ପହଞ୍ଚିଲା କୋରିଆ, ପୂର୍ବତଟ ପ୍ରସ୍ତୁତ

ଭୁବନେଶ୍ୱର: ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଦକ୍ଷିଣ କୋରିଆ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। ଦୁଇଟି ଯାକ ଅଭ୍ୟାସ ମ୍ୟାଚ୍‌ କୋରିଆ ପୂର୍ବତଟ ରେଳବାଇ ବିପକ୍ଷରେ ଖେଳିବ। ପ୍ରଥମ ମ୍ୟାଚ୍‌ ଚଳିତ ନଭେମ୍ବର ୨୬ ଏବଂ ଦ୍ୱିତୀୟ ୩୦ ତାରିଖରେ ଖେଳାଯିବ। ଦୁଇଟି ଅଭ୍ୟାସ ମ୍ୟାଚ୍‌ ସହ କୋରିଆ ମଧ୍ୟ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନା ବିପକ୍ଷରେ ୨୮ ତାରିଖରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଶନିବାରଠାରୁ ଆରମ୍ଭ କରି କଳିଙ୍ଗ ଷ୍ଟାଡିୟମରେ କୋରିଆ ଦଳ ତିନିଟି ଅଭ୍ୟାସ ଅଧିବେଶନ ବି କରିବ। ୨୦୧୮ ଏସୀୟ କ୍ରୀଡ଼ା ଲାଗି ପ୍ରସ୍ତୁତି ଉଦ୍ଦେଶ୍ୟରେ କୋରିଆ ଏହି ତିନିଟି ମ୍ୟାଚ୍‌ ଖେଳିବ। ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ଖେଳୁ ନଥିଲେ ମଧ୍ୟ ଭୁବନେଶ୍ୱରରେ ସଂପ୍ରତି ଥିବା ହକି ମାହୋଲକୁ ଦେଖି କୋରିଆ ଖେଳାଳିମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ ହକିରେ କୋରିଆ ଚତୁର୍ଥ ସ୍ଥାନରେ ରହିଥିଲା। ଭାରତ ବିପକ୍ଷ ମ୍ୟାଚକୁ ୧-୧ରେ ଅମୀମାଂସିତ ରଖିବା ପରେ ପାକିସ୍ତାନଠାରୁ ୩-୬ରେ ହାରି କାଂସ୍ୟ ପଦକରୁ ବଞ୍ଚିତ ହୋଇଥିଲା।

ଭାରତ ଫାଇନାଲ୍‌ ଖେଳିବ: କୋରିଆ ପ୍ରଶିକ୍ଷକ

ଅଭ୍ୟାସ ମ୍ୟାଚ୍‌ ଖେଳିବା ଲାଗି ଶୁକ୍ରବାର ଭୁବନେଶ୍ୱର ପହଞ୍ଚିଥିବା କୋରିଆ ଦଳର ପ୍ରଶିକ୍ଷକ ସିନ୍‌ ସେକ୍‌ କ୍ୱୋ ହକି ବିଶ୍ୱ ଲିଗ୍‌ରେ ଭାରତ ଫାଇନାଲ୍‌ ଖେଳିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି। କୋରିଆ ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୮ ଦଳ ମଧ୍ୟରେ ନଥିଲେ ମଧ୍ୟ ଏହି ପ୍ରତିଯୋଗିତା ଉପରେ କ୍ୱୋ ତୀକ୍ଷ୍ଣ ନଜର ରଖିବେ ବୋଲି କହିଛନ୍ତି। ସେ କହିଛନ୍ତି ଅଭ୍ୟାସ ମ୍ୟାଚ୍‌ ଖେଳିବା ସହ ହକି ବିଶ୍ୱ ଲିଗ୍‌ର ପ୍ରଥମ ତିନି ଦିନର ଖେଳ ଦେଖିବା ଲାଗି ଆମେ ଭୁବନେଶ୍ୱରରେ ରହିବୁ । ଇଣ୍ଡୋନେସିଆର ଜାକର୍ତାଠାରେ ୨୦୧୮ରେ ଆୟୋଜିତ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତି କରିବା ଲାଗି ଆମେ ଏଠାକୁ ଆସିଛୁ। ସ୍ଥାନୀୟ ଦଳ ସହ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ଼ ସୁଯୋଗ ଭାବେ ଉଭା ହୋଇଛି। ମୁଁ ଆଶା କରୁଛି ଭାରତ ଫାଇନାଲ୍‌ ପର୍ଯ୍ୟନ୍ତ ଯିବ।

