କେପିଏଲ୍‌ ଆରମ୍ଭରୁ କିଟ୍ ବିଜୟୀ

ଭୁବନେଶ୍ୱର: କିଟ୍ ପ୍ରିମିୟର ଲିଗ୍ (କେପିଏଲ୍)ର ଦ୍ୱାଦଶ ସଂସ୍କରଣ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ କିଟ୍‌ ଏମଜି କାଶୀ ବିଶ୍ବବିଦ୍ୟାଳୟକୁ ୨୧ ରନ୍‌ରେ ପରାସ୍ତ କରିଛି। ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବା ଚିରଂଜିତ ସିଂହ ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ବେଣ୍ଟି-୨୦ ଦିବାରାତ୍ର କ୍ରିକେଟ୍ ପ୍ରତିଯୋଗିତାକୁ କିଟ୍‌ ଓ କିସ୍‌ରପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିସିସିଆଇ ଚୟନକର୍ତା ବଣ୍ଟା ସିଂହ, ଏମ୍‌ଏସ୍‌କୁମାର, ଜୟ କୁମାର ସିହ୍ନା, ଅବିନାଶ କୁମାର ଏବଂ ଲଳିତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। କିଟ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉଦ୍‌…ଘାଟନୀ ମ୍ୟାଚ୍‌ ଆୟୋଜକ କିଟ୍ ଓ ବାରଣାସୀର ଏମଜି କାଶୀ ବିଦ୍ୟାପୀଠ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କେପିଏଲର ଚଳିତ ସଂସ୍କରଣରେ କିଟ୍‌ ସମେତ ଦେଶର ୧୨ଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ଅଂଶ ଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ମୋଟ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। ବିଜେତାକୁ ୨ ଲକ୍ଷ ଓ ଉପବିଜେତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ତୃତୀୟ ଶ୍ରେଷ୍ଠ ଦଳକୁ ୫୦ ହଜାର ଏବଂ ଚତୁର୍ଥକୁ ୨୫ ହଜାର ଟଙ୍କାର ନଗଦ ଅର୍ଥରାଶି ରହିଛି। ଏଥିସହ ପ୍ରତ୍ୟେକ ଲିଗ୍‌ ମ୍ୟାଚ୍‌ ବିଜୟୀ ଓ କ୍ବାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିବା ଦଳକୁ ପୁରସ୍କ‌ାର ପ୍ରଦାନ କରାଯିବ।
ସଂକ୍ଷିପ୍ତ ସ୍କୋର: କିଟ୍‌ ୨୦ ଓଭରରେ ୨୨୧/୩ (ରୋନକ ମିଶ୍ର-୮୦, ଚିରଂଜିତ ସିଂହ-୬୬)। ଏମ୍‌ଜି କାଶୀ ୨୦ ଓଭରରେ ୨୦୦/୮ (ସୌରଭ ଯାଦବ-୬୧, ଶ୍ରୀକାନ୍ତ ଘୋଷ-୩/୩୭, ଚିରଂଜିତ ସିଂହ-୨/୩୦)।

ସମ୍ବନ୍ଧିତ ଖବର