କ୍ୱାଲିଫାୟର୍‌ରେ କୋଲ୍‌କାତା

ରାଜସ୍ଥାନକୁ ବିଦା କଲେ କାର୍ତିକ-ରସେଲ୍‌

କୋଲ୍‌କାତା: କୋଲ୍‌କାତା ନାଇଟ୍‌ ରାଇଡର୍ସ ଚଳିତ ଆଇପିଏଲ୍‌ ଫାଇନାଲ୍‌ ଖେଳିବାର ନିକଟତର ହୋଇଛି। ବୁଧବାରର ଏଲିମିନେଟର ମୁକାବିଲାରେ କୋଲ୍‌କାତା ପୂର୍ବବିଜେତା ରାଜସ୍ଥାନ ରୟାଲ୍ସକୁ ୨୫ ରନ୍‌ରେ ହରାଇ ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିନେଇଛି। ଫାଇନାଲ୍‌ ଟିକେଟ ଲାଗି ଏହି ଦଳକୁ ଶୁକ୍ରବାର ଖେଳାଯିବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟରରେ ଟେବୁଲ ଟପର ସନ୍‌ରାଇଜର୍ସ ହାଇଦ୍ରବାଦର ମୁକାବିଲା କରିବାକୁ ହେବ। ଏହି ମ୍ୟାଚ୍‌ର ବିଜେତା ରବିବାର ଫାଇନାଲରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ। ଚେନ୍ନାଇ ପ୍ରଥମ କ୍ୱାଲିଫାୟରରେ ସନ୍‌ରାଇଜର୍ସକୁ ହରାଇ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି। ଅନ୍ୟପକ୍ଷରେ ପଏଣ୍ଟ ତାଲିକାର ପ୍ରଥମରେ ରହିଥିବାରୁ ସନରାଇଜର୍ସକୁ କୋଲ୍‌କାତା ବିପକ୍ଷରେ ଫାଇନାଲ ପ୍ରବେଶ ଲାଗି ଆଉ ଏକ ସୁଯୋଗ ମିଳିବ। ବୁଧବାର ସଂଧ୍ୟାରେ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଅଧିନାୟକ ଦୀନେଶ କାର୍ତିକ (୫୨ ରନ୍‌, ୩୮ ବଲ୍‌, ୪ ଚୌକା, ୨ ଛକା) ଏବଂ ଅଲରାଉଣ୍ଡର ଆନ୍ଦ୍ରେ ରସେଲ (୪୯* ରନ୍‌, ୨୫ ବଲ୍‌, ୩ ଚୌକା, ୫ ଛକା)ଙ୍କ ଦ୍ରୁତ ବ୍ୟାଟିଂ ବଳରେ କୋଲ୍‌କାତା ରାଜସ୍ଥାନ ସମ୍ମୁଖରେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ରାଜସ୍ଥାନ ଭଲ ଆରମ୍ଭ କରିଥିଲା। ହେଲେ ଠିକଣା ସମୟରେ ରନ୍‌ ହାର ବଢ଼ାଇବାକୁ ସକ୍ଷମ ହୋଇ ନଥିଲା। ଫଳରେ ହାତରେ ଯଥେଷ୍ଟ ଓ୍ଵିକେଟ୍‌ ଥିଲେ ମଧ୍ୟ ବିଜୟ ଲକ୍ଷ୍ୟ ହାସଲ କରି ପାରି ନଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ (୪୬ ରନ୍‌, ୪୧ ବଲ୍‌, ୪ ଚୌକା, ୧ ଛକା) ପାଳି ଆରମ୍ଭ କରି ମାତ୍ରାଧିକ ରକ୍ଷଣାତ୍ମକ ବ୍ୟାଟିଂ କରିବା ଏହି ଦଳ ପାଇଁ ଶେଷରେ କାଳ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ୍‌ ୫୦ (୩୮ ବଲ୍‌, ୪ ଚୌକା, ୨ ଛକା) ଓ ରାହୁଲ ତ୍ରିପାଠୀ ୨୦ ରନ୍‌ (୧୩ ବଲ୍‌, ୧ ଚୌକା, ୨ ଛକା) କରିଥିଲେ। ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୪୪ ରନ୍‌ରେ ଅଟକି ଯାଇଥିଲା। ରସେଲ୍‌ ତାଙ୍କ ବିସ୍ଫୋରକ ପାଳି ସହ କଂଜୁସ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେପଟେ କୋଲ୍‌କାତା ତୃତୀୟ ଥର ବିଜେତା ହେବା ଦିଗରେ ଅଗ୍ରସର ହୋଇଥିଲା।

