ଭାଲେନ୍ସିଆ, ଭାରତୀୟ ଫୁଟ୍ବଲ୍ ଇତିହାସରେ ରବିବାର ଏକ ନୂଆ ଏକ ଫର୍ଦ ଯୋଡ଼ି ହୋଇଛି। ରବିବାର ରାତିରେ ଖେଳାଯାଇଥିବା ୨୦ ବର୍ଷରୁ କମ୍ କୋଟିଫ୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଭାରତୀୟ ଦଳ ୨-୧ ଗୋଲ୍ରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ପରାସ୍ତ କରି ନୂଆ ଇତିହାସ ରଚିଛି। ୬ ଥର ୨୦ ବର୍ଷରୁ କମ୍ ବିଶ୍ୱ ଚାମ୍ପିଅନ୍ସିପ୍ ବିଜେତା ଆର୍ଜେଣ୍ଟିନା ବିପକ୍ଷରେ ଭାରତ ଆରମ୍ଭରୁ ଭାରି ପଡ଼ିଥିଲା। ଚତୁର୍ଥ ମିନିଟ୍ରେ ଦୀପକ ଟାଙ୍ଗ୍ରୀଙ୍କ ଗୋଲ୍ରେ ଦଳ ଅଗ୍ରଣୀ ପାଇଥିଲା। ୫୪ ମିନିଟ୍ରେ ଆନିକେତ ଯାଦବଙ୍କୁ ଲାଲ୍ କାର୍ଡ ମିଳିବାରୁ ୧୦ ଜଣଙ୍କୁ ନେଇ ଭାରତ ଖେଳିଥିଲା। ହେଲେ ଏହାର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ପଡ଼ିନଥିଲା। ଅନଓ୍ଵର୍ ଅଲ୍ଲୀ (୬୮ ମିନିଟ୍)ଙ୍କ ଗୋଲ୍ ବଳରେ ଭାରତ ୨-୦ରେ ଆଗୁଆ ହୋଇଥିଲା। ତେବେ ୭୨ ମିନିଟ୍ରେ ଆର୍ଜେଣ୍ଟିନା ସେଥିମଧ୍ୟରୁ ଗୋଟିଏ ଗୋଲ୍ ଶୁଝି ଦେଇଥିଲା। ଶେଷରେ ଭାରତ ମ୍ୟାଚ୍କୁ ୨-୧ରେ ଜିତି ନେଇଥିଲା। ପ୍ରତିଯୋଗିତାରେ ଭାରତର ଏହା ପ୍ରଥମ ବିଜୟ। ଭାରତ ପୂର୍ବରୁ ମୁର୍ସିଆଠୁ ୦-୨ ଏବଂ ମୌରିତାନିଆଠୁ ୦-୩ ଗୋଲ୍ରେ ହାରିଥିଲା ବେଳେ ଭେନେଜୁଏଲା ବିପକ୍ଷ ମୁକାବିଲାକୁ ଅମୀମାଂସିତ ରଖିଥିଲା।