କେପିଏଲ୍‌ ଉଦ୍‌ଯାପିତ: ଜେଏନ୍‌ଟିୟୁ ହାଇଦ୍ରାବାଦ ବିଜେତା

ଭୁବନେଶ୍ୱର: କିଟ୍‌ ପ୍ରିମିୟର ଲିଗ୍‌ (କେପିଏଲ୍‌)ର ଏକାଦଶ ସଂସ୍କରଣ ଦିବାରାତ୍ର ଟେ୍ଵଣ୍ଟି-୨୦ କ୍ରିକେଟ୍‌ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଜେଏନ୍‌ଟିୟୁ ହାଇଦ୍ରାବାଦ ୯ ଓ୍ଵିକେଟ୍‌ରେ ଜେଏନ୍‌ଟିୟୁ କାକିନାଡ଼ାକୁ ହରାଇ ବିଜେତା ହୋଇଛି। ଫରିଦାବାଦ୍‌ସ୍ଥିତ ଆଲଫଲାହ ବିଶ୍ୱବିଦ୍ୟାଳୟ ୪୦ ରନ୍‌ରେ ନୂଆଦିଲ୍ଲୀର ପିଜିଡିଏଭିକୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଛି। ବିଜେତା ହାଇଦ୍ରାବାଦକୁ ଟ୍ରଫି ଓ ନଗଦ ୨ ଲକ୍ଷ ଟଙ୍କା ଏବଂ ଉପବିଜେତା କାକିନାଡ଼ାକୁ ଟ୍ରଫି ଓ ନଗଦ ୧ ଲକ୍ଷ ଟଙ୍କା ଆର୍ଥିକ ପୁରାସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଫରିଦାବାଦ ଓ ନୂଆଦିଲ୍ଲୀ ଯଥାକ୍ରମେ ୫୦ ହଜାର ଏବଂ ୨୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ପାଇଥିଲେ। ପ୍ରତିଯୋଗିତାର ଶ୍ରେଷ୍ଠ ହାଇଦ୍ରାବାଦର ପ୍ରତ୍ୟୁଷ କୁମାରଙ୍କୁ ୮୦୦୦ ଟଙ୍କାର ପୁରସ୍କାର ରାଶି ମିଳିଥିଲା। ସେହିଭଳି ଫାଇନାଲ୍‌ର ଶ୍ରେଷ୍ଠ ହାଇଦ୍ରାବାଦର ରାହୁଲ୍‌ ବୁଧି, ଶ୍ରେଷ୍ଠ ଓ୍ଵିକେଟ୍‌ ରକ୍ଷକ କାକିନାଡିର ଏମ୍‌ ପ୍ରଣୀତ, ଶ୍ରେଷ୍ଠ କ୍ଷତ୍ରରକ୍ଷକ କିଟ୍‌ର ଅନୁରାଗ ପୃଷ୍ଟି, ଶ୍ରେଷ୍ଠ ବୋଲର୍‌ ଏବଂ ଜେଏନ୍‌ଟିୟୁ ହାଇଦ୍ରାବାଦର ଫରିଦାବାଦର ଦୀପକ ଶର୍ମା ଏବଂ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଏମ୍‌ ଏସ୍‌ ପ୍ରଜ୍ଞାରେଡ୍ଡୀଙ୍କୁ ୬ ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପୁରସ୍କାର ମିଳିଥିଲା। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଓଲିଉଡ଼ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ହାଇଦ୍ରାବାଦସ୍ଥିତ ଟିକେଆର୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସଂପାଦକ ଡ. ଟି ହରିନାଥ ରେଡ୍ଡୀ ଏବଂ ବାସୁଦେବ ରେଡ୍ଡୀ, କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଉପସ୍ଥିତ ଥିଲେ। ପରେ ଓଲିଉଡ଼ ଅଭିନେତାଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ରୀଡ଼ା କଂପ୍ଲେକ୍‌ସକୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ, କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ଉଦ୍‌ଘାଟନ କରଥିଲେ।

ସମ୍ବନ୍ଧିତ ଖବର