ଏହା ପୂର୍ବରୁ କୋଲ୍‌କାତା ତା’ ପ୍ରଥମ ୪ ବ୍ୟାଟ୍ସମ୍ୟାନଙ୍କ ଅପ୍ରତ୍ୟାଶିତ ବିଫଳତା ପରେ କାର୍ତିକଙ୍କ ଦ୍ରୁତ ଏବଂ ଉପଯୋଗୀ ଅର୍ଧଶତକ ପାଇଁ ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୬୯ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା। କାର୍ତିକଙ୍କ ଛଡ଼ା ଯୁବ ତାରକା ଶୁଭମନ ଗିଲ (୨୮ ରନ୍‌, ୧୭ ବଲ୍‌, ୩ ଚୌକା, ୧ ଛକା) ଓ ରସେଲ ମଧ୍ୟ ଶେଷ ଆଡ଼କୁ ବିସ୍ଫୋରକ ବ୍ୟାଟିଂ କରି କୋଲ୍‌କାତା ରନ୍‌ ସଂଗ୍ରହ ହାରକୁ ବଢ଼ାଇ ଦେଇଥିଲେ। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ସୁନୀଲ ନରିନ (୪) ଓ କ୍ରିସ୍‌ ଲିନ୍‌ (୧୮)ଙ୍କ ସହ ରବିନ ଉଥାପ୍ପା (୩) ଏବଂ ନୀତିଶ ରାଣା (୩) କିନ୍ତୁ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଏପରିକି କାର୍ତିକଙ୍କ ପ୍ରତି ଆକ୍ରମଣ ପୂର୍ବରୁ କୋଲ୍‌କାତା ୫୧ ରନ୍‌ରେ ୪ ଓ୍ଵିକେଟ୍‌ ହରାଇ ପ୍ରତିଟି ରନ୍‌ ପାଇଁ ସଂଘର୍ଷ କରୁଥିଲା। ସେପଟେ ସ୍ପିନର କୃଷ୍ଣପ୍ପା ଗୌତମଙ୍କ ଯୁଗଳ ଝଟ୍‌କାରେ ରାଜସ୍ଥାନ ପ୍ରଥମ ୧୦ ଓଭରର ଖେଳକୁ ନିଜ ନିୟନ୍ତ୍ରଣରେ ରଖି ପାରିଥିଲା।

ସଂକ୍ଷିପ୍ତ ସ୍କୋର: କୋଲ୍‌କାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୧୬୯/୭ (ଦୀନେଶ କାର୍ତିକ ୫୨, ଆନ୍ଦ୍ରେ ରସେଲ ୪୯*, ଶୁଭମନ ଗିଲ ୨୮, କୃଷ୍ଣପ୍ପା ଗୌତମ ୨/୧୫, ଜୋଫ୍ରା ଆର୍ଚର ୨/୩୩)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୪୪/୪ (ସଞ୍ଜୁ ସାମସନ୍‌ ୫୦, ଅଜିଙ୍କ୍ୟ ରାହାଣେ ୪୬, ରାହୁଲ ତ୍ରିପାଠୀ ୨୦, ପୀୟୂଷ ଚାଓ୍ଵଲା ୨/୨୪, କୁଲଦୀପ ଯାଦବ ୧/୧୮)।

ସମ୍ବନ୍ଧିତ ଖବର