କୁଚ୍‌ବେହାର ଟ୍ରଫି:ଅନିଲଙ୍କ ଶତକ ଫଲୋଅନ୍‌ ଦ୍ବାରରେ ଗୋଆ

କଟକ: ଅନୀଲ ପରିଡ଼ାଙ୍କ ଶତକ ସହାୟତାରେ ଗୋଆରେ ଚାଲିଥିବା କୁଚ୍‌ବେହାର ଟ୍ରଫିରେ ଓଡ଼ିଶା ବଡ଼ ସ୍କୋର କରିବାରେ ସକ୍ଷମ ହୋଇଛି। ଦ୍ବିତୀୟ ଦିନ ଓଡ଼ିଶା ୩୬୮ ରନ୍‌ରେ ସମସ୍ତ ଵିକେଟ ହରାଇବା ପରେ ବିପର୍ଯ୍ୟୟର ସାମ୍‌ନା କରିଥିବା ଗୋଆ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ପ୍ରଥମ ପାଳିର ୮ ଵିକେଟ୍‌ ହରାଇ ୯୩ ରନ୍‌ କରିଛି। ଦ୍ରୁତ ବୋଲର ଶେଖର ମାଝୀ ୩, ବିଶ୍ବଜିତ ମଲ୍ଲିକ ୨, ଏନ୍‌ ଭୂୟାଁ, ରଘୁନାଥ ମଲ୍ଲ ଓ ନିତୀଶ ସାମନ୍ତରାୟ ଗୋଟିଏ ଲେଖାଏଁ ଵିକେଟ ପାଇଥିଲା ବେଳେ ଗୋଆର ଶାନୁ ଭନ୍ତାମୁରି ସର୍ବାଧିକ ୩୪* ଓ ରାହୁଲ ମେହେତା ୩୦ ରନ୍‌ କରିଥିଲେ। ଫଳରେ ଘରୋଇ ଦଳ ଏବେ ଫଲୋଅନ୍‌ ନିକଟରେ ଥିବାବେଳେ ଓଡ଼ିଶା ମଧ୍ୟ ବୋନସ ପଏଣ୍ଟ ପାଇବା ଆଶା ଉଜ୍ବଳ ହୋଇଛି। ଏଥିପୂର୍ବରୁ ପ୍ରଥମ ଦିନର ଅସମାପ୍ତ ସ୍କୋର ୨୯୦/୫ରୁ ଓଡ଼ିଶା ଖେଳ ଆରମ୍ଭ କରିଥିଲା। ଅର୍ଧଶତକ କରି ବ୍ୟାଟି˚ କରୁଥିବା ଅନୀଲ ୨୫୫ ବଲ୍‌ରେ ଶତକ ଅର୍ଜନ କରିଥିଲେ। ପାଳିର ଶେଷ ଵିକେଟ୍‌ ଭାବେ ଅନୀଲ ଆଉଟ୍‌ ହେବା ପୂର୍ବରୁ ୨୭୨ ବଲ୍‌ ଖେଳି ୧୨ ଚୌକା ସହାୟତାରେ ୧୦୭ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶେଖର ମାଝୀ ୨୦, ଏନ୍‌ ଭୂୟାଁ ୧୦ ରନ୍‌ ଯୋଗ କରିଥିଲେ।

ସମ୍ବନ୍ଧିତ ଖବର