ରସେଲ୍‌ (୪୮*,୧୩ ବଲ୍‌) ରାମ୍ପିନେଲେ

ବେଙ୍ଗାଲୁରୁ: ଲଢ଼ୁଆ ଆରସିବି ୨୦୫ ରନ୍ କରିଥିଲେ ମଧ୍ୟ ଆନ୍ଦ୍ରେ ରସେଲ (୪୮*, ୧୩ ବଲ)ଙ୍କ ଗର୍ଜନ ଆଗରେ ହାର ମାନିଛି। ରସେଲଙ୍କ ଛକା ବର୍ଷା ପାଳି କାରଣରୁ ନିଶ୍ଚିତ ବିଜୟ ଆଡକୁ ଅଗ୍ରସର ହେଉଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ନିକଟରୁ ମ୍ୟାଚ୍‌ ଖସି ଯାଇଥିଲା। ବିରାଟ କୋହଲି ଏବଂ ଏବି ଡି’ଭିଲିୟର୍ସଙ୍କ ଶତକୀୟ ଭାଗୀଦାରି ଫିକା ପଡ଼ିଯାଇଛି। ୫ ୱିକେଟ୍‌ ପରାଜୟ ସହିତ ଆରସିବି ମଧ୍ୟ ୫ରୁ ୫ ପରାଜୟ ବରଣ କରିଛି। କେକେଆର୍ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ସହିତ ପଏଣ୍ଟ୍‌ ତାଲିକାର ଚତୁର୍ଥରୁ ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛି। ବେଙ୍ଗାଲୁରୁରର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବାଙ୍ଗାଲୋର୍ ଟସ୍ ହାରି ବ୍ୟାଟିଂ ପାଇଥିଲା। ପାର୍ଥିବ ପଟେଲ୍ ଏବଂ ବିରାଟ କୋହଲି ମଧ୍ୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ପାୱାର ପ୍ଲେ’ ୬ ଓଭରରୁ ବିନା କ୍ଷତିରେ ୫୩ ରନ୍ ଆଦାୟ କରିଥିଲେ। କିନ୍ତୁ ୪ ଜଣ ସ୍ପିନରଙ୍କ ଜରିଆରେ ବୋଲିଂ କରାଇଥିବା କୋଲ୍‌କାତା ପ୍ରଥମେ ରନ୍ ହାରରେ ଅଙ୍କୁଶ ଲଗାଇଥିଲେ ମଧ୍ୟ କୋହଲି-ଡି’ଭିଲିୟର୍ସଙ୍କୁ ରୋକି ପାରିନଥିଲା। ପାର୍ଥିବ ପଟେଲ୍‌ (୨୫, ୨୪ ବଲ)ଙ୍କ ପରେ କୋହଲି-ଏବିଡି ୯.୨ ଓଭରରେ ୧୦୮ ରନ୍ ଯୋଡ଼ି ନେଇଥିଲେ। କୋହଲି ୩୧ ବଲ୍‌ରୁ ଏବଂ ଏବିଡି ୨୮ ବଲ୍‌ରୁ ଅର୍ଧଶତକ ହାସଲ କରିଥିଲେ। ଲଗାତାର ଓଭରରେ ଆଉଟ୍ ହୋଇଯିବାରୁ ଶତକ ପର୍ଯ୍ୟନ୍ତ କେହି ପହଞ୍ଚି ପାରିନଥିଲେ। କୋହଲି (୮୪, ୪୯ ବଲ୍‌, ୯ ଚୌକା, ୨ ଛକା)ଙ୍କୁ କୁଲଦୀପ ଯାଦବ ରିଟର୍ନ କ୍ୟାଚ୍‌ରେ ପ୍ୟାଭିଲିଅନ୍ ଫେରାଇଥିଲେ। ଡି’ଭିଲିୟର୍ସ (୬୩, ୩୨ ବଲ୍‌, ୫ ଚୌକା, ୪ ଛକା)ଙ୍କୁ ସୁନୀଲ ନରିନ୍ ଚଳିତ ଋତୁର ନିଜର ଏକମାତ୍ର ଶିକାର କରିଥିଲେ। ଶେଷକୁ ମାର୍କସ ଷ୍ଟୋଇନିସ (୨୮*, ୧୩ ବଲ୍‌, ୩ ଚୌକା, ୧ ଛକା) ବିସ୍ଫୋରକ ବ୍ୟାଟିଂ କରିବାରୁ ଆରସିବି ୨୦୦ ଟପିଯାଇଥିଲା। କେକେଆର୍ ଏହି ମ୍ୟାଚ୍‌ରେ ୪ ଜଣ ସ୍ପିନର (ପୀୟୂଷ ଚାୱଲା, ସୁନୀଲ ନରିନ୍‌, କୁଲଦୀପ ଯାଦବ, ନୀତିଶ ରାଣା)ଙ୍କ ଜରିଆରେ ମୋଟ ୧୪ ଓଭର ବୋଲିଂ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ୨୦୫ ରନ୍‌କୁ ପିଛା କରିଥିବା କେକେଆର୍ ଦଳ ପାୱାର ପ୍ଲେ’ ୬ ଓଭରରେ ୧ ୱିକେଟ୍ ବିନିମୟରେ ୫୯ ରନ୍ କରି ଦୃଢ଼ ମୂଳଦୁଆ ପକାଇଥିଲା। ସୁନୀଲ ନରିନ (୧୦) ଶସ୍ତାରେ ଆଉଟ୍ ହୋଇଯିବା ପରେ କ୍ରିସ୍ ଲିନ୍ (୪୩, ୩୧ ବଲ, ୪ ଚୌକା, ୨ ଛକା) ଏବଂ ରବିନ୍ ଉଥପ୍ପା (୩୩, ୨୫ ବଲ, ୬ ଚୌକା) ୮ ଓଭରରୁ ୬୫ ରନ୍ ଉଠାଇଥିଲେ। ଉଭୟଙ୍କ ୱିକେଟ୍ ନେଇଥିଲେ ଚଳିତ ଋତୁର ପ୍ରଥମ ମ୍ୟାଚ୍‌ ଖେଳୁଥିବା ବାମହାତୀ ସ୍ପିନର୍ ପବନ ନେଗି। ଏହା ପରେ ନୀତିଶ ରାଣା (୩୭, ୨୩ ବଲ, ୧ ଚୌକା, ୨ ଛକା) ମଧ୍ୟ ଢେର ଲଢ଼ିଥିଲେ। ଶେଷ ୩ ଓଭରରୁ କେକେଆର୍‌କୁ ୫୩ ରନ୍ ଆବଶ୍ୟକ ପଡ଼ିଥିଲା। ଦୀନେଶ କାର୍ତିକ (୧୯, ୧୫ ବଲ)ଙ୍କ ଆଉଟ୍ କିନ୍ତୁ କେକେଆର୍ ପାଇଁ ବରଦାନ ହୋଇଥିଲା। ଆନ୍ଦ୍ରେ ରସେଲ (୪୮*, ୧୩ ବଲ୍‌, ୧ ଚୌକା, ୭ ଛକା) ଅସମ୍ଭବକୁ ସମ୍ଭବ କରି ଦେଇଥିଲେ। ୧୮ତମ (ସିରାଜ-ଷ୍ଟୋଇନିସ) ଏବଂ ୧୯ତମ (ସାଉଦି) ଓଭରରୁ ଯଥାକ୍ରମେ ୨୩ ଓ ୨୯ ରନ୍ ଆଦାୟ କରିଥିଲେ ରସେଲ। ସେ ଦ୍ବିତୀୟ ଥର ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୨୦ ଓଭରରେ ୨୦୫/୩ (ବିରାଟ କୋହଲି-୮୪, ଏବି ଡି’ଭିଲିୟର୍ସ-୬୩, ପାର୍ଥିବ ପଟେଲ୍-୨୫, ମାର୍କସ ଷ୍ଟୋଇନିସ୍‌-୨୮*, ନୀତିଶ ରାଣା-୧/୨୨, ପୀୟୂଷ ଚାୱଲା-୧/୩୦, କୁଲଦୀପ ଯାଦବ-୧/୩୧)। କୋଲକାତା ନାଇଟ୍ ରାଇଡର୍ସ ୧୯.୧ ଓଭରରେ ୨୦୬/୫ (କ୍ରିସ୍ ଲିନ୍-୪୩, ରବିନ୍‌ ଉଥପ୍ପା-୩୩, ନୀତିଶ ରାଣା-୩୭, ଦୀନେଶ କାର୍ତିକ-୧୯, ଆନ୍ଦ୍ରେ ରସେଲ-୪୮*, ଶୁଭମନ ଗିଲ୍‌-୩*, ପବନ ନେଗି-୨/୨୧, ନଭଦୀପ ସଇନି-୨/୩୪, ୟୁଜବେନ୍ଦ୍ର ଚହଲ-୧/୨୫)।

ସମ୍ବନ୍ଧିତ ଖବର