙ୍କ ବିସ୍ଫୋରକ ଭାଗୀଦାରି ସହ ଅଦିନିଆ ବର୍ଷା କାଳ ହୋଇଥିଲା। ୧୩ ଓଭରରେ ୧୨୫ ରନ୍‌ର ପୁନଃ ନିର୍ଧାରିତ ବିଜୟ ଲକ୍ଷ୍ୟକୁ ପଞ୍ଜାବ ଗୋଟିଏ ଓ୍ଵିକେଟ୍‌ ହରାଇ ୧୧ ବଲ୍‌ ପୂର୍ବରୁ ହାସଲ କରି ନେଇଥିଲା। ଦୀନେଶ କାର୍ତିକଙ୍କ କୋଲକାତା ନାଇଟ୍‌ ରାଇଡର୍ସ ଆଜି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୯୧ ରନ୍‌ର ସମ୍ମାନଜନକ ସ୍କୋର କରିଥିଲା। ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପଞ୍ଜାବ ପକ୍ଷରୁ ଗେଲ୍‌-ରାହୁଲ ଧମାକାଦାର ବ୍ୟାଟିଂ କରିବା ସହ ମାତ୍ର ୮.୨ ଓଭରରେ ୯୬ ରନ୍‌ ସଂଗ୍ରହ କରି ନେଇଥିଲେ। ହେଲେ ଏହା ପରେ କୋଉଠି କେଜାଣି ଅଦିନିଆ ବର୍ଷା ମାଡ଼ି ଆସିଥିଲା। ସେଥିପାଇଁ ପାଖା ପାଖି ଦେଢ଼ ଘଣ୍ଟାରୁ ଅଧିକ ସମୟ ଖେଳ ବନ୍ଦ ହୋଇଥିଲା। ରାତି ୮ଟା ୧୩ରେ ପୁନର୍ବାର ଖେଳ ଆରମ୍ଭ ହେବା ପରେ ପଞ୍ଜାବକୁ ଡକଓ୍ଵର୍ଥ/ଲୁଇସ୍‌ ନିୟମରେ ୧୩ ଓଭରରୁ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ସେତେବେଳକୁ ପଞ୍ଜାବ ସ୍କୋର ବୋର୍ଡରେ ବିନା କ୍ଷତିରେ ୯୬ ରନ୍‌ ଯୋଡ଼ି ହୋଇ ସାରିଥିବାରୁ ବିଜୟ ପାଇଁ ୨୮ ବଲ୍‌ରୁ ଆଉ ମାତ୍ର ୨୯ ରନ୍‌ର ଦରକାର ଥିଲା। ହେଲେ ଛକାରୁ ପୁଣି ଥରେ ବ୍ୟାଟିଂ ଆରମ୍ଭ କରିବା ପରେ ସେହି ଛକାରେ ହିଁ ଗେଲ୍‌ ବିଜୟ ମୁଣ୍ଡି ମାରିଥିଲେ। ରାହୁଲ ମଧ୍ୟ ଦ୍ରୁତ ବ୍ୟାଟିଂ କରିଥିଲେ। ପଞ୍ଜାବ ୧୧ ବଲ୍‌ ପୂର୍ବରୁ ଏବଂ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ ତାଲିକାର ପ୍ରଥମ ସ୍ଥାନକୁ ଉଠିଥିଲା। ଅନ୍ୟ ପକ୍ଷରେ କୋଲକାତା ଷଷ୍ଠ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଥିଲା। ରାହୁଲ ତାଙ୍କ ଦମଦାର ଅର୍ଧଶତକ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ କୋଲକାତା ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଲିନ୍‌ଙ୍କ ୭୪ ରନ୍‌ ବଳରେ ୭ ଓ୍ଵିକେଟ୍‌ ହରାଇ ୧୯୦ ରନ୍‌ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଦୀନେଶ କାର୍ତିକ ୪୩ ଏବଂ ରବିନ ଉଥାପ୍ପା ୩୪ ରନ୍‌ କରିଥିଲେ।

ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୧୯୦/୭ (କ୍ରିସ୍‌ ଲିନ୍‌ ୭୪, ଦୀନେଶ କାର୍ତିକ ୪୩, ରବିନ ଉଥାପ୍ପା ୩୪, ଆଣ୍ଡ୍ର୍ୟୁ ଟାଏ ୨/୩୦, ବରିନ୍ଦର ସ୍ରନ୍‌ ୨/୫୦)। କିଙ୍ଗ୍ସ ଏକାଦଶ ପଞ୍ଜାବ ୧୧.୧ ଓଭରରେ ୧୨୬/୧,ଡି/ଏଲ୍‌ ବିଜୟ ଲକ୍ଷ୍ୟ ୧୩ ଓଭରରେ ୧୨୫ (ଲୋକେଶ ରାହୁଲ ୬୦, କ୍ରିସ୍‌ ଗେଲ୍‌ ୬୨*, ସୁନୀଲ ନରିନ ୧/୨୩)।

ସମ୍ବନ୍ଧିତ ଖବର