କୋଟ୍‌ଲା ଟେଷ୍ଟ୍‍ରେ ବିଜୟ ସୁଯୋଗ

ବିଜୟ ଲକ୍ଷ୍ୟ ୪୧୦:ଶ୍ରୀଲଙ୍କା ୩୧/୩

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ୍‍ରେ ଭାରତ ବିଜୟ ସମ୍ଭାବନା ଉଜ୍ୱଳ କରିଛି। ଶ୍ରୀଲଙ୍କା ସମ୍ମୁଖରେ ଭାରତୀୟ ଦଳ ୪୧୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜବାବରେ ଚତୁର୍ଥ ଦିନ ଶେଷ ସୁଦ୍ଧା ସିଂହଳୀ ଦଳ ୩୧ ରନ୍‌ରେ ୩ ଓ୍ଵିକେଟ୍‌ ହରାଇ ସଂଘର୍ଷ କରୁଛି। ତଥାପି ଚତୁର୍ଥ ଦିନ ଖେଳ ଆଲୋକ ଅଭାବରୁ ୧୩ ଓଭର ଆଗରୁ ବନ୍ଦ ହେବା ଭାରତକୁ ନିରାଶ କରିଛି। ଭାରତ କିନ୍ତୁ ବୁଧବାର ଅବଶିଷ୍ଟ ୭ ଓ୍ଵିକେଟ୍‌ ଦଖଲ କରି ଶୃଙ୍ଖଳାକୁ ୨-୦ରେ ଜିତିନେବା ଆଶାରେ ରହିଛି। ଶ୍ରୀଲଙ୍କାକୁ ପରାଜୟ ଏଡ଼ାଇବା ଲାଗି ବୁଧବାରସାରା ବ୍ୟାଟିଂ କରିବା ଆବଶ୍ୟକ ପଡ଼ିବ।
ମଙ୍ଗଳବାର ଶ୍ରୀଲଙ୍କା ୩୫୬/୯ରୁ ଖେଳି ୧୭ ରନ୍‌ ଯୋଡ଼ି ଶେଷ ଓ୍ଵିକେଟ୍‌ ହରାଇଥିଲା। ଅଧିନାୟକ ଦୀନେଶ ଚାନ୍ଦିମାଳ (୧୬୪, ୩୬୧ ବଲ୍‌, ୨୧ ଚୌକା, ୧ ଛକା) ନିଜ ଖେଳ ଜୀବନର ଶ୍ରେଷ୍ଠ ପାଳି ସହ ଈଶାନ୍ତ ଶର୍ମାଙ୍କ ତୃତୀୟ ଶିକାର ହୋଇଥିଲେ। ଶେଷ ବ୍ୟାଟ୍‌ସମ୍ୟାନ୍‌ ଲକ୍ଷ୍ମଣ ସନ୍ଦକନ (୦*, ୨୦ ବଲ୍‌) ଅପରାଜିତ ରହିଥିଲେ। ଏଥି ସହ ଭାରତକୁ ପ୍ରଥମ ପାଳିରେ ୧୬୩ ରନ୍‌ ଅଗ୍ରଣୀ ମିଳିଯାଇଥିଲା। ଏହା ପରେ ସ୍ୱଭାବିକ ଭାବେ ଭାରତ ଉନ୍ନତ ରନ୍‌ ହାରରେ ବ୍ୟାଟିଂ କରିଥିଲା। ମୁରଲୀ ବିଜୟ (୯) ଏବଂ ଅଜିଙ୍କ୍ୟ ରାହାଣେ (୧୦) ଶସ୍ତାରେ ଚାଲିଯିବା ପରେ ଭାରତ ସାମାନ୍ୟ ଚାପରେ ପଡ଼ିଥିଲା। କିନ୍ତୁ ଶିଖର ଧାଓ୍ଵନ (୬୭, ୯୧ ବଲ୍‌, ୫ ଚୌକା, ୧ ଛକା), ଚେତେଶ୍ୱର ପୂଜାରା (୪୯, ୬୬ ବଲ୍‌, ୫ ଚୌକା), ବିରାଟ କୋହଲି (୫୦, ୫୮ ବଲ୍‌, ୩ ଚୌକା) ଏବଂ ରୋହିତ ଶର୍ମା (୫୦*, ୪୯ ବଲ୍‌, ୫ ଚୌକା)ଙ୍କ ଆକର୍ଷଣୀୟ ପାଳି ବଳରେ ଭାରତ ୨୪୬/୫ରେ ପାଳି ଘୋଷଣା କରି ଦେଇଥିଲା।

