କ୍ରୀଡ଼ାବିତ୍‌ ଅମଡ଼ା ବାଟର:ଚର୍ଚାରେ ଏଭେରେଷ୍ଟ୍‍ ଯାଆଁଳା ଭଉଣୀ

ନୂଆଦିଲ୍ଲୀ: ଦେଶର ଚର୍ଚିତ ଏଭେରେଷ୍ଟ୍‍ ଯାଆଁଳା ଭଉଣୀ ନୁଙ୍ଗ୍‌ଶୀ ଏବଂ ତାଶୀ ମଲ୍ଲିକଙ୍କ ନିଆରା କାହାଣୀ ବେଶ୍‌ ରୋମାଞ୍ଚକର। ମାତ୍ର ୨୧ ବର୍ଷ ବୟସରେ ବିଶ୍ୱର ପ୍ରଥମ ଭଉଣୀ ତଥା ଯାଆଁଳା ଯୋଡ଼ି ଭାବେ ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ କରିଥିଲେ। କେବଳ ଏତିକି ନୁହେଁ ଉତ୍ତର ଓ ଦକ୍ଷିଣ ମେରୁରେ ଥିବା ୭ ଶିଖର ଛୁଇଁ ‘ଦୁଃସାହସିକ ଗ୍ରାଣ୍ଡ୍‌ ସ୍ଲାମ’ ଅର୍ଜନ କରିଥିବା ଏହି ଭଉଣୀ ମଧ୍ୟ ତିନି ମେରୁର ଆହ୍ଵାନକୁ ଗ୍ରହଣ କରିଛନ୍ତି। ହରିଆନାର ମୂଳ ଅଧିବାସୀ ହୋଇଥିଲେ ମଧ୍ୟ ସମ୍ପ୍ରତି ଡେରାଡୁନରେ ରହୁଛନ୍ତି ଏହି ଗିନିଜ୍‌ ବୁକ୍‌ କୀର୍ତିମାନଧାରୀ। ଜୟପୁରରେ ସମ୍ପ୍ରତି ଚାଲିଥିବା ଆଇପିଏଲ୍‌ ଦଳ ରାଜସ୍ଥାନ ରୟାଲ୍‌ସର ଅଭ୍ୟାସ ଶିବିରରେ ଏହି ଭଉଣୀଙ୍କ ଆବିର୍ଭାବ ସେମାନଙ୍କୁ ପୁଣି ଚର୍ଚାରେ ରଖିଥିଲା। ନିଲମ୍ବନ ଦଣ୍ଡ ଭୋଗିବା ପରେ ଆଇପିଏଲ୍‌କୁ ଫେରୁଥିବା ରାଜସ୍ଥାନ ରୟାଲ୍‌ସର ଖେଳାଳିମାନଙ୍କ ମନୋବଳ ବଢ଼ାଇବା ଲାଗି ଏମାନେ ନିଜ ଅଭିଜ୍ଞତା ବଖାଣିଥିଲେ। ସେମାନେ କିଭଳି ଏଭଳି ଦୁଃସାହସିକ ଖେଳକୁ ଆସିଲେ ଏବଂ ପୁରୁଣା ପ୍ରାଧାନ୍ୟ ଏହି ଖେଳରେ କଷ୍ଟକର ଯାତ୍ରାକୁ ଅତିକ୍ରମ କରିଛନ୍ତି ଅଭିଜ୍ଞତା ବାଣ୍ଟିଥିଲେ। ପ୍ରଥମେ କିଭଳି ସେମାନେ ଏଭେରେଷ୍ଟ ଆରୋହଣ ପାଇଁ ନିଜ ପରିବାରକୁ ବୁଝାଇଥିଲେ। ଆମ ସ୍ୱପ୍ନ ସାକାର ଲାଗି ପିତା ବୀରେନ୍ଦ୍ର ମଲ୍ଲିକ କିଭଳି ନିଜ ଜୀବନକୁ ବାଜି ଲଗାଇଥିଲେ ତାହାର ରୋମାଞ୍ଚ କହିଥିଲେ। ନିଜ ମନକୁ ବୁଝାଇବା ସବୁବେଳେ କାଠିକର ପାଠ। କିନ୍ତୁ ନିଜକୁ ବାରମ୍ବାର ‘ନଛୋଡ଼ବନ୍ଧା’ କହିବା ଦ୍ୱାରା ହିଁ ଏହା ସମ୍ଭବ ହୁଏ ବୋଲି ପ୍ରକାଶ କରିଥିଲେ ତାଶୀ।
ଅବସରପ୍ରାପ୍ତ ଅର୍ମି ଅଧିକାରୀ ବୀରେନ୍ଦ୍ର ସିଂହ ମଲ୍ଲିକ ଏବଂ ପତ୍ନୀ ଅଞ୍ଜୁ ଥାପ୍ପାଙ୍କ ଯାଆଁଳା ଝିଅ ନୁଙ୍ଗ୍‌ଶୀ ଏବଂ ତାଶୀ ୧୯୯୧ ମସିହା ଜୁନ୍‌ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ହରିଆନାର ସୋନେପତସ୍ଥିତ ଅନଓ୍ଵାଲୀ ବୀରେନ୍ଦ୍ରଙ୍କ ମୂଳ ଗାଁ। କିନ୍ତୁ ଆର୍ମିରୁ ଅବସର ପରେ ସେ ଡେରାଡୁନରେ ଅବସ୍ଥାପିତ। ପିିତାଙ୍କ ଯାତ୍ରା ଭଳି ଏମାନଙ୍କ ପାଠପଢ଼ା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ତାମିଲନାଡୁ, କେରଳ ଏବଂ ମଣିପୁରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିତିଥିଲା। ସିକ୍କିମ ମଣିପାଲ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଉଭୟ ସାମ୍ବାଦିକତା ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ୨୦୧୩ ମସିହାରେ ଏଭେରେଷ୍ଟ ଆରୋହଣ ପରେ ସର୍ବକନିଷ୍ଠ ଭାବେ ବିଶ୍ୱର ‘ସପ୍ତ ଶିଖର’ ଚଢ଼ିବା ତାଙ୍କୁ ଗିନିଜ୍‌ ବୁକ୍‌ସରେ ସ୍ଥାନିତ କରିଛି। ଦୁଃସାହସିକ କ୍ରୀଡ଼ାର ସର୍ବୋଚ୍ଚ ସରକାରୀ ସମ୍ମାନ ‘ତେନ୍‌ଜିଙ୍ଗ୍‌ ନର୍ଗେ ଜାତୀୟ ଦୁଃସାହସିକ ପୁରସ୍କାର’ ଉଭୟଙ୍କୁ ମଧ୍ୟ ମିଳି ସାରିଛି।

ସମ୍ବନ୍ଧିତ ଖବର