କୋରିଆକୁ କଡ଼ା ଟକ୍କର ଦେବୁ: ରଞ୍ଜନ

କୋରିଆର ମୁକାବିଲା ଲାଗି ପୂର୍ବତଟ ରେଳବାଇ ଦଳ ବି ପୂରା ପ୍ରସ୍ତୁତ ଅଛି। ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ କଡ଼ା ଅଭ୍ୟାସ କରୁଥିବା ଏହି ଦଳର ଖେଳାଳିମାନେ କୋରିଆକୁ ଯେ ଟାଣୁଆ ଟକ୍କର ଦେବେ ତାହା ଏଥିରୁ ଅନୁମାନ କରି ହେଉଛି। ଦଳର ପ୍ରଶିକ୍ଷକ ରଞ୍ଜନ ଦାସ ମଧ୍ୟ ନିଜ ଖେଳାଳିଙ୍କ ପ୍ରଦର୍ଶନ ନେଇ ଢେର ଆଶାବାଦୀ ଅଛନ୍ତି। ଦଳ ମଧ୍ୟ କ୍ରୀଡ଼ା ଛାତ୍ରାବାସ ବିପକ୍ଷରେ ବୁଧବାର ଖେଳିଥିବା ପ୍ରଥମ ପ୍ରସ୍ତୁତି ମ୍ୟାଚ୍‌କୁ ୫-୪ରେ ଜିତିଥିଲା ବେଳେ ଗୁରୁବାର ଦ୍ୱିତୀୟ ଅଭ୍ୟାସ ମୁକାବିଲାକୁ ୧-୧ରେ ଅମୀମାଂସିତ ରଖିଛି। ଦଳର ପ୍ରସ୍ତୁତି ନେଇ ରଞ୍ଜନ କହିଛନ୍ତି ବିଦେଶୀ ଦଳ ସହ ଖେଳିବା ସୌଭାଗ୍ୟର ବିଷୟ। ଏଥିରୁ ଆମ ଖେଳାଳି ଅନେକ କିଛି ଶିଖି ପାରିବେ। କୋରିଆ ଏକ ଅନ୍ତର୍ଜାତୀୟ ଦଳ ହୋଇଥିଲେ ମଧ୍ୟ ଆମ ଦଳରେ ଆନନ୍ଦ ଲାକ୍ରା, ଡେଭିଡ୍‌ ମିଞ୍ଜ, ସୁବୋଧ ତିର୍କି, ସୁରେଶ ଟପ୍ପୋଙ୍କ ଭଳି ଖେଳାଳି ଅଛନ୍ତି। ନିକଟରେ ଆମେ ଦୁଇ ତିନିଟି ସର୍ବଭାରତୀୟ ପ୍ରତିଯୋଗିତା ଜିତିଛୁ। ଏଣୁ ମୁକାବିଲା ରୋମାଞ୍ଚକର ହେବ ବୋଲି ମୋର ଆଶା ଓ ବିଶ୍ୱାସ।