ମଙ୍ଗଳବାର ୩୩ ବର୍ଷରେ ପାଦ ଥାପିଥିବା ଧାଓ୍ଵନ ୨୩ତମ ଅର୍ଧଶତକ ଅର୍ଜନ କରିଥିଲେ। ଚା’ପାନ ବିରତି ପରବର୍ତୀ ଖେଳରେ ଡ୍ରେସିଂ ରୁମ୍‌ରୁ ବିଜୟ ଶଙ୍କରଙ୍କ ଜରିଆରେ ରବି ଶାସ୍ତ୍ରୀ ବାର୍ତା ପଠାଇବା ପରେ କୋହଲି ଓ ରୋହିତ ଶର୍ମା ଅର୍ଧଶତକ ପୂର୍ଣ୍ଣ କରିବା ମାତ୍ରେ ପାଳି ଘୋଷଣା କରାଯାଇଥିଲା। ଲାହିରୁ ଗମାଗେଙ୍କଠାରୁ ୨ ରନ୍‌ ନେଇ ରୋହିତ ଅର୍ଧଶତକ ପୂର୍ଣ୍ଣ କରିବା ପରେ ଡ୍ରେସିଂ ରୁମ୍‌ରୁ କୋହଲି ଘୋଷଣା ସଙ୍କେତ ଦେଇଥିଲେ।
ଶ୍ରୀଲଙ୍କାର ଦ୍ୱିତୀୟ ପାଳିରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ମହମ୍ମଦ ସାମି। ଘଣ୍ଟା ପ୍ରତି ୧୪୦ କିଲୋମିଟର୍‌ ବେଗରେ ପଡ଼ିଥିବା ସାମିଙ୍କ ବାଉନ୍‌ସରକୁ ସଦିରା ସମରବିକ୍ରମା ସ୍ଲିପ୍‌ ଉପରେ ଖେଳିବା ଲକ୍ଷ୍ୟରେ ଥିଲେ। କିନ୍ତୁ ଗଲିରେ ଅଜିଙ୍କ୍ୟ ରାହାଣେଙ୍କ ହାତରେ ଧରାପଡ଼ିଯାଇଥିଲେ। ୧୫ ଓଭର ପରେ ଅମ୍ପାୟାର୍‌ ନିଜେଲ୍‌ ଲଙ୍ଗ୍‌ ଲାଇଟ୍‌ ମିଟର୍‌ ଚେକ୍‌ କରିବା ପରେ ରବୀନ୍ଦ୍ର ଜାଦେଜାଙ୍କୁ ବୋଲିଂ କରିବାକୁ ବଲ୍‌ ଦେଇଥିଲେ। ଏହି ଓଭରରେ କିନ୍ତୁ ବାମହାତୀ ସ୍ପିନର୍‌ ଜାଦେଜା ୨ ଓ୍ଵିକେଟ୍‌ ବାହାର କରି ଶ୍ର୍ରୀଲଙ୍କାକୁ ପଛ ଧାଡ଼ିକୁ ଠେଲି ଦେଇଥିଲେ। ପ୍ରଥମେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଦିମୁଥ କରୁଣାରତ୍ନେ (୧୩)ଙ୍କୁ ବ୍ୟାଟ୍‌ ପ୍ୟାଡ୍‌ ଏଜ୍‌ ସହିତ ରିଦ୍ଧିମାନ ସାହାଙ୍କ କ୍ୟାଚ୍‌ ଜରିଆର ବିଦାୟ ରାସ୍ତା ଦେଖାଇଥିଲେ। ରାତ୍ରୀ ଜଗୁଆଳି ଦାୟିତ୍ୱ ନେଇ ଆସିଥିବା ସୁରଙ୍ଗା ଲାକମଲ୍‌ (୦)ଙ୍କୁ କିନ୍ତୁ ଜାଦେଜା ଗଡ଼ନ୍ତା ବଲ୍‌ରେ ବୋଲ୍‌ଡ କରି ଦେଇଥିଲେ। ଏହା ପରେ ପ୍ରଥମ ପାଳିରେ ଶତକ ହାସଲ କରିଥିବା ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ (୦*) ଦିନର ଶେଷ ୨ ବଲ୍‌ ଖେଳିବାରେ ସକ୍ଷମ ହୋଇଥିଲେ। ଧନଞ୍ଜୟ ଡି’ସିଲଭା (୧୩*, ୩୦ ବଲ୍‌, ୧ ଛକା) ମଧ୍ୟ ଅପରାଜିିତ ଅଛନ୍ତି। ହାତରେ ୭ ଓ୍ଵିକେଟ୍‌ ଥାଇ ଶ୍ରୀଲଙ୍କା ତଥାପି ୩୭୮ ରନ୍‌ ପଛରେ ରହିଛି।

ସମ୍ବନ୍ଧିତ ଖବର