କୁଲଦୀପ୍‌ କମାଲ୍‌ ପରେ ରାହୁଲ ରଡ଼ି:ପ୍ରଥମ ଟେ୍ଵଣ୍ଟି-୨୦କୁ ଭାରତ ୮ ଓ୍ଵିକେଟ୍‌ରେ ଜିତିଲା

ମାଞ୍ଚେଷ୍ଟର୍‌: କଚଟି ସ୍ପିନର୍‌ କୁଲଦୀପ ଯାଦବଙ୍କ କମାଲ (୪-୦-୨୪-୫) ପରେ ଲୋକେଶ ରାହୁଲ୍‌ (୧୦୧*, ୫୪ ବଲ୍‌, ୧୦ ଚୌକା, ୫ ଛକା)ଙ୍କ ରନ୍‌ ବର୍ଷା ବଳରେ ଇଂଲଣ୍ଡ ଗସ୍ତକୁ ଭାରତ ଚମତ୍କାର ଢ଼ଙ୍ଗରେ ଆରମ୍ଭ କରିଛି। ପ୍ରଥମ ଟେ୍ଵଣ୍ଟି-୨୦ରେ ୮ ଓ୍ଵିକେଟ୍‌ରେ ସହଜ ବିଜୟ ସହିତ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। କୁଲ୍‌ଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ମଙ୍ଗଳବାର ଓଲ୍‌ଡ ଟ୍ରାଫୋର୍ଡରେ ଖେଳାଯାଇଥିବା ଏହି ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡ ପାଳିକୁ ୧୫୯/୮ରେ ସୀମିତ ରଖିବାରେ ବଡ଼ ଭୂମିକା ତୁଲାଇଥିଲେ ବାମହାତୀ ଚାଇନାମ୍ୟାନ୍‌ ବୋଲର କୁଲ୍‌ଦୀପ। ଟସ୍‌ ଜିତି ଭାରତ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ଜାସନ୍‌ ରୟ ଏବଂ ଜୋସ୍‌ ବଟଲର୍‌ ଘରୋଇ ଇଂଲଣ୍ଡ ଦଳକୁ ବିସ୍ଫୋରକ ଆରମ୍ଭ ବି ଦେଇଥିଲେ। ୪.୫ ଓଭରରେ ଇଂଲଣ୍ଡ ପ୍ରଥମ ୫୦ ରନ୍‌ ପୂରଣ କରି ନେଇଥିଲେ ମଧ୍ୟ ଜାସନ୍‌ଙ୍କୁ ପ୍ଲେଡ୍‌ ଅନ୍‌ ବୋଲ୍‌ଡ କରି ଉମେଶ ଯାଦବ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଜାସନ୍‌ ୨୦ ବଲ୍‌ରୁ ୩୦ ରନ୍‌ କରିଥିଲେ ୫ ଚୌକା ସହାୟତାରେ। ଏହା ପରେ ହଠାତ୍‌ ଭାରତୀୟ ବୋଲରଙ୍କ ପ୍ରଭାବ ବଢ଼ିଥିଲା। ବିଶେଷ କରି କୁଲଦୀପ୍‌ ଯାଦବଙ୍କ ସ୍ପିନ୍‌ ଜାଲରେ ସମ୍ପୂର୍ଣ୍ଣ ଫସିଯାଇଥିଲେ ଇଂଲିସ୍‌ ଖେଳାଳି। ଜାସନ୍‌ ରୟଙ୍କୁ ଛାଡ଼ିଦେଲେ ଇଂଲଣ୍ଡ ପାଳିର ପରବର୍ତୀ ୫ ଜଣଙ୍କ ଓ୍ଵିକେଟ୍‌ ନେଇଥିଲେ କୁଲଦୀପ। ଗୋଟିଏ ଓଭରରେ (୧୪ତମ) ସେ ଅଧିନାୟକ ଇଅନ୍‌ ମୋର୍ଗାନ୍‌ (୭), ଜନି ବେୟାର୍‌ଷ୍ଟୋ (୦) ଏବଂ ଜୋ ରୁଟ୍‌ (୦)ଙ୍କୁ ପ୍ୟାଭିଲିଅନ୍‌ ପଠାଇ ଇଂଲଣ୍ଡ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। ଏହାର ପୂର୍ବ ଓଭରରେ ସେ ଆଲେକ୍ସ ହେଲ୍‌ସ (୮)ଙ୍କୁ ପ୍ରଥମ ଶିକାର କରିଥିଲେ। କୁଲଦୀପ କମାଲ କାରଣରୁ ୫ ଓଭର ପୂର୍ବରୁ ୫୦ ଟପିଥିବା ଇଂଲଣ୍ଡ ୧୨ ଓଭରରେ ୧୦୦ ପୂର୍ଣ୍ଣ କରିଥିଲା। କୁଲଦୀପଙ୍କ ସାଥୀ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ (୪-୦-୩୪-୦) ପ୍ରଭାବହୀନ ରହିଥିଲେ ମଧ୍ୟ ଏହାର କୌଣସି ଫରକ ପଡ଼ିନଥିଲା। କୁଲଦୀପଙ୍କ ଥଳିରେ ମଧ୍ୟ ପଡ଼ିଥିଲେ ଇଂଲଣ୍ଡ ପାଳିର ସର୍ବାଧିକ ବ୍ୟକ୍ତିଗତ ସ୍କୋରର୍‌ ଜୋସ୍‌ ବଟଲର୍‌ (୬୯, ୪୬ ବଲ୍‌, ୮ଚୌକା, ୨ ଛକା)। ସେ କୁଲଦୀପଙ୍କ ପଞ୍ଚମ ଶିକାର ହୋଇଥିଲେ। ଏଥି ସହିତ ସେ ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର (୪-୦-୨୪-୫) ପାଇଥିଲେ। ଅନ୍ତର୍ଜାତୀୟ ସୀମିତ ଓଭର କ୍ରିକେଟ୍‌ରେ ନିଜର ପ୍ରଥମ ୫ ଓ୍ଵିକେଟ୍‌ ନେଇଥିଲେ। ଶେଷ ଭାଗରେ ଡେଭିଡ୍‌ ଓ୍ଵିଲି (୨୮*, ୧୫ ବଲ୍‌, ୨ ଚୌକା, ୨ ଛକା) କେବଳ ଆକ୍ରାମକ ବ୍ୟାଟିଂ କରି ଇଂଲଣ୍ଡକୁ ୧୫୯ ରନରେ ପହଞ୍ଚାଇ ଦେଇଥିଲେ। ଏକାଧିକ କ୍ୟାଚ୍‌ ହାତଛଡ଼ା ଏବଂ ଯଶପ୍ରୀତ୍‌ ବୁମରାଙ୍କ ଅନୁପସ୍ଥିତିରେ ନିର୍ଭରଯୋଗ୍ୟ ଭୁବନେଶ୍ୱର କୁମାର (୪-୦-୪୪-୦) ବ୍ୟୟବହୁଳ ବୋଲିଂ କରିବା କେବଳ ଭାରତକୁ ଅଡୁଆରେ ପକାଇଥିଲା। ଇଂଲଣ୍ଡ ପକ୍ଷରୁ ୩ ଜଣ ଦୁଇ ଅଙ୍କ ଛୁଇଁଥିବାବେଳେ ୩ ଜଣ ଶୂନରେ ଆଉଟ୍‌ ହୋଇଥିଲେ। କୁଲଦୀପଙ୍କ ସାଥୀ ଯାଦବ ଦ୍ରୁତ ବୋଲର ଉମେଶ (୪-୦-୨୧-୨) ସବୁଠୁ ମିତ୍ତବ୍ୟୟୀ ବୋଲିଂ କରିବା ଅନ୍ୟତମ ଆକର୍ଷଣ ଥିଲା।
ଜବାବରେ ପ୍ରଥମ ଓଭରରେ ଶିଖର ଧାଓ୍ଵନ (୫) ଆଉଟ୍‌ ହୋଇଯିବା ପରେ ରୋହିତ ଶର୍ମା (୩୨, ୩୦ ବଲ୍‌, ୩ ଚୌକା, ୧ ଛକା)କୁ ଚୁପ୍‌ କରି ଦେଇଥିଲେ କେଏଲ୍‌ ରାହୁଲ। ପଡ଼ିଆର ଚର୍ତୁଦିଗକୁ ଚୌକା ଓ ଛକା ବର୍ଷା କରି ରାହୁଲ ଯଥାକ୍ରମେ ୨୭ ବଲ୍‌ରୁ ଅର୍ଧଶତକ ଏବଂ ୨୬ ବଲ୍‌ରୁ ଦ୍ୱିତୀୟ ୫୦ ରନ୍‌ ଯୋଡ଼ି ୫୩ ବଲ୍‌ରୁ ଶତକ ହାସଲ କରିଥିଲେ। ଶେଷକୁ ନିଜର ଦ୍ୱିତୀୟ ଟେ୍ଵଣ୍ଟି-୨୦ ଶତକ ହାସଲ କରି ଇଂଲଣ୍ଡ ଗସ୍ତକୁ ଆରମ୍ଭ କଲେ। ୨୦୧୬ ମସିହାରେ ସେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ୫୧ ବଲ୍‌ରୁ ୧୧୦ ରନ୍‌ ସଂଗ୍ରହ କରି ପ୍ରଥମ ଟେ୍ଵଣ୍ଟି-୨୦ ଶତକ ଜମାଇଥିଲେ। ଏକା ରାହୁଲଙ୍କ ପାଳି (୧୦୧*, ୫୪ ବଲ୍‌, ୧୦ ଚୌକା, ୫ ଛକା) ଭାରତକୁ ୧୦ ବଲ୍‌ ପୂର୍ବରୁ ସହଜ ବିଜୟ ଦେଇଥିଲା।
ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ୨୦ ଓଭରରେ ୧୫୯/୮ (ଜୋସ୍‌ ବଟଲର୍‌-୬୯, ଜାସନ୍‌ ରୟ-୩୦, ଡେଭିଡ୍‌ ଓ୍ଵିଲି-୨୮*, କୁଲଦୀପ ଯାଦବ-୫/୨୪, ଉମେଶ ଯାଦବ-୨/୨୧, ହାର୍ଦିକ ପାଣ୍ଡ୍ୟା-୧/୩୩)। ଭାରତ ୧୮.୨ ଓଭରରେ ୧୬୩/୨ (କେଏଲ୍‌ ରାହୁଲ-୧୦୧*, ରୋହିତ ଶର୍ମା-୩୨, ବିରାଟ କୋହଲି-୨୦*, ଆଦିଲ୍‌ ରସିଦ୍‌-୧/୨୫, ଡେଭିଡ୍‌ ଓ୍ଵିଲି-୧/୩୧)।

ସମ୍ବନ୍ଧିତ ଖବର