ହକି କଂପ୍ଲେକ୍ସରେ ଲାଗିବ ୨ ବିଶାଳ ଏଲ୍‌ଇଡି

କଳିଙ୍ଗ ଷ୍ଟାଡିୟମ୍‌ ଦର୍ଶକ ଦୁଇଟି ବିଶାଳ ଏଲ୍‌ଇଡି ଟିଭିରେ ମଧ୍ୟ ମ୍ୟାଚ୍‌ ଦେଖିପାରିବେ। ଏହି ଦୁଇଟି ଟିଭି ହକି କଂପ୍ଲେକ୍ସର ଉତ୍ତର ପଶ୍ଚିମ ଏବଂ ଦକ୍ଷିଣପୂର୍ବ ଦିଗରେ ଲାଗିବ। ଏଥିଲାଗି ୩୦ ଫୁଟ ଲମ୍ବ ଏବଂ ୨୪ ଫୁଟ ଓଭାରର ଲୁହର ଫ୍ରେମ୍‌ ଲଗା ଯାଇଛି। ଏଥିରେ ୫ ମିଟର ଓସାର ଏବଂ ୯ ମିଟର ଲମ୍ବର ଦୁଇଟି ବିଶାଳ ଏଲଇଡି ଟିଭି ଲାଗିବ। ଯେଉଁ ଦର୍ଶକମାନେ ପଡ଼ିଆ ଭିତର ଖଳ ଦେଖିବାର ଅସୁବିଧା ଅନୁଭବ କରିବେ ସେମାନେ ଏହି ଏଲଇଡି ଟିଭିରେ ମ୍ୟାଚ୍‌ ଦେଖି ପାରିବେ। ତା’ ଛଡ଼ା ଗୋଲ୍‌ର ପୁନଃ ପ୍ରସାରଣର ମଜା ମଧ୍ୟ ସେମାନେ ଏହି ବଡ଼ ଟିଭିରେ ନେଇ ପାରିବେ।

ନିଆରା ସୁଯୋଗ:ଆନନ୍ଦ ତିର୍କି

ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ସହ କୋରିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌କୁ ନେଇ ପୂର୍ବତଟ ରେଳବାଇ ଦଳର ଯୁବ ଖେଳାଳି ଆନନ୍ଦ ତିର୍କି ବେଶ୍‌ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଘରୋଇ ପରିବେଶରେ ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ଓ କୋରିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ମୋ ଖୁସିକୁ ଦ୍ୱିଗୁଣିତ କରିଛି। କାର୍ଯ୍ୟବ୍ୟସ୍ତତା ପାଇଁ ଆଗରୁ ଆମେ ଅଭ୍ୟାସ କରିବାକୁ ସମୟ ପାଉନଥିଲୁ। ଏହି ମ୍ୟାଚ୍‌ ପାଇଁ କିନ୍ତୁ ହେଲା ଭଲ ପ୍ରସ୍ତୁତି କରିଛୁ। ଆମ ଦଳରେ ୩-୪ ଜଣ ଅନ୍ତର୍ଜାତୀୟ ଖେଳାଳି ଅଛନ୍ତି। ଦଳର ସନ୍ତୁଲନ ବି ବେଶ୍‌ ଭଲ। ଏଣୁ କୋରିଆ ଆମଠାରୁ ସହଜରେ ମ୍ୟାଚ୍‌ ଜିତି ପାରିବ ନାହିଁ। ଏହି ମ୍ୟାଚ୍‌ ମୋ ପାଇଁ ନିଆରା ସୁଯୋଗ ଭାବେ ଉଭା ହୋଇଛି।

 

କୀଟ ନିୟନ୍ତ୍ରଣରେ ପିସିଆଇ

ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ରେ କୀଟ ନିୟନ୍ତ୍ରଣ ଦାୟିତ୍ୱ ପିସିଆଇ ନେଇଛି। ପ୍ରତିଯୋଗିତାରେ କୀଟପତଙ୍ଗମାନେ ଯେମିତି ଖେଳାଳି ଓ ଦର୍ଶକଙ୍କୁ ଅସୁବିଧାରେ ନ ପକାନ୍ତି, ସେଥିପାଇଁ ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କରି ଦେଲାଣି। ଗୁରବାରଠୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମ୍ୟାଚ୍‌ ଶେଷ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସଂସ୍ଥାର କର୍ମଚାରୀ ବିମଳ କୁମାର ମହାନ୍ତି କହିଛନ୍ତି। ଏହି କାର୍ଯ୍ୟରେ ଦୁଇଟି ଫଗିଙ୍ଗ୍‌ ମେସିନ୍‌ ସାଙ୍ଗକୁ ୧୦ଟି ମେଷ୍ଟର ପମ୍ପ୍‌ ନିୟୋଜିତ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର