କ୍ରୋଏସିଆ ୨-୦ରେ ଜିତିଲା

କଲିନିଙ୍ଗରାଦ: ଫିଫା ବିଶ୍ୱକପ୍‌ରେ ଲଗାତାର ଦିବସରେ ଆତ୍ମଘାତୀ ଗୋଲ୍‌ ଦେଖିବାକୁ ମିଳିଛି। ଶୁକ୍ରବାର ମରକ୍କୋ ଖେଳାଳିଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ଇରାନ୍‌ ବିଜୟୀ ହୋଇଥିଲା। ଶନିବାର ବିଳମ୍ବିତ ରାତିରେ ନାଇଜେରିଆର ଓଘେନିକୋରୋ ଏତିବୋଙ୍କ ଆତ୍ମଘାତୀ ଗୋଲ୍‌ ସହାୟତାରେ କ୍ରୋଏସିଆ ୨-୦ରେ ଜିତିଛି। ଏହି ବିଜୟ ସହିତ କ୍ରୋଏସିଆ ମଧ୍ୟ ଗ୍ରୁପ୍‌ ‘ଡି’ ଶୀର୍ଷରେ ପହଞ୍ଚିଛି। ପ୍ରଥମ ଥର ପାଇଁ କ୍ରୋଏସିଆ ଏବଂ ନାଇଜେରିଆ ମୁହାଁମୁହିଁ ହୋଇଥିଲେ, ପୁଣି ବିଶ୍ୱକପ୍‌ ମଇଦାନରେ। ମ୍ୟାଚ୍‌ର ୩୨ତମ ମିନିଟରେ ମାରିଓ ମଣ୍ଡଜୁକିକ୍‌ଙ୍କ ହେଡର୍‌କୁ ଏଡ଼ାଇବାକୁ ଯାଇ ଏତିବୋ ହିଁ ଆତ୍ମଘାତୀ ଗୋଲ୍‌ଟି ଦେଇଥିଲେ। ନାଇଜେରିଆ ମଧ୍ୟ ନିଜର ଶେଷ ଗୋଲ୍‌ (୨୦୧୪ ବନାମ ଫ୍ରାନସ) ଆତ୍ମଘାତୀରେ ବରଣ କରିଥିଲା। ଶନିବାର ୭୦ତମ ମିନିଟ୍‌ରେ ଡି ଅଞ୍ଚଳରେ ମାରିଓ ମଣ୍ଡଜୁକିକ୍‌ଙ୍କୁ ନାଇଜେରିଆର ଓ୍ଵିଲିୟମ୍‌ ଟ୍ରୁଷ୍ଟ୍‍ ଏକଙ୍ଗ ଅଟକାଇବାରୁ ରେଫରି ପେନାଲ୍‌ଟି ଦେଇଥିଲେ। ଯାହାକୁ ରିୟଲ୍‌ ମାଦ୍ରିଦ ତାରକା ଲୁକା ମୋଡ୍ରିକ୍‌ ଗୋଲ୍‌ରେ ପରିଣତ କରିଥିଲେ। ତୃତୀୟ ଦିବସରେ ମୋଟ ୫ ପେନାଲଟି ମଧ୍ୟ ବିଶ୍ୱକପ୍‌ କୀର୍ତିମାନ (୬)ର ନିକଟତର ହୋଇଯାଇଥିଲା। ବିଜୟ ସହ କ୍ରୋଏସିଆ ନିଜର ଶେଷ ୮ ବିଶ୍ୱକପ୍‌ ମ୍ୟାଚ୍‌ରେ ଦ୍ୱିତୀୟ ବିଜୟ ପାଇଥିଲା। ଷଷ୍ଠ ଥର ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ କରିଥିବା ନାଇଜେରିଆ ନିଷ୍ଫଳ ରହିଲା।

ପ୍ରତୀକ୍ଷିତ ପ୍ରଥମ ବିଜୟ
ଶନିବାର ରାତିର କ୍ରୋଏସିଆ (୨)-ନାଇଜେରିଆ (୦) ମ୍ୟାଚ୍‌ ଅବସରରେ ଏକାଧିକ କୀର୍ତିମାନ ମଧ୍ୟ ନଜରକୁ ଆସିଥିଲା। ୧୯୯୮ ମସିହା ପରେ କ୍ରୋଏସିଆ ପ୍ରଥମ ଥର ପାଇଁ ନିଜର ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା। ସେଥର କ୍ରୋଏସିଆ ପଦାର୍ପଣରେ ଜାମାଇକାକୁ ୩-୧ରେ ହରାଇଥିଲା। ଅନ୍ୟପକ୍ଷରେ ପ୍ରଥମ ଗୋଲ୍‌ ବରଣ କରିବା ପରେ ନାଇଜେରିଆ ନିଜର ଶେଷ ୭ ବିଶ୍ୱକପ୍‌ ମ୍ୟାଚ୍‌ ମଧ୍ୟ ହାରିଲା। ଏବେ ଆଫ୍ରିକୀୟ ଦେଶ ନାଇଜେରିଆ ବିପକ୍ଷର ଉଭୟ ବିଶ୍ୱକପ୍‌ ମ୍ୟାଚ୍‌କୁ ମଧ୍ୟ କ୍ରୋଏସିଆ ଜିତିଲା। ସାମଗ୍ରିକ ଗୋଲ୍‌ ବ୍ୟବଧାନ ୬-୦ ରହିଛି। କ୍ରୋଏସିଆ ମଧ୍ୟ ଲଗାତାରଭାବେ ୫ ବିଶ୍ୱକପ୍‌ ମ୍ୟାଚ୍‌ରେ ଗୋଲ୍‌ ଦେବାର ଧାରା ବଜାୟ ରଖିଛି। ଯାହାକି ଦଳ ପାଇଁ ସବୁଠାରୁ ଦୀର୍ଘତମ। ନାଇଜେରିଆା ମଧ୍ୟ ନିଜର ଶେଷ ୩ ବିଶ୍ୱକପ୍‌ ମ୍ୟାଚ୍‌ ହାରିଗଲା। ଦଳର ଲଗାତାର ପରାଜୟ ସଂଖ୍ୟା ରହିଛି ୪ (୧୯୯୮-୨୦୦୨)। କ୍ରୋଏସିଆର ପ୍ରଥମ ଗୋଲ୍‌ ଗତ ୨ ବିଶ୍ୱକପ୍‌ରେ ଆତ୍ମଘାତୀରୁ ପାଇଛି। ୨୦୧୪ରେ ମାର୍ସେଲୋ ଏବଂ ୨୦୧୮ରେ ଓଘାନିକାରୋ ଏତିବୋଙ୍କ ନାମରେ ଗଲା। ବିଶ୍ୱକପ୍‌ ଇତିହାସରେ ନାଇଜେରିଆ ମଧ୍ୟ ପ୍ରଥମ ଦେଶ ଭାବେ ଲଗାତାର ଆତ୍ମଘାତୀ ଗୋଲ୍‌ ଦେଲା। ନାଇଜେରିଆର ଓଡିଅନ୍‌ ଇଗାଲୋ ମ୍ୟାଚ୍‌ର ୫୯ତମ ମିନିଟ୍‌ରେ ଟାର୍ଗଟ୍‌ରେ ସଟ୍‌ ମାରିଥିଲେ।

ସମ୍ବନ୍ଧିତ ଖବର